ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣେରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ ପକ୍ଷରୁ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର ପୁନେର ସେନାପତି ବାପତ୍ ରୋଡ଼ଠାରେ ମହିଳାଙ୍କ ବାର୍ଷିକ ଏନସିସି ଶିବିରରେ ଏହାର ଆୟୋଜନ କରାଯାଇଥିଲା। ଏଥିରେ ଏନସିସି ଛାତ୍ରୀ ଓ ଅନ୍ୟ ମହିଳାମାନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ଅବଗତ କରାଯାଇଥିଲା।  

ଏହି କାର୍ଯ୍ୟକ୍ରମରେ ପୁଣେର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବିଜୟା ଚିଞ୍ଚ୍ୱଡେ ଯୋଗ ଦେଇଥିଲେ। ସେ ଏନସିସି ଛାତ୍ରୀଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ଓ ନିରାକରଣ ଉପରେ ଦୃଷ୍ଟିପାତ କରାଇ ଋତୁସ୍ରାବ ସମୟରେ କିପରି ଯତ୍ନଶୀଳ ହୋଇ ନିଜକୁ ସୁରକ୍ଷିତ ରଖିହେବ ତାହା ବିଷୟରେ ସବିଶେଷ ଆଲୋକପାତ କରିଥିଲେ। ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

“ଆମର ଲକ୍ଷ୍ୟ ହେଉଛି ଛାତ୍ରୀ ଓ ଯୁବ ମହିଳାମାନଙ୍କୁ ଋତୁସ୍ରାବ ଜନିତ ସମସ୍ୟାରୁ ସୁସ୍ଥ ରହିବା ପାଇଁ ଆବଶ୍ୟକ ଜ୍ଞାନ ଦେଇ ସଚେତନତା ସୃଷ୍ଟି କରିବା। ଏଭଳି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ବହୁତ ସହାୟକ ହେବ। ମହିଳାମାନଙ୍କୁ ସଶକ୍ତ କରି ଏକ ବିକଶିତ ସମାଜ ଗଠନ ଦିଗରେ ଫାଉଣ୍ଡେସନ ନିଜର କର୍ତ୍ତବ୍ୟ ଜାରି ରଖିବ”, କହିଛନ୍ତି ସୌମ୍ୟରଞ୍ଜନ ମହାପାତ୍ର।  

କାର୍ଯ୍ୟକ୍ରମରେ ପୁଣେର ବିଭିନ୍ନ ସ୍କୁଲ ଓ କଲେଜର ୨୦୦ ଜଣ ଏନସିସି ଛାତ୍ରୀ ଯୋଗ ଦେଇଥିଲେ। ପୁଣେ ଏନସିସି ଡେପୁଟି କମାଣ୍ଡେଟ୍ ମେଜର ଅଭିନାଶୀ ପଟୱଲ ଏହି ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ପାଇଁ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ।

Tags: #SpreadHappinessFoundation #PrabasiOdiaSangathan #MenstruationAwarenessProgramme #SocialServices #Pune

Comment