ଓଡ଼ିଶାଲାଇଭ୍ ବ୍ୟୁରୋ

କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ କବି। ନଅଙ୍କ ଦୁର୍ଭିକ୍ଷ(୧୮୬୬) ପରେ ପାଶ୍ଚାତ୍ୟ ଶିକ୍ଷା-ସାହିତ୍ୟ-ସଂସ୍କୃତିର ଅନୁପ୍ରେରଣାରେ ଓଡ଼ିଆ ସାହିତ୍ୟରେ ଯେଉଁ ନବ ଯୁଗର ଆବିର୍ଭାବ ଘଟିଥିଲା, ରାଧାନାଥ ଥିଲେ ସେହି ନବଯୁଗର ଆଦ୍ୟ ସ୍ରଷ୍ଟା।

୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ପାଖ କେଦାରପୁର ଗ୍ରାମରେ ରାଧାନାଥଙ୍କର ଜନ୍ମ। ପିଲାଟି ବେଳୁ ଶାରୀରିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିଲେ ରାଧାନାଥ। ବାଲ୍ୟ କାଳରୁ ହିଁ ସେ ତାଙ୍କ ମା’ଙ୍କୁ ହରାଇଥିଲେ। ଶାରୀରିକ ଅସୁସ୍ଥତା ତାଙ୍କ ପାଠପଢ଼ାର ଇଚ୍ଛାକୁ କେବେ ଅଟକାଇ ପାରିନଥିଲା।

ରାଧାନାଥ ସେ ସମୟରେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ। ତତ୍କାଳୀନ ପରିପ୍ରେକ୍ଷୀରେ ତାହା ହିଁ ଥିଲା ସର୍ବୋଚ୍ଚ ଶିକ୍ଷା। ରାଧନାଥଙ୍କର ବ୍ୟୁତ୍ପତ୍ତି ଯଥାର୍ଥରେ ଥିଲା ଅସାଧାରଣ। ଶିକ୍ଷା ବିଭାଗରେ ଜଣେ ଶିକ୍ଷକ ଭାବେ ଯୋଗଦେଇ ଜୀବନ କାଳ ଭିତରେ ସେ ସଂପୃକ୍ତ ବିଭାଗର ସର୍ବୋଚ୍ଚ ପଦକୁ ଉନ୍ନୀତ ହୋଇଥିଲେ।

ସେ ପ୍ରଥମେ ବଙ୍ଗଳାରେ ସାହିତ୍ୟ ସାଧନା ଆରମ୍ଭ କରିଥିଲେ। ପରେ ବିଶିଷ୍ଟ ଶିକ୍ଷାବିତ୍ ଭୂଦେବ ମୁଖୋପାଧ୍ୟାୟଙ୍କ ପରାମର୍ଶ କ୍ରମେ ସେ ବଙ୍ଗଳା ଛାଡ଼ି ଓଡ଼ିଆ ଭାଷାକୁ ନିଜର ଭାବପ୍ରକାଶର ମାଧ୍ୟମଭାବେ ଗ୍ରହଣ କରିଥିଲେ।

ବିଶିଷ୍ଟ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟଙ୍କ ଭାଷାରେ ସେ ଥିଲେ,’ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ’। ଏପରି କୁହାଯିବାର ଯଥାର୍ଥତା ହେଉଛି ରାଧାନାଥ ଓଡ଼ିଆ ସାହିତ୍ୟରେ ନବଜାଗରଣ ଆଣିଥିଲେ। ପାଶ୍ଚାତ୍ୟ ସାହିତ୍ୟ ସହ ଓଡ଼ିଆ ସାହିତ୍ୟର ମହାମିଳନ କରାଇଥିଲେ ରାଧାନାଥ।

