ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଏବେର ଯୁବପିଢ଼ି ହାଇ ଭୋଲ୍ଟେଜ୍ ନିଶା କବଳରେ। ବଲିଉଡର ଅଭିନେତାଙ୍କ ଠାରୁ ଆରମ୍ଭକରି ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ଏହି ନିଶା କବଳରେ ଛନ୍ଦି ହୋଇଥିବା ବେଳେ ଏହାର ପ୍ରଭାବ ଗାଁ ଗହଳିର ଯୁବପିଢିଙ୍କ ଉପରେ ମଧ୍ୟ ଦେଖିବାକୁ ମିଳୁଛି। କଟକ, ବାଲେଶ୍ଵର, ଭୁବନେଶ୍ଵର ପରେ ଏହି ନିଶା କାରବାରର ପ୍ରଭାବ ଏବେ କେନ୍ଦ୍ରାପଡା ଜିଲ୍ଲାରେ ଆରମ୍ଭ ହୋଇଛି।ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପତ୍ରପୁର ନିକଟରୁ ଏକ ସନ୍ଦିଗ୍ଧ ଯୁବକ ପାଖରୁ ପୋଲିସ ୭ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଏହି ଯୁବକଜଣକ ପଟ୍ଟାମୁଣ୍ଡାଇ ଥାନା ଦକ୍ଷୀଣଦିଆ ଗ୍ରାମର ରମାକାନ୍ତ ଦାସ। ଜବତ୍ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା ବୋଲି ଅନୁମାନ କରାଯାଉଛି। ରମାକାନ୍ତଙ୍କ ନିକଟରୁ ଏକ ମିନି ଇଲୋକ୍ଟ୍ରୋନିକ୍ ଓଜନ ଯନ୍ତ୍ର ମଧ୍ୟ ପୋଲିସ ଉଦ୍ଧାର କରିଛି। ପକେଟରେ ରହିପାରୁଥିବା ଏହି ଯନ୍ତ୍ର ସାହାଯ୍ୟରେ ରମାକାନ୍ତ ଖୁଚୁରାରେ ବ୍ରାଉନସୁଗାର ବିକ୍ରି କରୁଥିଲେ।ରମାକାନ୍ତ ବିରୋଧରେ ପୋଲିସ ୨୧ ଏନ୍‌ଡିପିଏସ୍ ଦଫାରେ ମାମଲା ରୁଜୁକରି ତାଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଏହି ଚୋରା ନିଶାଦ୍ରବ୍ୟ ରମାକାନ୍ତ କେଉଁଠୁ ଆଣୁଥିଲେ ଏବଂ କେଉଁଠି ବିକ୍ରି କରିବାକୁ ଯାଉଥିଲେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନଥିବା ନେଇ ପୋଲିସ ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ସୂଚନା ଦେଇଛନ୍ତି । ଏହା ପରବର୍ତ୍ତୀ ସମୟରେ ତଦନ୍ତ କଲେ ଜଣାପଡିବ ବୋଲି ସେ କହିଛନ୍ତି ।ତେବେ କେନ୍ଦ୍ରାପଡା ଜିଲ୍ଲାରେ ବ୍ରାଉନସୁଗାର ଚୋରା କାରବାର ନୂଆ ନୁହେଁ। ୨୦୧୯ ମସିହାରେ କଟକ ଏକ୍ସାଇଜ୍ ଇଣ୍ଟେଲିଜେନ୍ସ ବ୍ୟୁରୋର ଏକ ଟିମ୍ କେନ୍ଦ୍ରାପଡା ସହରର ଦିଲାରପୁର ନିକଟରୁ ବ୍ରାଉନସୁଗାର ଜବତ୍ କରି ଜଣକୁ ଗିରଫ ମଧ୍ୟ କରିଥିଲେ। ଗିରଫ ହୋଇଥିବା ସେହି ଯୁବକର କହିବା ଅନୁସାରେ ତାର ଟାର୍ଗେଟ ଗ୍ରାହକମାନେ ଥିଲେ ଯୁବକ ଏବଂ କଲେଜ ଛାତ୍ରମାନେ।

Comment