ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣେରେ ଅନୁଷ୍ଠିତ ହୋଇଛି ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀ। ଏଥିରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଅଂଶଗ୍ରହଣ କରି ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲା। ଏହି କାର୍ଯ୍ୟକ୍ରମରେ ହୋଇଥିବା ଶୋଭାଯାତ୍ରାରେ ଫାଉଣ୍ଡେସନ ପକ୍ଷରୁ ଏକ ସୁସଜ୍ଜିତ ରଥ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା।

ପୁଣେର ଭାରତ-ଭାରତୀ ସଂଗଠନ ଆନୁକୁଲ୍ୟରେ ଏହି ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀର ଆୟୋଜନ ହୋଇଥିଲା। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ହିନ୍ଦୁ ସମ୍ରାଟ୍ ଶିବାଜୀ ମହାରାଜାଙ୍କ ୩୫୦ତମ ରାଜ୍ୟାଭିଷେକ ବର୍ଷ ପାଳନ କରିବା ଲକ୍ଷ୍ୟରେ ଏହି ସମାବେଶ ଆୟୋଜିତ ହୋଇଥିଲା।

ଏହି ଶୋଭାଯାତ୍ରାରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ବିଶେଷ ଭାବେ ପ୍ରଦର୍ଶିତ କରାଯାଇଥିଲା। ଏହାସହ ଓଡ଼ିଶାର ଅନ୍ୟାନ୍ୟ ସାଂସ୍କୃତିକ ବୈଭବକୁ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା।

ଏହି ସମାବେଶରେ ବିଭିନ୍ନ ରାଜ୍ୟର ଲୋକେ ଅଂଶଗ୍ରହଣ କରି ନିଜର ସଂସ୍କୃତିକୁ ପ୍ରଦର୍ଶିତ କରିଥିଲେ। ଏଥିରେ ହୋଇଥିବା ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ ପାଲଟିଥିଲା, ଯେଉଁଥିରେ ୨୫ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେଇଥିଲା ଏହି ଶୋଭାଯାତ୍ରା।

ପୁଣେର ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷ ଏହି ଶୋଭାଯାତ୍ରା ସାମିଲ ହୋଇଥିଲେ। ଏଥିରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବାରୁ ଆୟୋଜକମାନେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ପ୍ରଶଂସା କରିଥିଲେ।  

Tags: #SpreadHappinessFoundation #NationalUnityandCulturalDiversityProgramme #CultureofOdisha #Pune

Comment