ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଓଲା ଡ୍ରାଇଭର ଅପହରଣ ମାମଲାରେ ଗୁରୁବାର କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର ଏକ ସାମ୍ଵାଦିକ ସମ୍ମିଳନୀ କରି ଅଭିଯୁକ୍ତମାନଙ୍କ ପରିଚୟ ପ୍ରଦାନ କରିଛନ୍ତି। ଏହି ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଜିଲ୍ଲାର ଅନେକ ଥାନାରେ ଅପରାଧିକ ମାମଲା ରହିଥିବା ନେଇ ସେ କହିଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଗଳିଦଣ୍ଡା ଗାଁର ଗଣେଶ ସାମନ୍ତରାୟଙ୍କ ପୁଅ ଦୀପୁ ଓରଫ ତ୍ରିଲୋଚନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଡାମରପଙ୍କର ବାଲିପାଟଣା ଗାଁର ନରି ପରିଡାଙ୍କ ପୁଅ ଗୁନୁରୀ ଓରଫ ପରେଶ ପରିଡା ଏବଂ ବିଜୟ ବାଇଙ୍କ ପୁଅ କୁଲୁ ଓରଫ ବିଶ୍ଵଜିତ୍ ବାଇ।ଏମାନଙ୍କଠାରୁ ପୋଲିସ ଦୁଇଟି ଦାମୀ ବାଇକ୍, ଗୋଟିଏ ଦେଶୀ ଗୁଳି ବିହୀନ ବନ୍ଧୁକ, ୫ଟି ମୋବାଇଲ ଫୋନ୍ ସହ ଓଲା ଗାଡ଼ିର ଡ୍ରାଇଭର ଠାରୁ ଲୁଟିନେଇଥିବା ୬ ହଜାର ଟଙ୍କା ଜବତ କରିଛି। ଡକାୟତି ଏବଂ ଅପହରଣ ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ୩୬୪ ଏ, ୩୯୪ ଓ ୨୫ ଆର୍ମସ୍ ଆକ୍ଟରେ ପୋଲିସ ପକ୍ଷରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ବୁଧବାର ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ୍ ଓଲା ଷ୍ଟାଣ୍ଡରୁ କାରଟିଏ ବୁକ୍ କରି ଏହି ଅଭିଯୁକ୍ତମାନେ କେନ୍ଦ୍ରପଡ଼ା ଆସିଥିଲେ। ଅଧା ରାସ୍ତାରେ କାର୍‌ର ଡ୍ରାଇଭରକୁ ବନ୍ଧୁକ ଦେଖାଇ କାର୍‌କୁ ନିଜ ଅକ୍ତିଆରକୁ ନେଇଯାଇଥିଲେ ଯୁବକମାନେ। ଡ୍ରାଇଭରଟି କିଛି ବୁଝିବା ଆଗରୁ ତାକୁ ନିଶା ଇଞ୍ଜେକସନ୍ ଦେଇ ହାତଗୋଡ଼କୁ ଗାମୁଛାରେ ବାନ୍ଧି ତାକୁ ଗାଡ଼ି ଡିକିରେ ପକାଇଦେଲେ। ଏହାପରେ ସେମାନେ ଗାଡି ଚଳାଇ ପଟ୍ଟାମୁଣ୍ଡାଇରେ ପହଞ୍ଚିଥିଲେ। ପଟ୍ଟାମୁଣ୍ଡାଇ ବଜାର ମଧ୍ୟରେ ଏକ ଗହଳି ରାସ୍ତାରେ ଗାଡିର ବେଗ ସ୍ଥିର ହେବାରୁ ଡିକି ଭିତରେ ବନ୍ଧା ହୋଇଥିବା ଡ୍ରାଇଭର କୌଶଳକ୍ରମେ ଡିକି ଖୋଲି ପଦାକୁ ଡେଇଁ ପଡିଥିଲେ।

ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ୪ ଯୁବକମାନଙ୍କ ମଧ୍ୟରୁ ୩ ଜଣକୁ କାବୁ କରିବାରେ ସଫଳ ହୋଇଥିଲା। ଏଥିସହ ଅପହୃତ ଡ୍ରାଇଭରକୁ ପୋଲିସ ଉଦ୍ଧାର କରିଥିଲା। ଘଟଣା ବିଷୟରେ ଖବର ପାଇ ଗାଡ଼ି ମାଲିକ ପଟ୍ଟାମୁଣ୍ଡାଇ ଥାନାରେ ସେହି ଯୁବକମାନଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ଦଫାରେ ମାମଲାରୁଜୁ କରି ସେମାନଙ୍କୁ ଗିରଫ କରିଛି।

Comment