ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଓଡ଼ିଶାରେ ବନ୍ୟା ବିପର୍ଯ୍ୟୟର ସମୀକ୍ଷା କରିବାକୁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ବୁଧବାର କେନ୍ଦ୍ରାପଡ଼ାର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି। ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜଳ ସମ୍ପଦ ବିଭାଗର ନଦୀବନ୍ଧ, କୃଷି, ଉଦ୍ୟାନ କୃଷି, ପଶୁ ସମ୍ପଦ, ମତ୍ସ୍ୟ ବିଭାଗରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏହି ପ୍ରତିନିଧି ଦଳଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରିବା ପୂର୍ବରୁ ଜଣ୍ଟିଲୋ ଡାକବଙ୍ଗଳାଠାରେ ଏହି ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ସହିତ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏହି ପ୍ରତିନିଧି ଦଳଙ୍କୁ ଜିଲ୍ଲାର ସମସ୍ତ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିଥିଲେ। ଏହି ଆଲୋଚନାରେ ଜିଲ୍ଲାର ଜଳସେଚନ ବିଭାଗ, ତଟବନ୍ଧ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ପ୍ରାଣୀଧନ ବିଭାଗ, ମତ୍ସ୍ୟ ବିଭାଗ ଆଦି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କୁ ଜିଲ୍ଲାର ବନ୍ୟା ବିଭୀଷିକା ସମ୍ପର୍କରେ ଅବଗତ କରିଥିଲେ।ଏହାପରେ ଏହି ଦଳ ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ କୁହାଯାଉଥିବା ଡେରାବିଶ ବ୍ଲକର ବେଣୀପୁର ଘାଇ ଅଞ୍ଚଳ ପରିଦର୍ଶନ କରିଥିଲେ। ଘାଇରେ କ୍ଷତିଗ୍ରସ୍ତ ବେଣୀପୁର ଗାଁ ବୁଲି ଦେଖିବା ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଏହି ଦଳ ଆଳି ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତକରି ମାନପୁରଠାରୁ ଡିମିରିପାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଯାଇଥିଲେ। ଆଳି ଧୋୟା ଅଞ୍ଚଳର ବିସ୍ତୀର୍ଣ୍ଣ ଚାଷ ଜମି ଜଳମଗ୍ନ ହୋଇଥିବା ଆକଳନ କରିଥିଲେ। ଜମିରେ ପ୍ରାୟ ୬ ଫୁଟର ବନ୍ୟାଜଳ ପ୍ରବାହିତ ହୋଇ ଗାଁ ଗଣ୍ଡାର ପ୍ରଭୂତ କ୍ଷତି ଘଟାଇଥିବା ଅବଗତ ହୋଇଥିଲେ।

ଆଳି ବ୍ଲକର କୋଠବୃତ୍ତି ଓ ଅଙ୍ଗାଳୋ ନିକଟରେ ହୋଇଥିବା ଦୁଇଟି ବଡ଼ବଡ଼ ଘାଇ ସମ୍ପର୍କରେ ଆଳି ତଟବନ୍ଧ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ବନ୍ୟାର ଭୟାବହତା ସମ୍ପର୍କରେ ଅବଗତ ହୋଇଥିଲେ। ଏହାଛଡ଼ା ଆଳି ରିଙ୍ଗ ବନ୍ଧରେ ହୋଇଥିବା ୪୦ରୁ ଅଧିକ ଘଳିଆ ସମ୍ପର୍କରେ ଅବଗତ ହୋଇଥିଲେ କେନ୍ଦ୍ରୀୟ ଟିମ୍। ଏହି ରିଙ୍ଗ ବନ୍ଧର ପୁନରୁଉଦ୍ଧାର କରିବାର ଆବଶ୍ୟକତା ସମ୍ପର୍କରେ ତଟବନ୍ଧ ବିଭାଗ ଏହି ପ୍ରତିନିଧି ଦଳଙ୍କୁ ଅବଗତ କରିଥିବା ଆଳି ତଟବନ୍ଧ ବିଭାଗର ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ସୂଚନା ଦେଇଛନ୍ତି।ଜିଲ୍ଲାର ଜଳସମ୍ପଦ ବିଭାଗରେ ମୁଖ୍ୟତଃ ଚିତ୍ରୋତ୍ପଳା ଓ ପାଇକା ନଦୀ ବନ୍ଧରେ ସମସ୍ୟା ସମ୍ପର୍କରେ ଏହି ପ୍ରତିନିଧି ଦଳଙ୍କୁ ଅବଗତ କରାଯାଇଥିବା କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତ ସୂଚନା ଦେଇଛନ୍ତି।

ଗତକାଲି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ଏହି ଦଳରେ ବିହାରର କୃଷି ନିଗମ, କୃଷକ ମଙ୍ଗଳ ଓ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଡକ୍ଟର ବୀରେନ୍ଦ୍ର ସିଂହ, କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥର ନିର୍ବାହୀଯନ୍ତ୍ରୀ ଶାଶ୍ଵତ ମହାପାତ୍ର ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରୋହିତ ଲେଙ୍କା ଓ  ବନ୍ୟା ନିୟନ୍ତ୍ରଣ ଓ  ଅବବାହିକା ପରିଚାଳନା ବିଭାଗର ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ ଉପସ୍ଥିତ ଥିଲେ।ସମୟ ସ୍ଵଳ୍ପତା ଯୋଗୁଁ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରସ୍ତାବିତ ପଟ୍ଟାମୁଣ୍ଡାଇ ବ୍ଲକର ଧୋଇଆ ଅଞ୍ଚଳ ଓ ରାଜକନିକା ବ୍ଲକର ବନ୍ୟାଞ୍ଚଳ ସମେତ ଆଳି ବ୍ଲକର ଡିମିରିପାଳ, ଅରଗଳ, ଦେସାହି, ପାଳିମି, ଏରଡଙ୍ଗ, ପେତପଡ଼ା, ମଧୂସୁଦନପୁର ଅଞ୍ଚଳ ବାଦ ଦେଇ ପୁରୀ ଜିଲ୍ଲା ଗ୍ରସ୍ତରେ ଯାଇଛନ୍ତି।

Comment