ରୋମାଣ୍ଟିକ୍, ମିଥ୍, ଟ୍ରାଜେଡି ଭଳି ପାଶ୍ଚାତ୍ୟ ସାହିତ୍ୟର ଅଂଶକୁ ନେଇ ଓଡ଼ିଆ ସାହିତ୍ୟ ରଚନାରେ ସେ କରିପାରିଥିଲେ ମୂଳମନ୍ତ୍ର। ଓଡ଼ିଆ ଗଦ୍ୟରେ ‘ବିବେକୀ’ ଲେଖି ସେ ଯଶସ୍ଵୀ ହୋଇଛନ୍ତି। ‘ବିବେକୀ’କୁ ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ବୋଲି କୁହାଯାଏ।ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିବର ରାଧାନାଥ ରାୟଙ୍କର ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

“ଓଡ଼ିଆ ସାହିତ୍ୟର ପ୍ରତ୍ୟେକଟି ବିଭାଗ ପ୍ରତି ଦୃଷ୍ଟି ଦେଇଥିଲେ କବିବର ରାଧାନାଥ ରାୟ। ତାଙ୍କର ସୌନ୍ଦର୍ଯ୍ୟବୋଧ, ହୃଦପ୍ରାଣ, ଚିନ୍ତା ଚେତନା ଓଡ଼ିଆ କାବ୍ୟ ପରମ୍ପରାକୁ ନୂତନ ଦିଗଦର୍ଶନ ଦେଇଥିଲା। ଓଡ଼ିଶାର ମାଟି, ପାଣି, ପବନ ସହ ସଂପର୍କ ରଖି ସେ ପାଶ୍ଚତ୍ୟ ସାହିତ୍ୟ ରଚନା କରିଛନ୍ତି। କିନ୍ତୁ ତାଙ୍କର ବଡ଼ କଥା ହେଉଛି ପ୍ରକୃତି ଚିତ୍ରଣରେ ନୂତନତା। ପ୍ରକୃତି ଭିତରେ ମାନବିକ ଗୁଣକୁ ଆରୋପ କରିବାରେ ରାଧାନାଥ ହେଉଛନ୍ତି ଓଡ଼ିଶାରେ ପ୍ରଥମ ଏବଂ ଭାରତବର୍ଷର ଜଣେ ଶ୍ରେଷ୍ଠ କବି ଏଥିରେ କିଛି ସନ୍ଦେହ ନାହିଁ”, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

“କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ ପ୍ରତିଭା। ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧି ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମଗ୍ର ଓଡ଼ିଆ ଜାତି ତାଙ୍କ ପ୍ରତି କୃତଜ୍ଞ ରହିଥିବ। ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରଣୟନ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ମଧ୍ୟୟୁଗୀୟ କାବ୍ୟ ପରମ୍ପରାକୁ ଅତିକ୍ରମ କରି ଓଡ଼ିଆ କାବ୍ୟ ରଚନା କ୍ଷେତ୍ରରେ ଆଧୁନିକତାର ସ୍ପର୍ଶ ଦେଇ କବିବର ରାଧାନାଥ ଏକ ବିପ୍ଳବର ସୂତ୍ରପାତ କରିଥିଲେ”, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।

