ଓଡ଼ିଶାଲାଇଭ୍ ବ୍ୟୁରୋ
ବଞ୍ଚିଥିବା ଅବସ୍ଥାରେ ହସ୍ପିଟାଲରେ ମିଳିଲାନି ଭେଣ୍ଟିଲେଟର ଆଉ ଜୀବନ ଚାଲିଯିବା ପରେ ମଶାଣିକୁ ଯିବାକୁ ମିଳିଲାନି ଚାରିକାନ୍ଧ। ପୁଣେ ସହର ନିକଟରେ ଥିବା ଏକ ଗାଁରେ ଜଣେ କରୋନା ସଂକ୍ରମିତଙ୍କ ଏ ହେଉଛି ଦୁଃଖଭରା କାହାଣୀ।
ପୁଣେଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ରହିଛି ଖାନାପୁର ନାମକ ଏକ ଗାଁ। ଏହି ଗାଁରେ ରହୁଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗତ ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ପୁଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥିଲା। ହେଲେ ହସ୍ପିଟାଲରେ ତାଙ୍କୁ ଠିକ୍ ସମୟରେ ଭେଣ୍ଟିଲେଟର ସୁବିଧା ମିଳିନଥିଲା। ଶେଷରେ ଭେଣ୍ଟିଲେଟର ଅଭାବ କାରଣରୁ ସେ ପ୍ରାଣ ହରାଇଥିଲେ।
ପ୍ରାଣ ହରାଇବା ପରେ ମଧ୍ୟ ତାଙ୍କୁ ତାଙ୍କ ଗାଁକୁ ଆଣିବାକୁ ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଡ଼ କରାଯାଇନଥିଲା। ଶେଷରେ ଗ୍ରାମବାସୀମାନେ ନିଜେ ନିଜେ ବ୍ୟବସ୍ଥା କରି ତାଙ୍କ ଶବକୁ ଗାଁକୁ ଆଣିବା ସହିତ ଟଲିରେ ବୋହି ମଶାଣି ପାଖକୁ ନେଇଥିଲେ। ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି।
ଗାଁ’ର କିଛି ଲୋକ ପିପିଇ କିଟ୍ ଏବଂ ସାନିଟାଇଜର ଧରି ତାଙ୍କର ଶବଦାହ କରିଥିଲେ। ତେବେ ଏହି ଘଟଣା ସମ୍ପର୍କରେ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀ ଅବଗତ ନଥିବା କହିଛନ୍ତି।
ମହାରାଷ୍ଟ୍ର ଏବେ କରୋନା ସଂକ୍ରମଣରେ ସବୁଠୁ ଆଗରେ ରହିଛି। ସେଠାରେ ପ୍ରତିଦିନ ଶହ ଶହ ଆକ୍ରାନ୍ତ ପ୍ରାଣ ମଧ୍ୟ ହରାଉଛନ୍ତି। ହେଲେ ପ୍ରାଣ ହରାଉଥିବା ଆକ୍ରାନ୍ତଙ୍କ ଶବ ସତ୍କାର କରିବା ପାଇଁ ଠିକ୍ ଭାବେ ବ୍ୟବସ୍ଥା ହେଉନଥିବା ଅଭିଯୋଗ ହେଉଛି।
















