ଓଡ଼ିଶାଲାଇଭ୍ ବ୍ୟୁରୋ

  • ୪ ଦିନ ପରେ ଜଳିଲା ମା-ଝିଅଙ୍କ ଜୁଇ
  • ସତ୍ୟପ୍ରିୟାଙ୍କ ଗର୍ଭରୁ ମିଳିଲା ୮ ମାସର ମୃତ ଶିଶୁକନ୍ୟା
  • ଅଭିଯୁକ୍ତ ସଞ୍ଜୟ ଗିରଫ
  • ସଞ୍ଜୟକୁ କରୋନା, ହୋଇପାରିଲାନି କୋର୍ଟଚାଲାଣ
  • ଖୁବ ଶୀଘ୍ର ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଲା ପ୍ରଶାସନ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମାଣପଡ଼ା ଗାଁରେ ମା-ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଲାଗିରହିଥିବା ଉତ୍ତେଜନା ଆପାତତଃ ଶାନ୍ତ ପଡ଼ିଛି। ମୃତା ପ୍ରମିଳାଙ୍କ ବାପ ଘର ଲୋକଙ୍କୁ ଖୁବ ଶୀଘ୍ର ଗିରଫ କରିବାକୁ ପୋଲିସ ପ୍ରତିଶ୍ରୁତି ଦେବା ପରେ ମାଣପଡ଼ା ଗ୍ରାମବାସୀ ଧାରଣାରୁ ଓହରିଛନ୍ତି। ଏଥିସହ ଦୀର୍ଘ ୪ ଦିନ କାଳ ପଡ଼ି ରହିଥିବା ମା-ଝିଅଙ୍କ ଶବକୁ ଗାଁ ଶ୍ମଶାନରେ ସତ୍କାର କରାଯାଇଛି।

ଦୀର୍ଘ ୪ ଦିନ କାଳ ପଡ଼ିରହିବା ଯୋଗୁଁ ଶବରୁ ପଚା ଗନ୍ଧ ବାହାରୁଥିଲା। ଅନେକଙ୍କ ଘରେ ଚୁଲି ମଧ୍ୟ ଜଳିନଥିଲା। ଗତକାଲି ରାଜନଗର ଥାନା ଆଇଆଇସି ତପନ ନାୟକ, ରାଜନଗର ବିଡିଓ ମନ୍ଦରଧର ନାଥ ଓ ତହସିଲଦାର ମାଣପଡ଼ା ଗାଁକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।

ଅଭିଯୁକ୍ତଙ୍କୁ ୨୪ ଘଣ୍ଟାରେ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଶବ ସଂସ୍କାର କରିବାକୁ ସହମତ ହୋଇଥିଲେ ଗାଁ ଲୋକେ। ଶବ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୧୪ ହଜାର ଟଙ୍କା ଦିଆଯାଇଥିଲା। ଅପରାହ୍ନରେ ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଜଳିଥିଲା ମା-ଝିଅଙ୍କ ଶବ।ଅନ୍ୟପକ୍ଷରେ ଥାନାରେ ଅଟକ ଥିବା ସତ୍ୟପ୍ରିୟାଙ୍କ ମାମୁଁ ପୁଅ ଭାଇ ସଞ୍ଜୟ ବେହେରାକୁ ପୋଲିସ ଗତକାଲି ଗିରଫ କରିଛି। ତାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନର ୩୦୨, ୪୨୦ ଓ ୩୪ ଦଫାରେ ମାମଲା ରୁଜୁ କରିଛି ପୋଲିସ।

ଗତକାଲି କୋର୍ଟଚାଲାଣ କରିବା ପୂର୍ବରୁ ସଞ୍ଜୟର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେଣୁ ତାକୁ କୋର୍ଟଚାଲାଣ କରାଯାଇନାହିଁ। ସଞ୍ଜୟକୁ କେଉଁ କୋଭିଡ୍ କେନ୍ଦ୍ରକୁ ପଠାଯିବ ସେନେଇ କୋର୍ଟଙ୍କ ଅନୁମତି ମାଗିଛି ରାଜନଗର ପୋଲିସ। ଅନ୍ୟପଟେ ସଞ୍ଜୟ କରୋନା ପଜିଟିଭ ଜଣାପଡ଼ିବା ପରେ ତାକୁ ଗିରଫ କରି ଆଣିଥିବା ରାଜନଗର ଥାନାର ୬ ଜଣ କର୍ମଚାରୀ ଏବେ ଚିନ୍ତାରେ ପଡିଛନ୍ତି।

