ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନାରୁ ମୁକ୍ତି ପାଇଁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ କଟକଣା ସହ ଲୋକଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ବି କରାଯାଇଛି। କିନ୍ତୁ ଏହି ସୁବିଧା ସୁଯୋଗ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ଓ୍ଵାର୍ଡରେ। ଏହି କେନ୍ଦ୍ରରେ ଏବେ କୁକୁର ବୁଲୁଥିବାବେଳେ ରୋଗୀଙ୍କ ପାଇଁ ଥିବା ବେଡ୍ରେ ଶୋଉଛନ୍ତି। ପ୍ରଶାସନର ଏଭଳି ଅବହେଳା ପାଇଁ ରୋଗୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ୍ ଆଇସୋଲେସନ କେନ୍ଦ୍ରରେ କୋଭିଡ୍ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଏ। ଫିଭର କ୍ଲିନିକରେ କୌଣସି କରୋନା ରୋଗୀଙ୍କୁ ଚିହ୍ନଟ କରାଗଲେ ସେମାନଙ୍କୁ ଏଠାରେ ତତ୍କାଳ ଚିକିତ୍ସା କରାଯାଇ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଏ।କିନ୍ତୁ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏବେ ଏହି ଆଇସୋଲେସନ ଓ୍ଵାର୍ଡକୁ ବୁଲା କୁକୁରମାନେ ଦଖଲ କରିନେଇଛନ୍ତି। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଓ୍ବାର୍ଡରେ ଦୁଇଟି ବେଡ୍ ରହିଛି। କିନ୍ତୁ ଏହି ବେଡ୍ ଉପରେ ୩ଟି ବୁଲା କୁକୁର ଶୋଇଥିବା ବେଳେ ବେଡ୍ ତଳେ ମଧ୍ୟ ତିନିଟି କୁକୁର ଶୋଇଥିବା ଦେଖିବାକୁ ମିଳିଛି।
ଏସବୁ ଅବ୍ୟବସ୍ଥା ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ରୋଗୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଏ ସମ୍ପର୍କରେ ଖବର ମିଳିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡାକ୍ତର ଅନୀତା ପଟ୍ଟନାୟକଙ୍କ ସେହି ଓ୍ଵାର୍ଡକୁ ସେ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏ ସମ୍ପର୍କରେ ଖବରପାଇ ଏସ୍ଡିଏମ୍ଓ ଡାକ୍ତର ଅନୀତା ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।