ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ଶାସକ ବିଜେଡି ପାର୍ଲାମେଣ୍ଟରେ ବିରୋଧ କରିବା ପରେ ଏନେଇ ରାଜନୀତି ଜୋର ଧରିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ବିଲ୍‌କୁ ଅତୀତରେ ଆଖିବୁଜା ସମର୍ଥନ ଦେଇଥିବା ବିଜୁ ଜନତା ଦଳ କିନ୍ତୁ ତିନୋଟି ଯାକ କୃଷି ବିଲ୍‌କୁ ରାଜ୍ୟସଭାରେ ବିରୋଧ କରିଥିଲା। ଏହି ବିରୋଧକୁ ରାଜ୍ୟ ବିଜେପି ନେତାମାନେ ସମାଲୋଚନା କରିବା ସହ ବିଜେଡିକୁ ନିୟନ୍ତ୍ରିତ ବଜାର କମିଟି ଉପରେ ନିୟନ୍ତ୍ରଣ ହରାଇବାର ଭୟ ଘାରିଛି ବୋଲି କହିଛନ୍ତି।

ହେଲେ ବିଜେଡି ନେତାଙ୍କ ଯୁକ୍ତି ହେଉଛି ଯେ ସେମାନଙ୍କ ବିରୋଧ ପଛରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ। ବିଜେଡି ଚାହୁଁଛି ଏହି ସବୁ ବିଲ୍ ନେଇ ସଂସଦରେ ଉପଯୁକ୍ତ ଆଲୋଚନା ହେବା ଦରକାର। ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷା ହେବା ଜରୁରୀ।ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ, ମୋଦୀ ସରକାର ଯେଉଁ ତିନୋଟି ବିଲ୍ ଆଣିଛନ୍ତି ତାହାର ଉଦ୍ଦେଶ୍ୟ ହେଉଛି ଧାନ କିଣା ବେଳେ ମଧ୍ୟସ୍ଥ ଓ ଏଜେଣ୍ଟମାନଙ୍କ ଭୂମିକାକୁ ହ୍ରାସ କରିବା। ଏହି ବିଲ୍‌ଦ୍ୱାରା ଚାଷୀମାନେ ବାସ୍ତବରେ ନ୍ୟୁନତମ ସହାୟକ ମୂଲ୍ୟ ପାଇପାରିବେ। ଏଥିସହ ସେମାନେ ନିକଟସ୍ଥ ମଣ୍ଡିରେ ନିଜ ଉତ୍ପାଦିତ ଫସଲ ବିକ୍ରି କରିପାରିବେ।

ସୁରେଶଙ୍କ କହିବା ଅନୁଯାୟୀ, ରାଜ୍ୟର ନିୟନ୍ତ୍ରିତ ବଜାର କମିଟିଗୁଡ଼ିକ ଉପରେ ବିଜେଡିର ପୂରା ନିୟନ୍ତ୍ରଣ ରହିଛି। ତା’ ଛଡ଼ା ଏହି ଆର୍‌ଏମ୍‌ସିଗୁଡ଼ିକ ହିଁ ସରକାରୀ ବିଭାଗର ସଲାସୁତୁରାରେ ଧାନ ଚାଷୀମାନଙ୍କୁ ସେମାନଙ୍କର ପ୍ରକୃତ ପ୍ରାପ୍ୟରୁ ବଞ୍ଚିତ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ନେତା ଏହି ବିଲ୍‌କୁ ବିରୋଧ କରିବା ପଛରେ ବଡ଼ କାରଣ ହେଉଛି ଚାଷୀମାନଙ୍କଠାରୁ ସେମାନେ ଆଉ ବଟି ଆଦାୟ କରି ପାରିବେ ନାହିଁ।ଅନ୍ୟପଟେ ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି ଯେ, ମୋଦୀ ସରକାର ଯେଉଁ ବିଲ୍ ଆଣିଥିଲେ ସେଥିରେ ଅନେକ ଅସୁବିଧା ଥିଲା। ଏହି ସବୁ ଅସଙ୍ଗତିକୁ ଦୂର କରିବା ପାଇଁ ବିଜେଡି ଏହାର ଆବଶ୍ୟକ ଆଲୋଚନା ଚାହୁଁଥିଲା।ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହରିବଂଶଙ୍କୁ ସମର୍ଥନ ଦେବା ପରେ ପରେ ବିଜେଡି ପକ୍ଷରୁ ଚାଷୀ ବିଲ୍‌କୁ ବିରୋଧ କରାଯାଇଥିଲା। ରାଜ୍ୟସଭାରେ ବିଜେଡିର ୯ ସାଂସଦ ଥିବା ବେଳେ ବିଜେପିର ଜଣେ ସାଂସଦ ଅଛନ୍ତି।

Comment