ସଞ୍ଜୟଠାରୁ ଏମାନେ ସଂକ୍ରମିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ପୋଲିସ କର୍ମଚାରୀମାନଙ୍କର ଡାକ୍ତରୀ ପରୀକ୍ଷା ହୋଇନାହିଁ ବୋଲି ରାଜନଗର ଥାନା ଅଧିକାରୀ କହିଛନ୍ତି। ଏବେ ରାଜନଗର ଥାନାର ୧୩ ଜଣ କର୍ମଚାରୀ କରୋନା ପୀଡ଼ିତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି।

ଗତ ୧୯ ତାରିଖରେ ମାଣପଡ଼ାର ପ୍ରମିଳା ନାଥ ନିଖୋଜ ହୋଇଯାଇଥିଲେ। ଏହା ପରଦିନ ସକାଳୁ ପ୍ରମିଳାଙ୍କ ବଡ଼ ଝିଅ ସତ୍ୟପ୍ରିୟାଙ୍କ ମୃତଦେହ ତାଙ୍କ ମାମୁଁ ଅଜାମ୍ବର ବେହେରାଙ୍କ ବାଡ଼ି ପୋଖରୀରୁ ମିଳିଥିଲା। ସତ୍ୟପ୍ରିୟାଙ୍କ ଶବ ବ୍ୟବଚ୍ଛେଦ ହେବାବେଳେ ତାଙ୍କ ଗର୍ଭରୁ ୮ ମାସର ଏକ ଶିଶୁକନ୍ୟା ମିଳିଥିଲା। ସେହିଦିନ ରାତିରେ ସତ୍ୟପ୍ରିୟାଙ୍କ ମା’ ପ୍ରମିଳାଙ୍କ ମୃତଦେହ ହଂସୁଆ ନଦୀର ଗୋବର୍ଦ୍ଧନପୁର ଗାଁ ନିକଟରୁ ମିଳିଥିଲା।

ମା’ ଓ ଝିଅଙ୍କର ମୃତ୍ୟୁକୁ ନେଇ ସତ୍ୟପ୍ରିୟାଙ୍କ ବାପା ପତିତପାବନ ତାଙ୍କ ଶାଳକ, ଶାଳକଙ୍କ ପୁଅ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ଶାଳକଙ୍କ ପୁଅ ସଞ୍ଜୟ ବେହେରା ତାଙ୍କ ପତ୍ନୀ ପ୍ରମିଳାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଠକି ନେଇଯିବା ଓ ତାଙ୍କ ଝିଅ ସତ୍ୟପ୍ରିୟାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ପତିତପାବନ ଅଭିଯୋଗ କରିଥିଲେ।କିନ୍ତୁ ପୋଲିସ କେବଳ ଅଭିଯୁକ୍ତ ସଞ୍ଜୟକୁ ଅଟକ ରଖି ଆଉ କୌଣସି ପଦକ୍ଷେପ ନେଉ ନଥିବାରୁ ମାଣପଡ଼ା ଗ୍ରାମବାସୀ ଓ ପତିତପାବନଙ୍କ ପରିବାର ସଦସ୍ୟ ଥାନାରେ ଧାରଣା ଦେଇଥିଲେ। ପୋଲିସ ଗ୍ରାମବାସୀମାନଙ୍କୁ ବୁଝାଇ ଗାଁକୁ ଫେରାଇ ଦେଇଥିଲା।

ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁ ଲୋକେ ମା-ଝିଅଙ୍କ ଶବକୁ ଅଭିଯୁକ୍ତଙ୍କ ଘର ବାରଣ୍ଡାରେ ରଖି ଧାରଣା ଦେଇଥିଲେ। ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ ନକରିବା ପର୍ଯ୍ୟନ୍ତ ଶବ ସଂସ୍କାର କରାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ।

Comment