ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣେରେ ସ୍ପ୍ରେଡ ହାପିନେସ୍ ଫାଉଣ୍ଡେସନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଛି। ଓଡ଼ିଶାର ଖଣ୍ଡପଡ଼ାର ବିଧାୟକ ତଥା ‘ସମ୍ବାଦ’ର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୩୦ ଜଣ ସ୍ଵେଚ୍ଛାସେବୀଙ୍କୁ ଉତ୍କଳମଣି ଗୋପବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଠାରେ ସମାଜସେବା ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଗୋପବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାସହ ଏକାଧିକ ହସ୍ପିଟାଲ କର୍ମଚାରୀ ଓ ଏନଜିଓମାନଙ୍କୁ ସେମାନଙ୍କ ସେବା ପାଇଁ ପୁରସ୍କୃତ କରାଯାଇଥିଲା।

“ସାମଜିକ ସଂଗଠନମାନେ ସମାଜର ହିତ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି। ସମାଜ ପ୍ରତି ସମସ୍ତଙ୍କ ହୃଦୟରେ ନିସ୍ୱାର୍ଥ ଭାବନା ଜାଗ୍ରତ ହେବା ଜରୁରୀ। ସବୁ ଲୋକ ଯଦି ଏକାଠି ହୋଇ କାମ କରିବେ ତେବେ କାମ ସହଜ ହେବା ସହ ସମାଜରେ ପରିବର୍ତ୍ତନ ଆସିପାରିବ। ସମସ୍ତେ ନିଜର ତଥା ସଂଗଠନର ଇଚ୍ଛାଶକ୍ତି ଓ ସଦ୍ଭାବନାକୁ ପ୍ରକଟ କରି ସମାଜର ମଙ୍ଗଳ ନିମନ୍ତେ କାମ କରିବା ଆବଶ୍ୟକ”, କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଦେଶାତ୍ମବୋଧକ, ଅଧ୍ୟାତ୍ମିକ ଓ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ କଳାକାରମାନେ ଓଡ଼ିଶୀ, ସମ୍ବଲପୁରୀ, କଥକ, ଲାବଣୀ, ବିହୁ ଓ ଭାରତନାଟ୍ୟମ୍ ଆଦି ନୃତ୍ୟ ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ବରିଷ୍ଠ ରାଜନେତା ଭଗବାନ ଶିଭରାମ ଭୈରାଟ ଏବଂ ପୁଣେର ବିଧାୟକ ରବିନ୍ଦ୍ର ଢାଙ୍ଗେକର ଅତିଥି ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ର, ସମ୍ପାଦକ ଆନନ୍ଦ ମହାପାତ୍ର ଏବଂ ଉପସଭାପତି ବୈଜୟନ୍ତି ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଅନେକ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ଫାଉଣ୍ଡେସନର ଏକାଧିକ ସଦସ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #SpreadHappinessFoundation #PrabasiOdiaSangathan #GopabandhuAward #SocialServices #Pune

Comment