ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣେର ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ଋତୁସ୍ରାବ ଉପରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପୁଣେ ଜିଲ୍ଲା ଶିରୁର ବ୍ଲକ ଅନ୍ତର୍ଗତ ମୋରାଚି ଚିଞ୍ଚୋଲି ଗ୍ରାମସ୍ଥିତ ଜୟ ମହ୍ଲାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ଅବଗତ କରାଯାଇଥିଲା।

ଋତୁସ୍ରାବ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରିବା ତଥା ଏହା ବିଷୟରେ ଛାତ୍ରୀ ଓ ଯୁବତୀମାନଙ୍କୁ ସଚେତନ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିଲା। ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟରଂଜନ ମହାପାତ୍ର ଏହାର ନେତୃତ୍ଵ ନେଇଥିଲେ।

“ଆମର ଲକ୍ଷ୍ୟ ହେଉଛି ଛାତ୍ରୀ ଓ ଯୁବ ମହିଳାମାନଙ୍କୁ ଋତୁସ୍ରାବ ଜନିତ ସମସ୍ୟାରୁ ସୁସ୍ଥ ରହିବା ପାଇଁ ଆବଶ୍ୟକ ଜ୍ଞାନ ଦେଇ ସଚେତନତା ସୃଷ୍ଟି କରିବା। ଏହା ସେମାନଙ୍କ ପାଇଁ ବହୁତ ସହାୟକ ହେବ। ମହିଳାମାନଙ୍କୁ ସଶକ୍ତ କରି ଏକ ବିକଶିତ ସମାଜ ଗଠନ ଦିଗରେ ଫାଉଣ୍ଡେସନ ନିଜର କର୍ତ୍ତବ୍ୟ ଜାରି ରଖିବ”, କହିଛନ୍ତି ସୌମ୍ୟରଞ୍ଜନ ମହାପାତ୍ର।   

ମାସିକ ଋତୁଚକ୍ର ସମୟରେ କ’ଣ କରିବା ଉଚିତ ଓ ଅନୁଚିତ ସେ ବାବଦରେ ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ସଚେତନ କରାଯାଇଥିଲା। ଏହାସହ ସାନିଟାରି ପ୍ୟାଡର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା। ଏଠାରେ ସ୍କୁଲ ଛାତ୍ରୀମାନଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ସାନିଟାରି ପ୍ୟାଡ ବଣ୍ଟା ଯାଇଥିଲା।

ଏହି କାର୍ଯ୍ୟକ୍ରମ ପାଇଁ ଜୟ ମହ୍ଲାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଗାୱଡେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ। ଛାତ୍ରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।  

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦକ ଆନନ୍ଦ ମହାପାତ୍ର ଓ ସଦସ୍ୟା ପ୍ରଣତୀ ସାବତ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ୮୦ରୁ ଅଧିକ ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #SpreadHappinessFoundation #PrabasiOdiaSangathan #MensurationAwarenessProgramme #SocialServices #Pune   

Comment