ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଏବେ ନିଜ ପାଇଁ ଏକ ହିନ୍ଦୁତ୍ୱବାଦୀ ଚିତ୍ର ତିଆରି କରିବାରେ ବ୍ୟସ୍ତ। ବିଜେପିକୁ ହିନ୍ଦୁବିରୋଧୀ କହି ନିଜ ଦଳ ହିନ୍ଦୁଙ୍କ ପାଇଁ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ତଥା ଯୋଜନାର ପ୍ରଚାରରେ ଲାଗିଛି କଂଗ୍ରେସ।

କଂଗ୍ରେସ ଟୁଇଟ୍‌ରେ ହିନ୍ଦୁ ପ୍ରଦର୍ଶନକାରୀଙ୍କୁ ସମବେଦନା, ବିଜେପିକୁ ନିନ୍ଦା

ଆଗକୁ ଥିବା ଦଶହରା ଓ ଦୁର୍ଗାପୂଜା ପାଇଁ ମଧ୍ୟପ୍ରଦେଶରେ ମୂର୍ତ୍ତିର ଉଚ୍ଚତା ୬ ଫୁଟ ଓ ମଣ୍ଡପ ୧୦ ଗୁଣନ ୧୦ ଫୁଟରେ ତିଆରି କରାଯିବାକୁ ସେଠାକାର ବିଜେପି ସରକାର ଗାଇଡ୍‌ଲାଇନ କରିଛନ୍ତି। ଏହାର ପ୍ରତିବାଦରେ ହିନ୍ଦୁ ଅନୁଷ୍ଠାନଗୁଡ଼ିକ ବିରୋଧ ପ୍ରଦର୍ଶନ କରିବା ବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହି ଘଟଣାରେ ହିନ୍ଦୁବାଦୀ ପ୍ରଦର୍ଶନକାରୀଙ୍କ ସପକ୍ଷରେ ରହି ମଧ୍ୟପ୍ରଦେଶ କଂଗ୍ରେସ ବିଜେପି ସରକାରଙ୍କୁ କଡ଼ା ନିନ୍ଦା କରିଥିଲା। ନିଜ ଟୁଇଟ୍‌ରେ କଂଗ୍ରେସ ଏହିପରି ଉଲ୍ଲେଖ କରିଥିଲା, ‘ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କ ଉପରେ ଲାଠି ଚାର୍ଜ, ଶିବରାଜଙ୍କ ଲାଠିରେ ଅନେକ ଗୁରୁତର’। ସେହିପରି ‘ଶିବରାଜ ଜୀ, ମନେ ରଖନ୍ତୁ। ଅଂହକାରୀଙ୍କ ଅନ୍ତ ନିଶ୍ଚିତ।’ ଏଭଳି ମଧ୍ୟ ଟୁଇଟ୍‌ରେ ଲେଖା ରହିଥିଲା।

ନିଜ ପାଇଁ ହିନ୍ଦୁତ୍ୱବାଦୀ ଛବି ତିଆର କରୁଛି

କେବଳ ଏହି ଗୋଟିଏ ଘଟଣା ନୁହେଁ, ଆଉ କେତୋଟି ଘଟଣାକୁ ଅନୁଧ୍ୟାନ କଲେ ମନେହେବ ଯେ ମଧ୍ୟପ୍ରଦେଶ କଂଗ୍ରେସରେ ନିର୍ବାଚନୀ ବିବର୍ତ୍ତନର ଏହା ହେଉଛି ପୂର୍ବାଭାସ। ସେଠାକାର କଂଗ୍ରେସ ହିନ୍ଦୁ ଭୋଟ୍ ବ୍ୟାଙ୍କ ପାଇଁ ଏବେ ନିଜ ଦେହରେ ଗେରୁଆ ରଙ୍ଗ ବୋଳିବା ଆରମ୍ଭ କରିଛି। ୨୦୧୮ ବିଧାନସଭା ନିର୍ବାଚନ ଭଳି ନିକଟ ଭବିଷ୍ୟତରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ଜନତାଙ୍କ ସାମ୍ନାରେ ନିଜର ଏକ ହିନ୍ଦୁତ୍ୱବାଦୀ ଛବି ତିଆରି କରିବାରେ ଲାଗିଛି।

