ଓଡ଼ିଶାଲାଇଭ୍ ବ୍ୟୁରୋ

  • ହରସିମରତଙ୍କ ଇସ୍ତଫା ପରେ ହରିୟାଣାରେ କମ୍ପନ
  • ବିଜେପି ସହଯୋଗୀ ଉପରେ ପ୍ରବଳ ଚାପ
  • ଅକାଳୀ ଦଳର ପଦକ୍ଷେପ ପରେ ଅକଳରେ ଦୁଷ୍ୟନ୍ତ

କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୩ କୃଷି ବିଲକୁ କୃଷକ ବିରୋଧୀ କହିବା ସହ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିରୋମଣି ଅକାଳୀ ଦଳ ନେତ୍ରୀ ହରସିମରତ କୌର ବାଦଲ। ପଞ୍ଜାବରୁ ନିର୍ବାଚିତ ଏହି ସାଂସଦ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ପରେ ହରିୟାଣା ମେଣ୍ଟ ଉପରେ ଚାପ ପଡ଼ିଛି।ହରିୟାଣାରେ ବିଜେପି ଓ ଜେଜେପି ମେଣ୍ଟ ସରକାର ଚାଲିଛି। ଉଭୟ ପଞ୍ଜାବ ଓ ହରିୟାଣାରେ କୃଷକ ଭୋଟ ଉପରେ ରାଜନୈତିକ ଦଳ ନିର୍ଭର କରନ୍ତି। ଯାହା ସପକ୍ଷରେ କୃଷକ, ସେ ସେତେ ଅଧିକ ଭୋଟପାଇବ, ଆଉ ସରକାର ଗଠନ କରିବାର ସେତିକି ସମ୍ଭାବନା ଥାଏ। ତେବେ ବର୍ତ୍ତମାନ କୃଷକ ବିଲକୁ ବିରୋଧର କରି ହରିୟାଣା ଓ ପଞ୍ଜାବରେ ଆନ୍ଦୋଳନ ଚାଲିଥିବା ବେଳେ କୃଷକଙ୍କ ପ୍ରତି ନିଜର ସମର୍ଥନ ଥିବା ଦର୍ଶାଇ ପଦବିରୁ ଇସ୍ତଫା ଦେଇଛନ୍ତି ହରସିମରତ। ହରସିମରତ ଇସ୍ତଫା ଦେବା ପରେ ହରିୟାଣାରେ ବିଜେପିର ସହଯୋଗୀ ଜେଜେପି ଉପରେ ଚାପ ବଢ଼ିବାରେ ଲାଗିଛି। ହରିୟାଣା ଉପମୁଖ୍ୟମନ୍ତ୍ରୀ ତଥା ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କୁ ସମାଲୋଚନା କରିଛି କଂଗ୍ରେସ।

 ହରିୟାଣାର କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା ଟ୍ୱିଟ କରି କହିଛନ୍ତି ଯେ, ଦୁଶ୍ୟନ୍ତ ଆପଣଙ୍କୁ ହରସିମରତଙ୍କ ପଥ ଅନୁସରଣ କରି ଇସ୍ତଫା ଦେବା ଉଚିତ ଥିଲା, କିନ୍ତୁ ଆପଣଙ୍କୁ ଆପଣଙ୍କ ଉପମୁଖ୍ୟମନ୍ତ୍ରୀ ପଦ ଅଧିକ ପ୍ରିୟ।