“କବିବର ରାଧାନାଥ ରାୟ ସାବଲୀଳ ଭାଷାରେ ଏବଂ ନୂତନ ଶୈଳୀରେ କବିତା ରଚନା କରୁଥିଲେ। ଓଡ଼ିଶାର ପାଣି ପବନ ସହିତ ସେ ପାଶ୍ଚାତ୍ୟ ଚେତନାକୁ ଏପରି ମିଶାଇ ଦେଇଥିଲେ ଯେ, ଯାହା କେବଳ ରାଧାନାଥ ରାୟ ହିଁ କରିପାରନ୍ତି। ସେ କେଦାରଗୌରୀ କାବ୍ୟ ହେଉ କି ଚନ୍ଦ୍ରଭାଗା କାବ୍ୟ, ସେ ସବୁ ପଶ୍ଚିମ କାବ୍ୟରୁ ଆହରିତ ହୋଇଛି। କିନ୍ତୁ ତାକୁ ଓଡ଼ିଶାର ମାଟି, ପାଣି, ପବନ, ଓଡ଼ିଶାର ଇତିହାସ ଐତିହ୍ୟ ଏବଂ ସଂସ୍କୃତି ସହିତ କବିବର ମିଶାଇ ଦେଇ ରଚନାମାନ କରିଛନ୍ତି। ଏଥିସହିତ ଓଡ଼ିଆ ସାହିତ୍ୟକୁ ବ୍ୟଙ୍ଗଧାରା ମଧ୍ୟ ସେ ପ୍ରଦାନ କରିଛନ୍ତି। ତାଙ୍କ ଦ୍ଵାରା ରଚିତ ଦରବାର କାବ୍ୟ ଏକ ବ୍ୟଙ୍ଗଧର୍ମୀ କାବ୍ୟ। ସବୁଠାରୁ ବଡ଼ କଥା ହେଉଛି ସେପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ କାବ୍ୟର ଯେଉଁ ଶେଷ ପରିଣତି ଥିଲା ଯେ ସୁଖାତ୍ମକ, ମିଳନାତ୍ମକ କିନ୍ତୁ ବିୟୋଗାତ୍ମକ କାବ୍ୟ ଆମକୁ ଭେଟି ଦେଇଛନ୍ତି କବିବର ରାଧାନାଥ ରାୟ। ବହୁ ଭାବରେ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ରାଧାନାଥ। ସେ ଏକ ଧାରାର ପ୍ରବର୍ତ୍ତକ ଏଥିରେ ସନ୍ଦେହ ନାହିଁ”, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

“ବାଲ୍ୟକାଳରୁ ଓଡ଼ିଶାର ଭାଷା, ମାଟି, ପବନ ପ୍ରତି ରାଧାନାଙ୍କର ଥିଲା ଅଦମ୍ୟ ଆକର୍ଷଣ। ଚାକିରି ଜୀବନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲିବାର ସେ ସୁଯୋଗ ପାଇଛନ୍ତି। ଯେଉଁ ସ୍ଥାନ ତାଙ୍କୁ ଆକର୍ଷିତ କରିଛି, ସେଇଠି ସେ ଅଟକି ଯାଇଛନ୍ତି। ମାତ୍ର ଅଟକି ଯାଇନାହିଁ ତାଙ୍କର ଲେଖନୀ। ସେହି ଲେଖନୀ ମୁନରେ ସେହି ସ୍ଥାନର ପ୍ରାକୃତିକ ଶୋଭାକୁ ଆହୁରି ମହିମା ମଣ୍ଡିତ କରିଛନ୍ତି। କାବ୍ୟପୁରୁଷ ରାଧାନାଥ ସୌନ୍ଦର୍ଯ୍ୟ ପରିବେଷଣରେ ଅପୂର୍ବ କଳା ନିପୁଣତାର ପ୍ରଦର୍ଶନ କରିଛନ୍ତି। ରାଧାନାଥଙ୍କ ସାହିତ୍ୟ ଏକ ସାଧାରଣ ସାହିତ୍ୟ ନୁହେଁ ତାହା ଏକ ନୂତନ ସାହିତ୍ୟର ପରିପ୍ରକାଶ। ରାଧାନାଥ ସାଧନ କବିରୁ ପାଲଟିଛନ୍ତି ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା”, କହିଛନ୍ତି ବିଶିଷ୍ଟ ସମାଲୋଚକ ଡକ୍ଟର ଭାଗବତ ପ୍ରସାଦ ଦାସ।