 

ନିଜ ଅମଳରେ ହିନ୍ଦୁଙ୍କ ପାଇଁ କରିଥିବା ଯୋଜନାର ପ୍ରଚାର ଏବେ

ସେପ୍ଟେମ୍ବର ୨୮ରେ ମଧ୍ୟପ୍ରଦେଶ କଂଗ୍ରେସ କରିଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ କମଳନାଥ ମୁଖ୍ୟମନ୍ତ୍ରୀ ଥିବାବେଳେ ପୂଜାରୀମାନଙ୍କ ଭତ୍ତା ହଜାରେ ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। ହନୁମାନଭକ୍ତ କମଳନାଥ ସେମାନଙ୍କ ଭତ୍ତା ୩ ଗୁଣା ବଢ଼ାଇ ନିଜର ଧାର୍ମିକ ଆସ୍ଥା ଓ ଧର୍ମକାମରେ ଲାଗିଥିବା ପୂଜାରୀଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଛନ୍ତି।

ମଧ୍ୟପ୍ରଦେଶକୁ ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ମଧ୍ୟପ୍ରଦେଶ କଂଗ୍ରେସ ନିଜ ସରକାର ସମୟରେ ଉଜ୍ଜୟିନୀ, ଦେୱାସ, ମାଣ୍ଡୁ ଓ ମାହେଶ୍ୱରକୁ ଓମ୍ ସର୍କିଟ୍ ଯୋଜନାରେ ଜରିଆରେ ଯୋଡ଼ିବା ଅଭିଯାନ ଆରମ୍ଭ କରିଥିଲେ।

୨୦୧୮ ନିର୍ବାଚନରେ କଂଗ୍ରେସକୁ କ୍ଷମତା ଦେଇଥିଲା ଏହି କୌଶଳ

୨୦୧୮ ନିର୍ବାଚନ ବେଳେ କଂଗ୍ରେସ ନିଜ ଇସ୍ତାହାରରେ ଏପରି ଅନେକ ଯୋଜନାର ପ୍ରତିଶ୍ରୁତି ଦେଇଥିଲା ଯାହା ଗେରୁଆ ଗୋଷ୍ଠୀଙ୍କୁ ଖୁସି କରିଥିଲା। ସେଥିରେ ନର୍ମଦା ଟ୍ରଷ୍ଟ ଆକ୍ଟ, ଆଧ୍ୟାତ୍ମିକତା ବିଭାଗ ପ୍ରତିଷ୍ଠା, ନୂଆ ସଂସ୍କୃତ ବିଦ୍ୟାଳୟ, ସିପ୍ରା, ତାପ୍ତି, ମନ୍ଦାକିନୀ ନଦୀ ଟ୍ରଷ୍ଟ, ରାମ ବନ ଗମନ ପଥ ନିର୍ମାଣ, ପୂଜାରୀଙ୍କ ଭତ୍ତା ବୃଦ୍ଧି ଭଳି ପ୍ରତିଶ୍ରୁତି ସାମିଲ ଥିଲା।

ବିଜେପି ସବୁବେଳେ କଂଗ୍ରେସକୁ ମୁସଲିମ୍ ସମର୍ଥକ କହୁଥିବା ବେଳେ ସେଥର ନିର୍ବାଚନରେ କଂଗ୍ରେସ ଏହି ଟ୍ୟାଗ୍‌ରୁ ମୁକୁଳି ହିନ୍ଦୁଙ୍କ ପାଇଁ ନାନା ପ୍ରତିଶ୍ରୁତି ଦେଇ ୧୫ ବର୍ଷ ପରେ କ୍ଷମତାକୁ ଫେରିଥିଲା। କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଫଳରେ ଗତ ମାର୍ଚ୍ଚରେ କମଳନାଥ ସରକାରଙ୍କ ପତନ ଘଟିଥିଲା।

