ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ତାଲାବନ୍ଦ ଖୋଲିବାପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାତିଛନ୍ତି ଶ୍ରମିକ ଦଲାଲ। ଚାକିରି କରେଇଦେବା ଆଶାରେ ନେଉଛନ୍ତି ସାକ୍ଷାତକାର। ଯେଉଁଠାରେ କୋଭିଡ ନିୟମକୁ ଫୁ କରି ଶହ ଶହ ଶ୍ରମିକ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ତେବେ ଆଳି ପୋଲିସ ପକ୍ଷରୁ ୫ ଜଣ ଦଲାଲଙ୍କୁ ପଚରା ଉଚରା କରାଯାଇଥିବା ସୂଚନା ମିଳିଛି।

ଶନିବାର କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ଶ୍ରମିକ ଦଲାଲମାନେ ଜିଲ୍ଲାରୁ ଦାଦନ ଶ୍ରମିକ ଚାଲାଣ କରିବାକୁ ଅଭିନବ ତରିକା ଆପଣାଇଛନ୍ତି। ଶ୍ରମିକମାନଙ୍କୁ ମୋଟା ଅଙ୍କର ଦରମା ମିଳିବାର ଲୋଭ ଦେଖାଇ ବିଭିନ୍ନ ଅଞ୍ଚଳକୁ ଖବର ଦେଇ ଶହଶହ ଯୁବକମାନଙ୍କର ଏକ ସାକ୍ଷାତକାର କରିଥିଲେ। ଏହି ସାକ୍ଷାତକାରରେ ଫେଲ୍ ହେଲେ ଚାକିରି ହେବନାହିଁ ଜାଣି ଏଥିପାଇଁ ହାତଗୁଞ୍ଜା କାରବାର ହୋଇଥିବା ମଧ୍ୟ ସୂଚନା ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନାର ସିଙ୍ଗିରୀ ବଜାରରେ ଏକ ବେସରକାରୀ ଶୁଭମ୍ କଲ୍ୟାଣ ମଣ୍ଡପରେ ଏହି ସାକ୍ଷାତକାର କରାଯାଇଥିଲା। ଏହି ସାକ୍ଷାତକାରରେ ଶହଶହ ଯୁବକ ଚାକିରୀ ଆଶାରେ ଧସେଇକରି ପଶିଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ କୌଣସି ସୂତ୍ରରୁ ଖବରପାଇ ଆଳି ପୋଲିସ ଓ କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।BGUଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ୫ ଜଣ ଶ୍ରମିକ ଦଲାଲଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହ ସେମାନଙ୍କ ଠାରୁ ଲାପଟପ୍ ଆଉ ବେଆଇନ୍ କାଗଜପତ୍ର ଜବତ କରିଛି। ଏହି ୫ ଜଣଙ୍କ ମଧ୍ୟରେ ୪ ଜଣ କେରଳ ରାଜ୍ୟର ହୋଇଥିବା ବେଳେ ଜଣେ ସ୍ଥାନୀୟ ଦଲାଲ ଅଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାର କରି ଏମାନଙ୍କ ବିରୋଧରେ ଏକ ମାମଲା ଋଜୁ କରିଛି ପୋଲିସ। ଅଭିଯୋଗ ପ୍ରମାଣ ହେଲେ ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଳି ଥାନା ଅଧିକାରୀ ସଲିଳ ପ୍ରଧାନ କହିଛନ୍ତି।

Comment