ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ସହରରେ ଥିବା କାନାରା ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ଜଣେ ପିଓଙ୍କ ଗଳିତ ମୃତଦେହ ତାଙ୍କ ଭଡ଼ାଘରୁ ଉଦ୍ଧାର କରିଛି କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ। ଏହି ବ୍ୟାଙ୍କ କର୍ମଚାରୀ ଜଣଙ୍କ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ ମନହିରା ଗାଁର ଅଖଣ୍ଡ କୁମାର ରଣା ବୋଲି ଜଣାପଡ଼ିଛି।

କେନ୍ଦ୍ରାପଡ଼ା ସହରର କାକଟଠାରେ ଥିବା କାନାରା ବ୍ୟାଙ୍କର ପିଓ ଅଖଣ୍ଡ କୁମାର ରଣା ଗତକାଲି ବ୍ୟାଙ୍କ ନ ଆସିବାରୁ ବ୍ୟାଙ୍କର ଶାଖା ପରିଚାଳକ ତାଙ୍କୁ ଫୋନ କରିଥିଲେ। ଅଖଣ୍ଡଙ୍କ ଫୋନ ବନ୍ଦ ଥିବାରୁ ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କୁ ଶାଖା ପରିଚାଳକ ତାଙ୍କ ବାସଭବନକୁ ପଠାଇଥିଲେ।

ସହରର ଭଗବାନପୁର ଗାଁର ପଦ୍ମନାଭ କରଙ୍କ ଘରେ ରହୁଥିଲେ ଅଖଣ୍ଡ। ତେବେ ଯେଉଁ ରୁମ୍‌ରେ ଅଖଣ୍ଡ ରହୁଥିଲେ ସେହି ରୁମ୍‌ରୁ ପଚା ଗନ୍ଧ ବାହାରୁଥିବାରୁ ଘର ମାଲିକ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିତର ପଟୁ ବନ୍ଦ ଥିବା କବାଟ ଭାଙ୍ଗି ଶବକୁ ଉଦ୍ଧାର କରିଛି। ଅଖଣ୍ଡ ଗତ ଶୁକ୍ରବାର ବ୍ୟାଙ୍କକୁ ଯାଇଥିଲେ। ତେବେ ବ୍ୟାଙ୍କ କର୍ମଚାରୀ ଓ ଅଖଣ୍ଡଙ୍କ ପଡ଼ିଶା ଲୋକେ ଅଖଣ୍ଡଙ୍କୁ ଶୁକ୍ରବାର ପରଠାରୁ ଦେଖିନଥିବା କି ଫୋନରେ ଯୋଗାଯୋଗ କରିନଥିବା କହିଛନ୍ତି।ଅବିବାହିତ ଅଖଣ୍ଡ ପ୍ରେମ ପ୍ରତାରଣା କିମ୍ବା ଅନ୍ୟ କୌଣସି କାରଣରୁ ଆତ୍ମହତ୍ୟା କରିପାରିଥାନ୍ତି ବୋଲି କେତେକ ଲୋକେ ସନ୍ଦେହ କରୁଛନ୍ତି। ନଚେତ୍ କୌଣସି ରୋଗରେ ତାଙ୍କର ମୃତ୍ୟୁ ହୋଇପାରେ ବୋଲି କୁହାଯାଉଛି। ଅଖଣ୍ଡଙ୍କ ଘରକୁ ବ୍ୟାଙ୍କ ପକ୍ଷରୁ ଖବର ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଖବର ଦିଆଯାଇଛି।

ଆଜି ଅଖଣ୍ଡଙ୍କ ଶବ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ଅଖଣ୍ଡଙ୍କ ମୃତ୍ୟୁ ରହସ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

Comment