ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ :କରୋନା ଯୋଗୁଁ ଚଳିତବର୍ଷ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ଆୟୋଜନ ହେବ ଏଥିରେ ଦ୍ୱନ୍ଦ୍ୱ ନାହିଁ। ହେଲେ ମୂର୍ତ୍ତି ଗଢ଼ିବା, ପୂଜା ବିଧି ଅନୁସରଣ କରିବା, ପରଦା ଟାଣିବା ଭଳି ଅନେକ ଗୁଡ଼ିଏ ଦ୍ୱନ୍ଦ୍ୱକୁ ନେଇ ଏବେ କଟକ ସହରର ସମସ୍ତ ପୂଜା କମିଟି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଯଦିଓ ଆଜିର ହାଇକୋର୍ଟଙ୍କ ନିର୍ଦ୍ଦେଶ କିଛି ମାତ୍ରାରେ ଦ୍ୱନ୍ଦ୍ୱ ଦୂର କରିଛି। ଅର୍ଥାତ୍ ଯେଉଁମାନେ ବଡ଼ ମୂର୍ତ୍ତି କରିଛନ୍ତି ସେମାନେ ସେଥିପାଇଁ ଅନୁମତି ନେଇ ପୂଜା କରିପାରିବେ। କିନ୍ତୁ ଯେଉଁମାନେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଛୋଟ ମୂର୍ତ୍ତି ତିଆରି କରିଦେଇଛନ୍ତି ସେମାନେ ସେହି ମୂର୍ତ୍ତିରେ ହିଁ ପୂଜା କରିବେ।କଟକ ପ୍ରସିଦ୍ଧ ଦୁର୍ଗାପୂଜାକୁ ଏଥର କରୋନା ଭୟ ଘାରିଛି। ସ୍ଥିତି ଯାହା ରହିଛି ସାଧାରଣ ଅସାବଧାନତା ପରିସ୍ଥିତିକୁ ସାଂଘାତିକ କରିଦେଇପାରେ। ଏହାକୁ ନେଇ କଟକ ସହରରେ ପୂଜା କମିଟି ମାନେ ମଧ୍ୟ ସତର୍କ ରହିଛନ୍ତି। ସହରରେ ଏମିତି ଅନେକ ପୂଜା କମିଟି ରହିଛନ୍ତି ଯେଉଁମାନେ କୋଭିଡ୍ ନିୟମ ଭିତରେ ଅର୍ଥାତ୍ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ଭିତରେ ଦୁର୍ଗାପୂଜା ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସରକାରୀ ନିୟମ ପୂର୍ବରୁ ସେମାନେ ନିଜ ଆଡୁ ସତର୍କ ହେବାକୁ ନିଷ୍ପତ୍ତି ନେଇଛନ୍ତି।

କଟକ ଚଣ୍ଡିରୋଡ୍‌-ଶେଖ୍‌ବଜାର ପୂଜା କମିଟି ଏଥର ୪ଫୁଟ୍‌ର ମୂର୍ତ୍ତି ତିଆରି କରିଛି। ଆସନ୍ତାକାଲି ଖଡ଼ିଚଢା ଆମାବାସ୍ୟାରେ ମୂର୍ତ୍ତିରେ ଖଡ଼ି ଲାଗି କରାଯିବ। କେବଳ ସେତିକି ନୁହେଁ, ଅଷ୍ଟମୀ ପୂଜାରେ ମଣ୍ଡପରେ ଭିଡ଼ ନକରି ଘରେ ରହି ଅଷ୍ଟମୀ ବ୍ରତ ପାଳନ କରିବାକୁ କୁହାଯିବ। ଏନେଇ ସାହିର ପ୍ରତ୍ୟେକ ଘରକୁ ପୂଜା ପୂର୍ବରୁ ଲିଫ୍‌ଲେଟ୍ ବାଣ୍ଟିବାକୁ ପୂଜା କମିଟି ଯୋଜନା କରିଥିବା ସମ୍ପାଦକ କିଶୋର ବେହେରା କହିଛନ୍ତି।

ସେହିପରି ରାଣୀହାଟ ପୂଜା କମିଟି ମଧ୍ୟ ୪ଫୁଟ୍‌ର ମୂର୍ତ୍ତି ତିଆରି କରିବ। କୌଣସି ପ୍ରକାର ସାଜସଜ୍ଜା କରାଯିବ ନାହିଁ। ସରକାରଙ୍କ ଯାହା ଗାଇଡ୍‌ଲାଇନ୍ ରହିବ ତାହାରି ଭିତରେ ପୂଜା କରାଯିବ। ପୂର୍ବରୁ ଶାନ୍ତି କମିଟି ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ସେଥିରେ ମୂର୍ତ୍ତିରେ ଉଚ୍ଚତା କେତେ ରହିବ ସେ ସଂକ୍ରାନ୍ତରେ କୌଣସି ନିର୍ଦ୍ଦିଷ୍ଟ ପରିମାପ ଦିଆଯାଇନାହିଁ । ତେଣୁ ଆଗକୁ ଯାହା ଗାଇଡ୍‌ଲାଇନ୍ ଆସିବ ତଦନୁସାରେ ଆମେ ପୂଜା କରିବୁ ବୋଲି ପୂଜାକମିଟି ସଭାପତି ବିଜୟ ସାହୁ କହିଛନ୍ତି।

ଚାନ୍ଦିନୀଚୌକ ପୂଜା କମିଟି ବଡ଼ ମୂର୍ତ୍ତି କରିବାକୁ ସ୍ଥିର କରିଛି। ନଡ଼ା ବନ୍ଧା ସରିଥିବା ବେଳେ ଆଜି ଏ ନେଇ ପୂଜା କମିଟି ତରଫରୁ ଲାଲ୍‌ବାଗ୍ ଥାନା ମାଧ୍ୟମରେ ଡିସିପିଙ୍କୁ  ସୂଚନା ଦିଆଯାଇଥିବା ପୂଜା କମିଟି ସଭାପତି ପ୍ରତାପ କିଶୋର ସିଂ କହିଛନ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ପୂଜା କମିଟି ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଯଦି କୋଭିଡ୍ ନିୟମ ଭିତରେ ସୁଯୋଗ ମିଳେ ଅଷ୍ଟମୀ ପୂଜା ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।ସେହିପରି ମଙ୍ଗଳାବାଗ୍ ଦୁର୍ଗା ପୂଜା କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍‌କୁ ଅନୁସରଣ କରି ଆମେ ପୂଜା ଆୟୋଜନ କରିବୁ। ଅନ୍ୟପଟେ ଖାନ୍‌ନଗର ଶିଳ୍ପାଞ୍ଚଳ ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁଙ୍କୁ କହିବାନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଜି ଆସିଛି। ଆମ ମୂର୍ତ୍ତି ଏବେ ସୁଦ୍ଧା ତିଆରି ହୋଇନାହିଁ । ତେଣୁ ଆଗକୁ ଆମେ ଏ ଦିଗରେ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

Comment