ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ୟୋୟୋ ଟେଷ୍ଟ’ ବିଷୟରେ ବୁଝାଇଲେ କ୍ରିକେଟର ବିରାଟ କୋହଲି। ଆଜି ‘ଫିଟ୍ ଇଣ୍ଡିଆ’ର ଏକ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ଦେଶର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି ଆଲୋଚନାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ହୋଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିନାୟକ କୋହଲିଙ୍କୁ କହିଥିଲେ, “କ୍ରିକେଟ ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ୟୋୟୋ ଟେଷ୍ଟ କରାଯାଏ ବୋଲି ମୁଁ ଶୁଣିଛି। ତେବେ ଏହି ଟେଷ୍ଟ କ’ଣ ତା ବିଷୟରେ ଆପଣ କିଛି କୁହନ୍ତୁ।”
ମୋଦୀଙ୍କ ପ୍ରଶ୍ନର ଉତ୍ତର ଦେଇ କୋହଲି କହିଥିଲେ ଯେ, ବର୍ତ୍ତମାନ ସମୟରେ ଖେଳାଳିମାନଙ୍କୁ ଫିଟ୍ ରଖିବା ନିହାତି ଦରକାର। ସେଥିପାଇଁ ଏହି ୟୋୟୋ ଟେଷ୍ଟ କରାଯାଉଛି। ଏହାଦ୍ୱାରା ଖେଳାଳିମାନେ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବା ସହିତ ନିଜକୁ ଅଧିକ ସୁସ୍ଥ ରଖିପାରୁଛନ୍ତି।
ଏଥିସହିତ କୋହଲି ଆହୁରି ମଧ୍ୟ କହିଥିଲେ ଯେ, ପୂର୍ବରୁ ଆମେ ଦେଖୁଥିଲେ ଖେଳାଳିମାନେ ଟେଷ୍ଟ ମ୍ୟାଚ୍ ଖେଳିବା ସମୟରେ ହାଲିଆ ହେଉଯାଉଛନ୍ତି। ଉପଯୁକ୍ତ ଫିଟନେସର ଅଭାବ ଯୋଗୁ ଏମିତି ହେଉଥିଲା। ବର୍ତ୍ତମାନ କିନ୍ତୁ ଆମ ଖେଳାଳିମାନେ ବେଶ୍ ଫିଟ୍ ରହୁଛନ୍ତି ବୋଲି କୋହଲି କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନାରେ ମହିଳା ଫୁଟବଲର ଅଫସାନ୍ ଆଶିକ୍, ପାରା ଅଲମ୍ପିକ ସ୍ୱର୍ଣ୍ଣପଦକ ବିଜେତା ଦେବେନ୍ଦ୍ର ଝାଝାରିଆ, ମିଲିଣ୍ଡ ସୋମାନ, ରୁଜୁତା ଦ୍ୱିବେକର ପ୍ରମୁଖ ଅଂଶଗ୍ରହଣ କରିଥିଲେ।


