ଉପନିର୍ବାଚନ ସ୍ଥିର କରିବ ଶିବରାଜ ସରକାରଙ୍କ ଆୟୁ

ଗତ ୬ ମାସ ହେଲା ମଧ୍ୟପ୍ରଦେଶର ଶାସନ ଭାର ସମ୍ଭାଳିଥିବା ବିଜେପିର ଶିବରାଜ ସିଂ ସରକାର ସହ କଂଗ୍ରେସ ଦଳ ପାଇଁ ଆଗାମୀ ଉପନିର୍ବାଚନ ବେଶ୍ ଗୁରୁତ୍ବ ବହନ କରୁଛି। ୨୮ ନିର୍ବାଚନ ମଣ୍ଡଳୀରେ ଏହି ଉପନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଶିବରାଜ ସିଂ ସରକାରଙ୍କ ଆୟୁ ସ୍ଥିର କରିବ।

ମନ୍ଦିର/ପୂଜାଦି କାର୍ଯ୍ୟରେ ସାମିଲ ହେଉଛନ୍ତି କଂଗ୍ରେସ ନେତା

ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ କଂଗ୍ରେସ ନେତାମାନେ ମନ୍ଦିର/ପୂଜାଦି କାର୍ଯ୍ୟରେ ଯୋଗ ଦେବାକୁ ଭୁଲୁନାହାନ୍ତି। ଗତ ସପ୍ତାହରେ କଂଗ୍ରେସ ଏକ ଫଟୋ ଶେୟାର କରିଥିଲା ଯେଉଁଥିରେ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ମୁଣ୍ଡରେ ଚନ୍ଦନ ତିଳକ ମାରି ପୂଜା କରୁଥିବା ଦେଖିବାକୁ ମିଳିଥିଲା। ସେ କହିଥିଲେ ଯେ ତାଙ୍କ ସରକାର ବେଳେ ଉଜ୍ଜୟିନୀର ମହାକାଳ ମନ୍ଦିରର ବିକାଶ ପାଇଁ ୩୦୦ କୋଟି ଟଙ୍କା ଅନୁଦାନ ଦେବାକୁ କହିଥିଲା।

ବିଜେପି ଗୋଟିଏ ବି ଗୋଶାଳା ଖୋଲିନି: କଂଗ୍ରେସ

କଂଗ୍ରେସ ଆହୁରି ମଧ୍ୟ କହିଛି ଯେ ତାଙ୍କ ଦଳ ସରକାରରେ ଥିବାବେଳେ ଅନେକ ଗୋଶାଳା ତିଆରି କରିଛି। କିନ୍ତୁ ବିଜେପି ଗୋମାତାଙ୍କୁ ସମ୍ମାନ ଦେବାର ଢୋଲ ପିଟି ଗୋଟିଏ ବି ଗୋଶାଳା ଖୋଲି ନ ଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଇନ୍ଦୋରରେ ବିଜେପି କରୋନା ମହାମାରୀ ବେଳେ ଏକ କଳସ ଶୋଭାଯାତ୍ରା ବାହାର କରିବାବେଳେ ପୋଲିସ ତାହାକୁ ଭଣ୍ଡୁର କରିବା ସହ କେତେଜଣ ବିଜେପି ନେତାଙ୍କୁ ଅଟକ ରଖିଥିଲା। ଏହି ଘଟଣାରେ ଦଳ ହିନ୍ଦୁବିରୋଧୀ ବୋଲି ବାର୍ତ୍ତା ନ ଯିବା ପାଇଁ କଂଗ୍ରେସ କ୍ରେଡିଟ୍ କିମ୍ବା ବିରୋଧ କରିବା ଦେଖିବାକୁ ମିଳି ନ ଥିଲା।

ଏହିସବୁ ଘଟଣା ମଧ୍ୟପ୍ରଦେଶ କଂଗ୍ରେସ ନିଜକୁ ଗେରୁଆ ରଙ୍ଗରେ ଢଳଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଲାଣି। ତେବେ ୨୦୧୮ ପରି ମଧ୍ୟ କଂଗ୍ରେସର ଏହି କୌଶଳ ଦଳକୁ ଭବିଷ୍ୟତରେ କ୍ଷମତାସୀନ କରାଇବ କି ନା, ଆଗାମୀ ଉପନିର୍ବାଚନର ଫଳ ତାହାର ପ୍ରାକ୍ ସୂଚନା ଦେବ।

Comment