ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ମାଣପଡ଼ା ଗାଁର ପ୍ରମିଳା ନାଥ ଓ ତାଙ୍କ ଝିଅ ବଡ଼ ଝିଅଙ୍କ ମୃତଦେହ ମିଳିବା ଘଟଣାରେ ଆଜି ନୂଆ ମୋଡ଼ ଆସିଛି। ପ୍ରମିଳାଙ୍କ ବାପଘର ଲୋକେ ତାଙ୍କୁ ହତ୍ୟା କରିଥିବା ପ୍ରମିଳାଙ୍କ ସ୍ଵାମୀ ପତିତପାବନ ନାଥ ଅଭିଯୋଗ କରିଛନ୍ତି। ଏଥିସହ ମାଣପଡ଼ା ଗ୍ରାମବାସୀ ପ୍ରମିଳାଙ୍କ ବାପ ଘର ଲୋକଙ୍କୁ ଗିରଫ କରିବା ଦାବିରେ ଆଜି ରାଜନଗର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।

ଗତକାଲି ପ୍ରମିଳାଙ୍କ ଶବ ହଂସୁଆ ନଦୀର ଗୋବର୍ଦ୍ଧନପୁର ଗାଁ ନିକଟରୁ ମିଳିଥିବା ବେଳେ ତାଙ୍କ ବଡ଼ ଝିଅଙ୍କ ଶବ ମାମୁଁଘର ପୋଖରୀରୁ ଉଦ୍ଧାର ହୋଇଥିଲା। ଏହି ଦୁଇ ହତ୍ୟାକାଣ୍ଡ ଧାର ଟଙ୍କା ଦେଣନେଣକୁ ନେଇ ଘଟିଛି ବୋଲି ମୃତା ପ୍ରମିଳାଙ୍କ ସ୍ଵାମୀ ପତିତପାବନ ନାଥ ଅଭିଯୋଗ କରିଛନ୍ତି।

ଏଥିସହ ତାଙ୍କ ବଡ଼ ଝିଅ ସହିତ ତାଙ୍କ ଶାଳକଙ୍କ ପୁଅର ପାପ ସମ୍ପର୍କ ଥିଲା ଓ ସେ ୮ ମାସର ଗର୍ଭବତୀ ଥିବା ପତିତପାବନ କହିଛନ୍ତି।

ସ୍ତ୍ରୀ ଓ ଝିଅଙ୍କୁ ତାଙ୍କ ଶ୍ଵଶୁରଘର ଲୋକେ ହତ୍ୟାକରି ବିଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିବା ପତିତପାବନ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପତିତପାବନଙ୍କ ଅଭିଯୋଗ ପରେ ତାଙ୍କ ଶ୍ଵଶୁରଘର ପରିବାର ସଦସ୍ୟଙ୍କୁ ଗିରଫ କରିବାକୁ ଦାବି କରି ରାଜନଗର ଥାନା ସମ୍ମୁଖରେ ପତିତପାବନଙ୍କ ସମର୍ଥକ ଓ ଗ୍ରାମବାସୀମାନେ ଗଣଧାରଣା ଦେଇଛନ୍ତି।ଏହି ଘଟଣାରେ ରାଜନଗର ପୋଲିସ ପତିତପାବନଙ୍କ ଶାଳକଙ୍କ ପୁଅ ସଞ୍ଜୟକୁ  ଥାନାକୁ ଆଣି ପଚରାଉଚରା କରୁଛି। ଗତକାଲି ମୃତା ଝିଅଙ୍କ ଶବକୁ ପୋଲିସ ଆଳି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆଜି ତାଙ୍କ ମା’ ପ୍ରମିଳାଙ୍କ ଶବକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ରାଜନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comment