ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟେଷ୍ଟ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ କଟକରେ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। କେଉଁ ସ୍ଥାନରେ ପରୀକ୍ଷା ସୁବିଧା ଉପଲବ୍ଧ ହେଉଛି ସେ ସମ୍ପର୍କରେ ଲୋକେ କିଛି ଜାଣି ପାରୁନଥିବା ବେଳେ କେତେବେଳେ ଟେଷ୍ଟ କରାଯାଇପାରିବ ଓ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ମଧ୍ୟ ଲୋକେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ଅବସ୍ଥା ଏମିତି ହୋଇଛି ଯେ କରୋନା ଆକ୍ରାନ୍ତଙ୍କୁ ଦେଖିବା ମାତ୍ରେ ହସ୍ପିଟାଲ ଓ ଲ୍ୟାବଗୁଡ଼ିକ ଦାମ ବଢ଼ାଇ ଦେଉଛନ୍ତି।

କରୋନା ପରୀକ୍ଷାକୁ ଅଧିକ ସୁବିଧାଜନକ କରିବା ପାଇଁ ଘରୋଇ ହସ୍ପିଟାଲ, ନର୍ସିଙ୍ଗ ହୋମ ଓ ପାଥୋଲ୍ୟାବ ବି ଟେଷ୍ଟିଂ କରିପାରିବେ ବୋଲି ଓଡ଼ିଶା ସରକାର କିଛି ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ। ରାପିଡ୍ ଆଣ୍ଟିଜେନ ଓ ଆର୍‌ଟି ପିସିଆର ଉଭୟ ଟେଷ୍ଟ ସେମାନେ କରିପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଥିଲା। କିନ୍ତୁ ଏ ସବୁ ଲୋକଙ୍କ ପାଇଁ ଏବେବି ଅପହଞ୍ଚ ଇଲାକା ହୋଇ ରହିଛି।ଗତ ୧୫ ତାରିଖରେ ଚୌଦ୍ୱାରର ଜଣେ ୫୫ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ନିଜ ପରୀକ୍ଷା କରିବା ପାଇଁ ଚାହିଁଲେ। ଯାବତୀୟ ଉଦ୍ୟମ ସତ୍ତ୍ୱେ ସେ ଜାଣିପାରିଲେ ନାହିଁ କେଉଁଠି ଠିକ ଟେଷ୍ଟ ହୋଇପାରିବ। ତାପରେ ସେ ଜଣେ ବ୍ରୋକରଙ୍କ ସମ୍ପର୍କରେ ଆସିବା ପରେ ମଙ୍ଗଳାବାଗରେ ଥିବା ଏକ ଘରୋଇ ନର୍ସିଙ୍ଗ ହୋମକୁ ତାଙ୍କୁ ନିଆଯାଇଥିଲା। ସେ ଯେତେବେଳେ ଆର୍‌ଟି ପିସିଆର ଟେଷ୍ଟ କରିବା ପାଇଁ ଚାହିଁଲେ ତାଙ୍କୁ ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ କୁହାଗଲା କାରଣ ଆରଟି ପିସିଆର କିଟ୍ ଶେଷ ହୋଇଯାଇଥିଲା।

ଉକ୍ତ ବ୍ୟକ୍ତି ଉଭୟ ପରୀକ୍ଷାର ଦାମ୍ କେତେ ପଚାରିବାରୁ ତାଙ୍କୁ ଆର୍‌ଟି ପିସିଆର ୨୨୦୦ ଟଙ୍କା ଓ ଆଣ୍ଟିଜେନ ଟେଷ୍ଟ ୧୨୦୦ ଟଙ୍କା ପଡ଼ିବ ବୋଲି କୁହାଗଲା। ଅନ୍ୟ ଉପାୟ ନପାଇ ସେ ୧୨୦୦ ଟଙ୍କା ଦେଇ ରାପିଡ ଆଣ୍ଟିଜେନ ଟେଷ୍ଟ କରାଇଲେ। ତାଙ୍କର ପଜିଟିଭ୍ ବାହାରିବା ପରେ ସେ ମନି ରିସିପ୍ଟ ମାଗିଲେ। କିନ୍ତୁ ତାହା ଦିଆଗଲା ନାହିଁ। ସରକାରଙ୍କ ଟେଷ୍ଟିଂ ଦାମ ୪୫୦ ଟଙ୍କା ହୋଇଥିବା ବେଳେ କାହିଁକି ୧୨୦୦ ଟଙ୍କା ନିଆଯାଉଛି ବୋଲି ବ୍ୟକ୍ତିଜଣକ ପ୍ରଶ୍ନ କରିଥିଲେ। କିନ୍ତୁ ନର୍ସିଙ୍ଗ ହୋମ ପକ୍ଷରୁ ତାଙ୍କୁ କୁହାଗଲା ଯେ, ଟେଷ୍ଟିଂ କିଟ୍ ୪୫୦ ଟଙ୍କା। କିନ୍ତୁ ପିପିଇ କିଟ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୨୦୦ ଟଙ୍କା ନିଆଯାଉଛି।କରୋନା ଟେଷ୍ଟ ନେଇ ସ୍ପଷ୍ଟ ସୂଚନା ନଥିବା ହେତୁ ଲୋକେ ଏଭଳି ଅଯଥା ଶୋଷଣ ହେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ତା’ଛଡ଼ା ପରୀକ୍ଷା କରିବାକୁ ସରକାରଙ୍କ ପକ୍ଷରୁ ଯେଉଁ ସବୁ ନିୟମ ଓ କଟକଣା ରହିଛି ସେସବୁକୁ ମାନିବା ପାଇଁ ନର୍ସିଙ୍ଗ ହୋମ ଓ ପାଥୋଲ୍ୟାବକୁ ନିର୍ଦ୍ଦେଶ ଦିଆଯିବା ଉଚିତ। ଏନେଇ ବ୍ୟାପକ ପ୍ରଚାର ହେବା ଉଚିତ ବୋଲି କଟକର କିଛି ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।

Comment