ପଞ୍ଜାବର ଶିରୋମଣି ଅକାଳି ଦଳ ଓ ପଞ୍ଜାବର ଜେଜେପି ମଧ୍ୟରେ ଅନେକ ସାମଞ୍ଜସ୍ୟ ଅଛି। ରାଜନୀତି ଦୃଷ୍ଟିରୁ ଉଭୟଙ୍କର ଆଦର୍ଶ ଓ ଏକ ପ୍ରକାର ଭିତ୍ତିଭୂମିକୁ ଆଧାର କରି ଦୁଇ ଦଳର ଗଠନ ହୋଇଛି। ଗ୍ରାମାଞ୍ଚଳରେ ବିଶେଷ କରି କୃଷକମାନଙ୍କ କ୍ଷେତ୍ରରେ ଉଭୟ ଦଳର ବେଶ ଭଲ ପ୍ରଭାବ ରହିଛି। ଏହାଛଡ଼ା ଉଭୟ ଦଳ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ରହିଛି। ପଞ୍ଜାବର ଅକାଳୀ ଦଳ ନେତା ତଥା ହରସିମରତଙ୍କ ପତି ସୁଖବୀର ବାଦଲ ହରିୟାଣାର ବିଜେପି ଓ ଜେଜେପି ମେଣ୍ଟ ପାଇଁ ଉଦ୍ୟମ କରିଥିଲେ। ଅକାଳୀ ଦଳ ପଞ୍ଜାବରେ ଚାଷୀମାନଙ୍କ ପାଇଁ ମନ୍ତ୍ରୀପଦ ଛାଡ଼ିସାରିଥିବା ବେଳେ ଏବେ ଜେଜେପି ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଅକାଳୀ ଦଳ ଚାଷୀମାନଙ୍କୁ ସନ୍ତୁଷ୍ଟ କରିସାରିଥିବା ବେଳେ, ଜେଜେପି ବିରୋଧରେ ଚାଷୀ ଅସନ୍ତୋଷ ବଢ଼ିଲେ ଭୋଟ୍ ବ୍ୟାଙ୍କ ବିପର୍ଯ୍ୟସ୍ତ ହେବ ବୋଲି ଜେଜେପି ଆକଳନ କରିସାରିଲାଣି।

ଗତ ୧୦ ତାରିଖରେ କୃଷିବିଲକୁ ବିରୋଧ କରି କୁରୁକ୍ଷେତ୍ରରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ପୁଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା। ଏହାକୁ ନେଇ ମଧ୍ୟ ଅକଳରେ ପଡ଼ିଯାଇଛି ଜେଜେପି। ପୁଲିସ ଲାଠି ଚାର୍ଜ ଯୋଗୁ ବହୁ ଚାଷୀ ଗୁରୁତର ଆହତ ହୋଇଥିବା  ଅଭିଯୋଗ ହୋଇଛି। ଏ ଘଟଣା ପରେ ଜେଜେପିର ବିଧାୟକମାନେ ମଧ୍ୟ ଦୁଷ୍ୟନ୍ତଙ୍କୁ ସନ୍ଦେହ କରିବା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।ଏପରିକି ସେମାନଙ୍କ ମଧ୍ୟରୁ ଦେବେନ୍ଦର ବାବଲି ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଅନ୍ୟ ଜଣେ ବିଧାୟକ ରାମ କୁମାର ଗୌତମ ମଧ୍ୟ ଦୁଷ୍ୟନ୍ତଙ୍କ ବିରୋଧରେ ସ୍ୱର ଉଠାଇସାରିଛନ୍ତି। କୃଷକମାନଙ୍କ ଉପରେ ଲାଠି ଚାର୍ଜ ଘଟଣାର ତଦନ୍ତ ହେବ ବୋଲି କହୁଥିବା ବେଳେ ସେପଟେ ଗୃହମନ୍ତ୍ରୀ କୌଣସି ଲାଠି ଚାର୍ଜ ହୋଇନି ବୋଲି କହିବା ପରେ ଦୁଷ୍ୟନ୍ତ ବେଶୀ ଅଡୁଆରେ ପଡ଼ିଯାଇଛନ୍ତି। ଚାଷୀ ଆନ୍ଦୋଳନକୁ ନେଇ ବ୍ୟାକ ଫୁଟରେ ପଡ଼ିଯାଇଥିବା ଜେଜେପି କୌଣସି ମୂହୁର୍ତ୍ତରେ ବି କିଛି ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ହେଉଛି।

Comment