ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ବତୀଘର ପଞ୍ଚାୟତ ଅଧୀନରେ ଥିବା ବରକୋଳିଖଳା ଗାଁରୁ ୧୫୦ ଲିଟର ବିଦେଶୀ ମଦ ଜବତ କରିଛି ଜମ୍ବୁ ସାମୂଦ୍ରିକ ଥାନା ପୋଲିସ। ଏହି ଘଟଣାରେ ଚୋରା ମଦ ବ୍ୟବସାୟୀ ହରିପଦ ସାମନ୍ତ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

ବତୀଘର ପଞ୍ଚାୟତର ବରକୋଳିଖଳା ଗାଁ ଚାରିପାଖରେ ନଦୀ ଓ ସମୂଦ୍ର ଘେରି ରହିଛି। ଦୀର୍ଘ ଦିନ ଧରି ଏଠାରେ ହରିପଦ ଚୋରା ମଦ କାରବାର କରିଆସୁଛି। ହରିପଦ ପାରାଦ୍ଵୀପ ଓ ମହାକାଳପଡ଼ା ଅଞ୍ଚଳରୁ ଡଙ୍ଗା ଯୋଗେ ପେଟିପେଟି ମଦ ଆଣି ଏହି ଅଞ୍ଚଳରେ ବିଭିନ୍ନ ଛୋଟ ଚୋରା ବ୍ୟବସାୟୀମାନଙ୍କୁ ମଦ ଯୋଗାଇଥାଏ। ଚୋରାମଦ ବ୍ୟବସାୟ ଜଗିବାକୁ ହରିପଦ ବିଭିନ୍ନ ସ୍ଥାନରେ ଲୋକ ନିଯୁକ୍ତ କରି ଅବାଧରେ ଏହି ଅଞ୍ଚଳରେ ଚୋରାମଦ ବେପାର କରିଥାଏ।ଖବର ପାଇ ଗତକାଲି ଜମ୍ବୁ ସାମୂଦ୍ରିକ ଥାନା ପୋଲିସ ଓ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ମିଳିତ ଚଢ଼ାଉ କରାଯାଇଥିଲା। ଜମ୍ବୁ ପୋଲିସ ପକ୍ଷରୁ ଚୋରାମଦର ମୁଖ୍ୟ ବ୍ୟବସାୟୀ ହରିପଦ ସାମନ୍ତ ଘର ଉପରେ ଚଢ଼ାଉ କରାଯିବା ସହ ଅବକାରୀ ବିଭାଗ ପକ୍ଷରୁ ଖୁଚୁରା ମଦ ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ ହୋଇଥିଲା।

ଜମ୍ବୁ ସାମୁଦ୍ରିକ ଥାନା ଆଇଆଇସି ମହେଶ୍ୱର ସେଠିଙ୍କ ସୂଚନା ଅନୁସାରେ ହରିପଦ ଘରେ ପୋଲିସ ଚଢ଼ାଉ କରି ୫୪୯ ବୋତଲ ବିଦେଶୀ ମଦ ଜବତ୍ କରିବା ସହ ହରିପଦକୁ ଗିରଫ କରିଛି। ଏହା ଛଡ଼ା ଅବକାରୀ ବିଭାଗ ଖୁଚୁରା ମଦ ବେପାରୀ ବତୀଘର ଗାଁର ଲାଲୁ ବେରାକୁ ଗିରଫ କରିବା ସହିତ ୨୦ ଲିଟର ଦେଶୀ ମଦ ଓ ପାଉଚ ଜବତ କରିଛି। ସେହିପରି ଦକ୍ଷିଣ ବରକୋଳିଖଳା ଗାଁର ମିନ୍ମୟ ଗିରିକୁ ଗିରଫ କରି ତାଙ୍କ ଘରୁ ଦୁଇପେଟି ଆସ୍କା ଫର୍ଟି , ୬ ଟି ବିୟର ବୋତଲ ସହିତ ୧୦ ବୋତଲ ବିଦେଶୀ ମଦ ଜବତ କରିଛି।ହରିପଦକୁ ଆଜି ଜମ୍ବୁ ସାମୂଦ୍ରିକ ଥାନା ପୋଲିସ କୋର୍ଟ ଚାଲାଣ କରିବ। ଅନ୍ୟପଟେ ଲାଲୁ ବେରା ଓ ମିନ୍ମୟ ଗିରିକୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।

Comment