ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ୨ ଦିନ ପରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଆରମ୍ଭ ହେବ। ହେଲେ ଏ ପର୍ଯ୍ୟନ୍ତ କୌଣସି ମେଣ୍ଟରେ ଆସନ ବୁଝମାଣା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନି। ତେବେ ଏନଡିଏରେ ସବୁଠାରୁ ଅଧିକ ଚାପରେ ଅଛି ବିଜେପି। କାରଣ ଏଲଜେପି ଏମିତି ଦାବି କରୁଛି ଯେ, ବିଜେପି ଶୀର୍ଷ ନେତୃତ୍ୱ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାଛଡ଼ା ଦଳିତ ଭୋଟ ଏକାଠି କରିବା ପାଇଁ ବିଜେପିକୁ ସହଯୋଗ କରିବ ଏଲଜେପି।

ଏହି ଦୃଷ୍ଟିରୁ ଏଲଜେପିକୁ ପୂରା ଛାଡ଼ିବାକୁ ବି ଚାହୁଁନି। ଅପର ପକ୍ଷେ ଜେଡିୟୁ କିନ୍ତୁ ଅପେକ୍ଷାକୃତ ସହଜ ସ୍ଥିତିରେ ଅଛି। ତେବେ ଏଲଜେପି ୪୨ଟି ବିଧାନସଭା ଆସନ ଦାବି କରୁଛି। ଯଦି ଏତିକି ଦେବାକୁ ବିଜେପି ରାଜି ନ ହୁଏ ତେବେ ଦ୍ୱିତୀୟ ବିକଳ୍ପ ମଧ୍ୟ ଦେଇଛି ଏଲଜେପି।

୩୨ଟି ବିଧାନସଭା ସିଟ୍, ୨ଟି ଏମଏଲସି ସିଟ ଏବଂ ଆଗକୁ ଉତ୍ତର ପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦଳ ପାଇଁ ଗୋଟିଏ ଆସନ। ଏଲଜେପିକୁ ୪୨ଟି ଆସନ ଦେଲେ, ବିଜେପି ପାଇଁ ୮୦ରୁ ବି କମ ଆସନ ରହିବ। କାରଣ ଏଲଜେପି ବିଜେପି କୋଟାରୁ ହିଁ ଆସନ ନେବ। ଏନିଡିଏ ସରକାରକୁ ଆସିଲେ ମଧ୍ୟ, ବିଜେପି ପାଖରେ କମ ଆସନ ରହିବାରୁ ସେ ଦୁର୍ବଳ ସ୍ଥିତିରେ ରହିବ। ଏଣୁ ଏତେ ସଂଖ୍ୟାରେ ସିଟ୍ ଦେବାକୁ ଚାହୁଁନି ବିଜେପି। ତେବେ ବିଜେପି ୨୭ଟି ସିଟ୍ ସହ ୨ଟି ଏମଏଲସି ସିଟ୍ ଦେବାକୁ ରାଜିଥିବା ସୂଚନା ମିଳିଛି।

ଏ ସମ୍ପର୍କରେ ବିଚାର କରିବା ପାଇଁ ଏଲଜେପି ମୁଖ୍ୟ ଚିରାଗ ପାଶୱାନ ୨ ଦିନ ସମୟ ମାଗିଛନ୍ତି। ଏଲଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଦି ଏନଡିଏ ସହ ଆସନ ବୁଝାମଣା ହୋଇ ନ ପାରେ ତେବେ ଏଲଜେପି ଏକୁଟିଆ ନିର୍ବାଚନ ଲଢ଼ିବ ବୋଲି ଦ୍ୱିତୀୟ ବିକଳ୍ପ ପ୍ରସ୍ତୁତ କରି ରଖିଛି। ୧୪୩ ଆସନରେ ନିର୍ବାଚନ ଲଢ଼ିବ। ଏମିତି ଯଦି ହୁଏ, ତେବେ ବିଜେପିର କ୍ଷତି ହେଉ କି ନହେଉ କିନ୍ତୁ ଜେଡିୟୁର ସାଂଘାତିକ କ୍ଷତି ହୋଇପାରେ।

କାରଣ ନୀତିଶଙ୍କ କଠୋର ବିରୋଧୀ ଭାବେ ପରିଚିତ ଚିରାଗ ପାଶୱାନ ବିଜେପି ଲଢୁଥିବା ଆସନରେ ହୁଏତ ପ୍ରାର୍ଥୀ ଦେଇ ନ ପାରନ୍ତି, କିନ୍ତୁ ଜେଡିୟୁ ଲଢୁଥିବା ଆସନରେ ନିଶ୍ଚୟ ପ୍ରାର୍ଥୀ ଦେବେ। ଦଳିତ ଭୋଟ, ସଂଖ୍ୟାଲଘୁ ଭୋଟ ହାରଜିତ ସ୍ଥିର କରୁଥିବାରୁ ଜେଡିୟୁ ଏ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଅବଶ୍ୟ ଜେଡିୟୁ ପାଖରେ ମଧ୍ୟ ଦଳିତ  ଭୋଟ ପାଇବାରେ ସହଯୋଗ କରିବା ପାଇଁ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ରହିଛି। କିନ୍ତୁ ଏ ପରିସ୍ଥିତିରେ ହିନ୍ଦୁସ୍ତାନ ଆବାମମୋର୍ଚ୍ଚା ଜେଡିୟୁ ସହ କ’ଣ ମୂଲଚାଲ କରିବ ତାକୁ ନେଇ ମଧ୍ୟ ଜେଡିୟୁର ସମସ୍ୟା ବଢ଼ିପାରେ।

Comment