ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ‘ଲେମନ ଗ୍ରାସ’ ଚାଷ କରିବାକୁ ଲକ୍ଷ୍ୟ।

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକରେ ଶନିବାର ଦିନ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ‘ଲେମନ ଗ୍ରାସ’ ବା ‘ଧନ୍ୱନ୍ତରୀ ଘାସ’ ଚାଷ ଶୁଭାରମ୍ଭ ହୋଇଛି। ଏହାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗତେଶ୍ୱର ବେହେରା, ପାନପୋଷ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ତାରେଶ୍ୱର ପାଣି, ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଲାଠିକଟା ବ୍ଲକର ୧୫ ହେକ୍ଟର ଜମିରେ ଲେମନ ଗ୍ରାସ ଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଚାଷୀମାନଙ୍କୁ ଏହି କାମ ପାଇଁ କର୍ମ ନିଯୁକ୍ତି ଯୋଗାଇ ଦିଆଯାଉଛି।

‘‘ଲେମନ ଗ୍ରାସ ହେଉଛି ଏକ ଲାଭଜନକ ଚାଷ। ଏହି ଚାଷ ମାଧ୍ୟମରେ ଚାଷୀମାନେ ସେମାନଙ୍କ ଜୀବିକା ନିର୍ବାହ କରିପାରିବେ। ଆଗାମୀ ଦିନରେ ଜିଲ୍ଲାର ସବୁ ବ୍ଲକରେ ଲେମନ ଗ୍ରାସ ଚାଷ କରାଯିବ’’, ଏହି ଅବସରରେ କହିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

ସେହିପରି ଲହୁଣିପଡ଼ା ବ୍ଲକରେ ଗତ ବର୍ଷଠାରୁ ଲେମନ ଗ୍ରାସ ଚାଷ ଆରମ୍ଭ କରାଯାଇଛି। ପାୱଡି ଭୂୟାଁ ଉନ୍ନୟନ ସଂସ୍ଥା ଅଧୀନରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ପ୍ରାୟ ୫ ହେକ୍ଟର ଜମିରେ ୧୨ ଜଣ ଚାଷୀ ଏହି ଚାଷ କରିଛନ୍ତି।

‘ଲେମନ ଗ୍ରାସ’ ଓଡ଼ିଶାରେ ଧନ୍ୱନ୍ତରୀ ପତ୍ର ନାଁରେ ପରିଚିତ। ଏହି ଚାଷରୁ ବର୍ଷକୁ ତିନି ଥର ଅମଳ କରାଯାଇଥାଏ। ଔଷଧ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଲେମନ ଗ୍ରାସ ତେଲର ଚାହିଦା ରହିଛି। ବଜାରରେ ଏହି ତେଲ ଲିଟର ପିଛା ୯୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହେଉଛି।

ଜିଲ୍ଲାରେ ଲେମନ ଗ୍ରାସ ଚାଷ ପରିଚାଳନା ପାଇଁ ସହଯୋଗୀ ସଂସ୍ଥାକୁ ନିଯୁକ୍ତି ଦିଆଯାଇଛି। ଏହି ସଂସ୍ଥା ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଲେମନ ଗ୍ରାସରୁ ତେଲ ବାହାର କରିବା ପାଇଁ ଏକ ପ୍ରକ୍ରିୟାକରଣ ବ୍ୟବସ୍ଥା ରହିଛି।

Comment