ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଏନଡିଏ ମେଣ୍ଟରୁ କିଏ ଛାଡ଼ିକି ଗଲେ ଅଟକାଇବାର ନାହିଁ, କିଏ ସାମିଲ ହେବାକୁ ଚାହିଁଲେ ରୋକିବାର ନାହିଁ। ଗତ ୬ ବର୍ଷ ଭିତରେ ବିଜେପିର ନୂଆ ରଣକୌଶଳରେ ଆଞ୍ଚଳିକ ଦଳ ଚାପି ହେଇଯାଉଛନ୍ତି ବୋଲି ଅଭିଯୋଗ ଆସୁଛି। ଏପରିକି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମେଣ୍ଟ ସହଯୋଗୀଙ୍କୁ ବିଜେପି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି। ତେବେ ଏମିତି କାହିଁକି? ରାଜ୍ୟ ସଭାରେ ଏବେ ବି ବିଜେପି ସଂଖ୍ୟା ଗରିଷ୍ଠତାଠାରୁ ଦୂରରେ ତେବେ, ଏମିତି ଏକଲା ଚାଲିବା ଲକ୍ଷ୍ୟ କାହିଁକି। ନା ସହଯୋଗୀଙ୍କ ଅଭିଯୋଗରେ ସତ୍ୟତା ନାହିଁ। ଅନେକଙ୍କ ମନରେ ଏ ଦ୍ୱନ୍ଦ୍ୱ କେବେଠାରୁ ସୃଷ୍ଟି ହୋଇସାରିଛି।PM Modi launches digital health mission

ମନ୍ତ୍ରୀମଣ୍ଡଳରେ ଛୋଟ ଛୋଟ ସହଯୋଗୀଙ୍କୁ ବି ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ହେଲେ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ସମାପ୍ତ ହୋଇନାହିଁ। ପୂର୍ବରୁ ତେଲଗୁଦେଶମ ପାର୍ଟିକୁ ମେଣ୍ଟ ଛାଡ଼ିକି ଯିବା ବେଳେ ଅଟକାଇ ନ ଥିଲା, ବିଜେପି। ଏହା ପରେ ଶିବସେନା ଛାଡ଼ିକି ଯିବା ବେଳେ ମନାଇବା ପାଇଁ ଦଳୀୟ ନେତୃତ୍ୱ ସେତେ ବଡ଼ ଉଦ୍ୟମ କରି ନ ଥିଲେ। ଏବେ ଗତ ସପ୍ତାହରେ ଅକାଳି ଦଳରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ହରସିମରତ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ, ବିଜେପି ଉପରେ ଏହାର ସେମିତି ପ୍ରଭାବ ପଡ଼ିଥିବା ଅନୁଭବ ହୋଇନାହିଁ।

“ଯିବ ଯଦି ଯାଅ ଅଟକାଇବାର ନାହିଁ”, ବ୍ଲାକ ମେଲିଂକୁ ବରଦାସ୍ତ କରିବା ମୁଡ୍‌ରେ ମୋଦୀ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଗତ ୬ ବର୍ଷ ଭିତରେ ଅନେକ ଯିବା ଆସିବା ଲାଗି ରହିଛି ଏନଡିଏ ମେଣ୍ଟରେ। ବିଜେପିର ପ୍ରମୁଖ ୫ ସହଯୋଗୀଙ୍କ ମଧ୍ୟରୁ ତେଲଗୁଦେଶମ ପାର୍ଟି, ଅକାଳି ଦଳ, ଶିବସେନା, ପିଡିପି ଛାଡ଼ିସାରିଛନ୍ତି। ଜେଡିୟୁ ମେଣ୍ଟ ଛାଡ଼ି ଯାଇଥିଲେ ମଧ୍ୟ ବାଧ୍ୟ ହୋଇ ପୁଣି ଫେରିଛନ୍ତି ଏନଡିଏ ଶରଣରେ।

