ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ରବିବାର ଋତୁସ୍ରାବ ଉପରେ ଏକ ସାମାଜିକ ସଚେତନତା ଶିବିର ଆୟୋଜିତ ହୋଇଛି। ପୁଣେର ଦେହୁରୋଡ୍ ନିକଟସ୍ଥ ବିକାଶନଗର ପ୍ରବାସୀ ବସ୍ତିରେ ଏହାର ଆୟୋଜନ କରାଯାଇଥିଲା। ଏହି ଶିବିରରେ ବସ୍ତିର ମହିଳା ଓ ଝିଅମାନଙ୍କୁ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ଅବଗତ କରାଯାଇଥିଲା।

ନବରାତ୍ରି ଅବସରରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ଅନ୍ୟ ଏକ ମହିଳା ସଂଗଠନ ରାଭେଟ ୱମେନ୍ସ କ୍ଲବର ମିଳିତ ସହଯୋଗରେ ଏହି ଜନସଚେତନତା ଶିବିର ଆୟୋଜିତ ହୋଇଥିଲା। ଏଥିରେ ପ୍ରବାସୀ ବସ୍ତିରେ ରହୁଥିବା ବିଭିନ୍ନ ରାଜ୍ୟର ୨୦୦ରୁ ଅଧିକ ମହିଳାଙ୍କୁ ଋତୁସ୍ରାବ ଜନିତ ଅସୁବିଧାର ନିରାକରଣ ଓ ସ୍ୱଚ୍ଛତା ବିଷୟରେ ସଚେତନ କରାଯାଇଥିଲା।

ଏହି ଶିବିରରେ ବିଶେଷଜ୍ଞ ଡାକ୍ତର ଶିତଲ ଚହ୍ୱାନ ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ଶରୀରର ଯତ୍ନ, ପ୍ରଜନନ କ୍ଷମତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଆଦି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟକୁ ମହିଳାମାନଙ୍କ ଆଗରେ ଉପସ୍ଥାପନ କରିଥିଲେ। ଏଠାରେ ଫାଉଣ୍ଡେସନ ପକ୍ଷରୁ ମହିଳାମାନଙ୍କୁ ସାନିଟାରି ପ୍ୟାଡ୍ ବଣ୍ଟନ କରାଯାଇଥିଲା।

ଅନ୍ୟପଟେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟରଂଜନ ମହାପାତ୍ର ପ୍ରବାସୀ ଲୋକମାନଙ୍କୁ ମହାରାଷ୍ଟ୍ରରେ ଚାଲୁଥିବା ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ବାବଦରେ ଅବଗତ କରାଇଥିଲେ। ସେହି ସବୁ ଯୋଜନାରୁ କିପରି ଫାଇଦା ମିଳିପାରିବ ସେ ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଭେଟ ୱମେନ୍ସ କ୍ଲବର ଅଧ୍ୟକ୍ଷା ନିରୁପମା ମହାନ୍ତି, ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଦସ୍ୟ ପ୍ରଣତୀ ସାବତ, ଦୀପ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଉଭୟ ସଂଗଠନର ଅନେକ ସଦସ୍ୟ ଏହି ଶିବିରରେ ସାମିଲ ହୋଇଥିଲେ।

Tags: #SpreadHappinessFoundation #PrabasiOdiaSangathan #MensurationAwarenessProgramme #SocialServices #Pune   

  

Comment