ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ଜାନୁଆରି ମାସରେ ଭୁବନେଶ୍ୱର ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାମ କରାଯାଉଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରାଉରକେଲା ଗସ୍ତରେ ଆସି ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ରାସ୍ତା ନିର୍ମାଣ, ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ପାର୍କିଂ ସ୍ଥଳ ଓ ବୃକ୍ଷ ରୋପଣ ଆଦି କାମର ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ।

ହକି ବିଶ୍ୱକପ୍ ପାଇଁ ବିଭିନ୍ନ ଖେଳାଳି, ଅଫିସିଆଲ ଏବଂ କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତିମାନେ ରାଉରକେଲା ସହରକୁ ଆସିବେ। ତେଣୁ ସେମାନଙ୍କ ଗାଡ଼ିଗୁଡ଼ିକ ସୁବିଧାରେ ରଖିବା ଲାଗି ଆବଶ୍ୟକ ପାର୍କିଂ ସ୍ଥଳ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହିସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ରାଉରକେଲା ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଲଗା ଯାଉଛି। ହକି ବିଶ୍ୱକପ୍ ପୂର୍ବରୁ ଏହି କାର୍ଯ୍ୟ ଶେଷ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସେହିପରି ରାସ୍ତାକଡ଼ ଉଠା ଦୋକାନଗୁଡ଼ିକରେ ନିୟମିତ ବ୍ୟବଧାନରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ହକି ବିଶ୍ୱକପକୁ ସଫଳ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଯୋଡ଼ି ବିଭିନ୍ନ କାର୍ଯ୍ୟକ୍ରମ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଗ୍ରାମପଞ୍ଚାୟତ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତା ସହ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଭିତରେ ବକ୍ତୃତା, ପ୍ରବନ୍ଧ ଏବଂ ଚିତ୍ରାଙ୍କନ ଭଳି ବିଭିନ୍ନ ସର୍ଜନାତ୍ମକ ପ୍ରତିଯୋଗିତା କରାଯିବ। ଏହି କାର୍ଯ୍ୟକ୍ରମକୁ କିପରି ସଫଳତାର ସହ ଆୟୋଜନ କରାଯିବ ସେନେଇ ବୈଠକରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

ବୈଠକରେ ଜିଲ୍ଲାପାଳଙ୍କ ସହିତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ମୁକେଶ ଭାମୁ, ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ରୋନିତ କୁମାର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

୨୦୨୩ ପୁରୁଷ ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଏକାସାଙ୍ଗରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

Tags: #SundargarhCollector #ReviewMeeting #InfraProjectWorks #Rourkela #FIHOdisha #Men’sHockeyWC2023

Comment