ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କରୋନା ମହାମାରୀ ଭଳି ବିପତ୍ତି ସମୟରେ ଓଡ଼ିଶାର ନେତାଙ୍କ ଉପରେ ପୁଣି ଖଣ୍ଡା ଧାର ହୋଇ ଝୁଲିଛି ସିବିଆଇ।

୨ ବର୍ଷର ବ୍ୟବଧାନ ପରେ ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାରେ ପୁଣିଥରେ ତଦନ୍ତ ପାଇଁ ଓଡ଼ିଶାରେ ପହଞ୍ଚିଛି ସିବିଆଇ ଟିମ୍‌। ଶୁକ୍ରବାର ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା-ନରସିଂହପୁର ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର, କଟକ ଓ ଭଦ୍ରକର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସିବିଆଇର ଏଭଳି ଆକସ୍ମିକ ଲେଉଟାଣି ଯୋଗୁ ରାଜନୈତିକ ମହଲରେ ଚଡ଼କ ପଡ଼ିଛି।

ସି-ସୋର୍ ସହ ଦେବୀ ମିଶ୍ରଙ୍କ ଲିଙ୍କ୍ କ’ଣ?

ପିପିପି ମୋଡ୍‌ରେ ଅନେକ ପ୍ରକଳ୍ପ ପାଇଁ ବିଜେଡି ସରକାର ଓ ସି-ସୋର୍ ଗ୍ରୁପ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା। ସେଥିରେ ପର୍ଯ୍ୟଟନ ବିଭାଗର ମଧ୍ୟ ପ୍ରକଳ୍ପ ଥିଲା। ୨୦୦୮-୦୯ରେ ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ସି-ସୋରକୁ ଏହି ପ୍ରକଳ୍ପ ମିଳିଥିଲା। କଟକର ମହାନଦୀରେ ଓ୍ବାଟର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ରେସ୍ତୋରାଁ ପାଇଁ ଚୁକ୍ତି ସହ ସହ ଖୋର୍ଦ୍ଧାରେ ଏକ ପାନ୍ଥ ନିବାସ ପରିଚାଳନା ପାଇଁ ସରକାର ସି-ସୋରକୁ ଅନୁମତି ଦେଇଥିଲେ। ସେହିପରି ଅଟ୍ରି, ରାଣୀପୁର ଝରିଆଲ, ନୃସିଂହନାଥ ହରିଶଙ୍କର ପର୍ଯ୍ୟଟନ ସ୍ଥଳ ପାଇଁ ମଧ୍ୟ ସି-ସୋର୍‌ ସହ ସରକାରଙ୍କ ଚୁକ୍ତି ହୋଇଥିଲା। ସେହି କ୍ରମରେ ସିବିଆଇ ତାଙ୍କୁ ପଚରାଉଚୁରା କରିଛି।

ଚିଟ୍‌ଫଣ୍ଡ: ପୂର୍ବରୁ ସିବିଆଇ ସ୍କାନରରେ ଅନେକ ରାଜନେତା

୨୦୧୬ ଅଗଷ୍ଟରେ ଦେବୀ ମିଶ୍ରଙ୍କ ସହଯୋଗୀ ଦିଲ୍ଲିପ ମିଶ୍ର ଏବଂ କଟକ ଜିଲା ବିଜେଡିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂଙ୍କୁ ସିବିଆଇ ଜେରା କରିଥିଲା। ସି-ସୋର୍ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ୨୦୧୭ ସେପ୍ଟେମ୍ବରରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା ସିବିଆଇ।

ଅତୀତରେ ବାଲେଶ୍ୱରର ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର ଜେନାଙ୍କୁ ମଧ୍ୟ ଚିଟ୍‌ଫଣ୍ଡ ଲିଙ୍କରେ ସିବିଆଇ ଦୁଇଥର ଜେରା କରିଛି। ସି-ସୋର୍‌ ଦୁର୍ନୀତି ମାମଲାରେ ନବୀନ ନିବାସର ଜଣେ ପାୱାରଫୁଲ୍ କର୍ମଚାରୀ ଥିବା ସରୋଜ ସାହୁଙ୍କୁ ୨୦୧୪ ନଭେମ୍ବରରେ ସିବିଆଇ ଜେରା କରିବା ଘଟଣା ସେତେବେଳର ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଥିଲା।

ସେହିପରି ୨୦୧୪ରେ ବିଜେଡିର ତତ୍କାଳୀନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ମୟୂରଭଞ୍ଜର ତତ୍କାଳୀନ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ସିବିଆଇ ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଥିଲା। ସେହିପରି ଏହି ମାମଲାରେ ପୂର୍ବତନ ଭାଜପା ବିଧାୟକ ହିତେଶ ବଗର୍ତ୍ତି ଓ ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ରଜତ ଚୌଧୁରୀ ମଧ୍ୟ ସିବିଆଇ ହାତରେ ଗିରଫ ହୋଇଥିଲେ। ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଜେଡି ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀଙ୍କୁ ମଧ୍ୟ ସିବିଆଇ ନୋଟିସ୍ ମିଳିଥିଲା।

ସି-ସୋର ନାଁରେ ୫୭୮ କୋଟିର ଦୁର୍ନୀତି ଅଭିଯୋଗ

ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି କ୍ରମରେ ଯେଉଁ ୪୪ଟି ସଂସ୍ଥା ନାଁରେ ଜମାକାରୀଙ୍କ ଧନ ହଡ଼ପ କରିବା ଅଭିଯୋଗ ରହିଛି, ସେଥିରୁ ସି-ସୋର୍ ଅନ୍ୟତମ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଘଟଣାର ତଦନ୍ତ କରୁଛି। ସି-ସୋର୍ ଲୋକଙ୍କୁ ସେମାନଙ୍କ ଜମାରାଶି ଉପରେ ୩୬ ପ୍ରତିଶତ ସୁଧ ଦେବାର ପ୍ରଲୋଭନ ଦେଖାଇ ପ୍ରାୟ ୫୭୮ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି। କମ୍ପାନି ଅଧିନିୟମ ଓ ବହୁମୁଖୀ ରାଜ୍ୟ ସମବାୟ ସମିତି ଅଧିନିୟମରେ ପଞ୍ଜୀକୃତ ଏହି ସଂସ୍ଥା ଦ୍ୱାରା ହଜାର ହଜାର ଜମାକାରୀ ଠକେଇର ଶିକାର ହୋଇଥିଲେ।

୨ ବର୍ଷ ପରେ ପୁଣି ସି-ସୋର ଫାଇଲ ଖୋଲିଲା ସିବିଆଇ

ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶ ଓ ସହଯୋଗୀ ଶୁଭଙ୍କର ନାୟକ ଏହି ଠକେଇ ମାମଲାରେ ୨୦୧୪ରୁ ଗିରଫ ହୋଇଛନ୍ତି। ଦୁଇବର୍ଷର ନିରବତା ପରେ ଗତ ଜୁନ୍ ମାସରେ ସିବିଆଇ ସି-ସୋର ଦୁର୍ନୀତି ମାମଲାର ଫାଇଲ ପୁଣିଥରେ ଖୋଲିଥିଲା। ଏହି ଘଟଣାରେ ଶୁଭଙ୍କରଙ୍କୁ ଜେରା କରିଥିଲା ସିବିଆଇ। ତାଙ୍କ ସହ ଅନେକ ଆଇଏଏସ୍‌, ଆଇପିଏସ୍‌, ରାଜନେତା, ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ନେଇ ଖୋଳତାଡ଼ ଚାଲିଛି।

Comment