“ରାଧାନାଥ ଥିଲେ ଯୁଗ ସ୍ରଷ୍ଟା, ଯୁଗ ଜ୍ୟୋତି, ପଣ୍ଡିତ ପ୍ରବର ସର୍ବୋପରି କବିବର ଉପାଧି ମଣ୍ଡିତ ଜଣେ ଯୁଗଜନ୍ମା ସାଧକ। ଓଡ଼ିଆ ଭାଷା ସାହିତ୍ୟରେ ସେ ଆଣିଥିଲେ ନବଜାଗରଣ। ଗୋଟିଏ ନିଷ୍ପ୍ରାଣ ଜାତିକୁ କଲେ ସ୍ପନ୍ଦିତ, ଉଦ୍‌ବେଳିତ। ପ୍ରକୃତି, ପ୍ରେମ, ଜାତୀୟତାବୋଧକୁ ନେଇ ତାଙ୍କ ସାହିତ୍ୟ ହେଲା ମାଧୁର୍ଯ୍ୟମଣ୍ଡିତ। ତାଙ୍କ ସାହିତ୍ୟର ଆବରଣ, ଇତିହାସ, କିମ୍ଵଦନ୍ତୀ ଜନଶ୍ରୁତି କିମ୍ଵା ପୌରାଣିକ ଆଖ୍ୟାନ ଭିତ୍ତିରେ ସୀମିତ ନଥିଲା। ବରଂ ସେଥିରେ ପାଶ୍ଚାତ୍ୟ କାହାଣୀ ଭାଗକୁ ଗଭୀର ଅନ୍ତର୍ଦୃଷ୍ଟି ଦେଇ କଲେ ଜୀବନମୁଖୀ ଓ ବାସ୍ତବାୟିତ। ଆଧୁନିକ ଓଡ଼ିଆ ସାହିତ୍ୟର ଉତ୍ସ ସନ୍ଧାନରେ ତାହା ବାରି ହୋଇପଡ଼େ”, କହିଛନ୍ତି ବୋଲି ବିଶିଷ୍ଟ ସମାଲୋଚକ ଡକ୍ଟର ରବୀନ୍ଦ୍ର ବିହାରୀ।

“ଉନବିଂଶ ଶତାଦ୍ଦୀର ଅନ୍ୟତନ ଅନନ୍ୟ ଅସାଧାରଣ ସାରସ୍ଵତ ପ୍ରତିଭାର ଅଧିକାରୀ ହେଉଛନ୍ତି କବିବର ରାଧାନାଥ ରାୟ। ଗୋଟିଏ ଜାତିକୁ ନୂତନ କାବ୍ୟଧାରାରେ ଦୀକ୍ଷିତ ତଥା ଅନୁପ୍ରାଣିତ କରିବାରେ କବିବର ରାଧାନଥ ରାୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ପ୍ରକୃତିର ରୂପକାର କାବ୍ୟପୁରୁଷ ରାଧାନାଥ ସୌନ୍ଦର୍ଯ୍ୟ ପ୍ରଦର୍ଶନରେ ଅପୂର୍ବ କଳା ନୈପୁଣ୍ୟ କରିପାରିଛନ୍ତି। ତାଙ୍କର ଅନନ୍ୟ ସାରସ୍ଵତ ସୃଷ୍ଟି ମାଧ୍ୟମରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅକ୍ଳାନ୍ତ ଉଦ୍ୟମ ସେ କରିଛନ୍ତି”, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

ରାଧନାଥଙ୍କର ରଚନା ମଧ୍ୟରେ ଚନ୍ଦ୍ରଭାଗା, ଚିଲିକା, ମହାଯାତ୍ରା, ଉଷା, ପାର୍ବତୀ, କବିତାବଳୀ, ଦରବାର, କେଦାର ଗୌରୀ, ନନ୍ଦିକେଶ୍ୱରୀ, ଯଯାତି କେଶରୀ ଏବଂ କାଳିଦାସଙ୍କ ‘ମେଘଦୂତ’ର ଓଡ଼ିଆ ଅନୁବାଦ ଆଦି ଅନ୍ୟତମ।

୧୯୦୮ ମସିହାରେ ମାତ୍ର ୬୦ ବର୍ଷ ବୟସରେ କବିବର ରାଧାନାଥ ରାୟଙ୍କର ଦେହାନ୍ତ ହୋଇଥିଲା।

Comment