ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶହରା ପାଖେଇ ଆସୁଥିବା ବେଳେ କଟକରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ସେ ଲେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନାହିଁ। ହାଇକୋର୍ଟଙ୍କ ରାୟ ଓ ପୋଲିସ କମିସନରେଟଙ୍କ ନିର୍ଦ୍ଦେଶ ଭିତରେ ଛନ୍ଦି ହୋଇ ରହିଛନ୍ତି ଦୁର୍ଗା ପୂଜା କମିଟି। ବୁଧବାର ପୁଣି ଏହି ପ୍ରସଙ୍ଗକୁ ନେଇ ବାଲୁ ବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ୩ଟି ମାମଲା ରୁଜୁ କରାଯାଇଛି। ଏଥିସହିତ ଫିରିଙ୍ଗି ବଜାର ଏବଂ ତଳ ତେଲେଙ୍ଗା ବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ୨ଟି ରିଟ୍ ପିଟିସନ୍ ଦାଖଲ କରିଯାଇଛି।

ଗୋଟିଏ ପଟେ ହାଇକୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିବା ବେଳେ ଅନ୍ୟପଟେ ପୋଲିସ କମିସନରଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ ହୋଇଛି। ଏଥିସହିତ ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିସନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବାଲୁ ବଜାର ପୂଜା କମିଟି ପକ୍ଷରୁ ପିଟିସନ୍ ଦାୟର କରାଯାଇଥିବା ସୂଚନା ମିଳିଛି।

“ଅଗଷ୍ଟ ୩୧ରେ ହାଇକୋର୍ଟ ଆମକୁ କହିଥିଲେ ମୂର୍ତ୍ତି ନିର୍ମାଣ କର। ମଣ୍ଡପ ଭିତରେ ପୂଜା କର। ଭକ୍ତଙ୍କ ଭିଡ଼ ହେବନାହିଁ। ଭସାଣ ଶୋଭାଯାତ୍ରା ବି ହେବନାହିଁ। ମାତ୍ର ମୂର୍ତ୍ତି ୪ ଫୁଟ୍ କି ୧୦ ଫୁଟ୍ ହେବ ସେ ବିଷୟରେ ହାଇକୋର୍ଟ କିଛି କହିନଥିଲେ। ସେହି ଅନୁସାରେ ଆମେ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲୁ”, ବୋଲି କହିଛନ୍ତି ବାଲୁ ବଜାର ଦୁର୍ଗା ପୂଜା କମିଟିର ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ।

କିନ୍ତୁ ଏହାପରେ କମିସନରେଟ ପୋଲିସ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିବ ବୋଲି କହିବା ପରେ କଟକର ସମସ୍ତ ଦୁର୍ଗା ପୂଜା କମିଟି ଦ୍ଵନ୍ଦ୍ଵରେ ପଡ଼ିଥିଲେ। ସେବେଠାରୁ କଟକ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା କେତେ ହେବ ସେ ନେଇ ବିବାଦ ଲାଗି ରହିଛି।

Comment