ତେବେ ଏମିତି କାହିଁକି କରୁଛି ବିଜେପି?  କିଛି ଆଞ୍ଚଳିକ ସହଯୋଗୀ ସେମାନଙ୍କ ରାଜ୍ୟରେ ପୂର୍ବ ଚମକ ହରାଇସାରିଛନ୍ତି। ଅନ୍ୟ ପକ୍ଷରେ ବିଜେପି ବିଭିନ୍ନ ରାଜ୍ୟରେ ନିଜର ଭିତ୍ତିଭୂମି ସୁଦୃଢ଼ କରିବାରେ ସଫଳ ହୋଇଛି। ତ୍ରିପୁରାରେ ବାମପନ୍ଥୀ ସରକାରୁ ହଟାଇବା ସହ କଂଗ୍ରେସକୁ ମଧ୍ୟ କଣଠେସା କରିବାରେ ସଫଳ ହୋଇଛି ବିଜେପି। ଆଉ ପଶ୍ଚିମବଙ୍ଗରେ ମଧ୍ୟ ଟିଏମସିର ଏକକ ପ୍ରଭୃତ୍ୱକୁ ଅନେକ ପରିମାଣରେ ହ୍ରାସ କରିବାରେ ସଫଳ ହୋଇଛି ବିଜେପି। ଯଦି ସରକାର ଓଲଟି ଯାଏ ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କହିବାକୁ ଗଲେ ସହଯୋଗୀଙ୍କ ପାଇଁ ବିଜେପି ଯେତିକି ଜରୁରୀ ହେବ, ବିଜେପି ପାଇଁ ସହଯୋଗୀମାନେ ସେତିକି ଆବଶ୍ୟକ ଆସୁନାହାନ୍ତି, ଯାହାର ଫାଇଦା ନେବାରେ ଲାଗିଛି ବିଜେପି।

ଲୋକସଭା ରାଜ୍ୟସଭା ଗଣିତ

୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟକୁ ୩୩୬ ସିଟ୍ ମିଳିଥିବା ବେଳେ ଏକୁଟିଆ ବିଜେପି ଭାଗରେ ରହିଛି ୩୦୩ ଆସନ। ତେଣୁ ଲୋକସଭାରେ କୌଣସି ବିଲ୍ ପାସ୍ କରାଇବା, ବିଜେପି ପକ୍ଷରେ କଷ୍ଟକର ନୁହେଁ। ତେବେ ହଁ ରାଜ୍ୟସଭାରେ କୌଣସି ବିଲ୍ ପାସ୍ କରାଇବା ଏନଡିଏ ମେଣ୍ଟ ପାଇଁ ବି କଷ୍ଟକର। ଏନଡିଏ ପାଖରେ ୧୧୬ ଆସନ ଥିବା ବେଳେ, ଏକୁଟିଆ ବିଜେପି ପାଖରେ ରହିଛି ୮୬ ଆସନ। ୟୁପିଏ ପାଖରେ ୬୦ ଆସନ ରହିଛି। ଆଉ ରାଜ୍ୟସଭାରେ କୌଣସି ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗ କରିବା ପାଇଁ ଅନେକ ଦଳ ଅଛନ୍ତି ଯେଉଁମାନେ ନିକଟ ଅତୀତରେ ବରାବର ସହଯୋଗ କରିଆସିଛନ୍ତି। ବିଜେଡି, ୱାଇଏସଆର କଂଗ୍ରେସ ସେମିତି ଦଳ, ଯିଏ ବିଭିନ୍ନ ସଂକଟ ସମୟରେ ଏନଡିଏକୁ ଉଦ୍ଧାର କରିଛନ୍ତି।

ଏହାଛଡ଼ା ଆଗକୁ ଅନେକ ରାଜ୍ୟରେ ରାଜ୍ୟ ସଭା ଆସନ ଖାଲିହେବାର ଅଛି, ଯେଉଁଥିରେ ବିଜେପି ଅଧୀନକୁ ଅଧିକ ଆସନ ଆସିବାର ଅଛି। ତେଣୁ ସ୍ୱାଭାବିକ ଭାବେ ବିଜେପିର ପଲ୍ଲା ଭାରି ରହିବ। ନଭେମ୍ବରରେ ୧୧ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିରେ ଉତ୍ତରପ୍ରଦେଶରୁ ୧୦ ଓ ଉତ୍ତରାଖଣ୍ଡରୁ ଗୋଟିଏ ଆସନ ଖାଲିପଡ଼ୁଛି। ଏହି ରାଜ୍ୟ ୨ଟିରେ ବିଜେପିର ବିଧାୟକ ସଂଖ୍ୟାକୁ ଦେଖିଲେ ସବୁ ଆସନରେ ବିଜେପି ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।

Comment