ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ମା’-ଝିଅଙ୍କ ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଞ୍ଚାୟତର ମାଣପଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଉଭୟ ମା-ଝିଅଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଏନେଇ ତଦନ୍ତ କରାଯାଉଥିବା ରାଜନଗର ଥାନା ଅଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି।

ଗତ ଶନିବାର ମାଣପଡ଼ା ଗାଁର ପ୍ରମିଳା ନାଥ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା। ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କିମ୍ବା ତାଙ୍କୁ ମାରିଦିଆ ଯାଇଥିବା ସନ୍ଦେହ କରାଯାଉଥିଲା। ମା’ଙ୍କ ନିଖୋଜ ସମ୍ପର୍କରେ ସମ୍ପର୍କରେ ତାଙ୍କ ବଡ଼ ଝିଅ ରାଜନଗର ଥାନାରେ ଅଭିଯୋଗ କରିଥିଲେ।

କିନ୍ତୁ ଗତକାଲି ସକାଳେ ତାଙ୍କ ଶବ ମାମୁଁଘର ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ମା’ ପ୍ରମିଳାଙ୍କ ଶବ ଗତକାଲି ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ମିଳିଛି। ଏହି ଦୁଇ ଘଟଣାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତା ମହିଳା ପ୍ରମିଳାଙ୍କ ସ୍ଵାମୀ ପତିତପାବନ ନାଥ।

ପତିତପାବନ ମାଣପଡ଼ା ଗାଁରେ ଘରଜ୍ଵାଇଁ ଭାବେ ରହି ଆସୁଥିଲେ। କିନ୍ତୁ ପାରିବାରିକ ବିବାଦ ହେତୁ ପତିତପାବନ ସ୍ତ୍ରୀ ଓ ପିଲାମାନଙ୍କୁ ଶ୍ଵଶୁରଘର ଗାଁରେ ଛାଡ଼ି ନିଜ ଗାଁ ମହାକାଳପଡ଼ାର ବାବର ଗାଁରେ ରହୁଥିଲେ।

ତେବେ ପ୍ରମିଳାଙ୍କ ଭାଇଙ୍କ ପୁଅ ତାଙ୍କଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ବାରମ୍ବାର ମାଗିବା ସତ୍ତଵେ ସେ ପ୍ରମିଳାଙ୍କୁ ଟଙ୍କା ଫେରାଉ ନଥିଲେ। ଏହି ଟଙ୍କା ପାଇଁ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପ୍ରମିଳାଙ୍କ ସ୍ଵାମୀ ପତିତପାବନ ଅଭିଯୋଗ କରିଛନ୍ତି।

ଗତକାଲି ପ୍ରମିଳାଙ୍କ ନିଖୋଜ ହେବାପରେ କିଛି ଦୂରରେ ରହୁଥିବା ପ୍ରମିଳାଙ୍କ ଭାଇଙ୍କ ପୁଅ ପ୍ରମିକାଙ୍କ ଦୁଇଝିଅଙ୍କୁ ନିଜ ଘରକୁ ଡାକି ନେଇ ଆସିଥିଲେ। ରାତିରେ ୨୨ ବର୍ଷିୟା ବଡ଼ ଝିଅ ସତ୍ୟପ୍ରିୟାଙ୍କୁ ମାମୁଁଘର ଲୋକେ ହତ୍ୟା କରି ବାଡ଼ି ପୋଖରୀରେ ଶବ ଲୁଚାଇ ଦେଇଥିବା ଅଭିଯୋଗ କରିଛନ୍ତି ପତିତପାବନ।ଏପରିକି ପତିତପାବନଙ୍କ ଏହି ମୃତା ବଡ଼ ଝିଅ ସହିତ ତାଙ୍କ ଶାଳକଙ୍କ ପୁଅର ପାପ ସମ୍ପର୍କ ହେତୁ ତାଙ୍କ ଝିଅ ୮ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ କରିଛନ୍ତି ପତିତପାବନ।

ଅନ୍ୟପକ୍ଷରେ ରାଜନଗର ଥାନା ଅଧିକାରୀ ତପନ ନାୟକ ଏହି ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା କହିଛନ୍ତି। ଝିଅ ସତ୍ୟପ୍ରିୟାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଳି ଡାକ୍ତରଖାନାକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି। ଗତକାଲି ରାତିରେ ଉଦ୍ଧାର ହୋଇଥିବା ପ୍ରମିଳାଙ୍କ ଶବ ଜବତ ହୋଇଛି।

ଆଜି ତାଙ୍କର ବ୍ୟବଚ୍ଛେଦ କରାଯିବ। ଉଭୟଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ କହିଛନ୍ତି।

Comment