ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋ ୨୦୧୯ ବର୍ଷ ପାଇଁ ଅପରାଧର ଯେଉଁ ରିପୋର୍ଟ ଦେଇଛି, ସେଥିରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ। ଉତ୍ତରପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଝଡ଼ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତିତ ହେବାର କାରଣ ରହିଛି।

ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅପରାଧ ସ୍ଥିତିଜନିତ ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୧୯ ବର୍ଷର ଅପରାଧ ପରିସଂଖ୍ୟାନ ଥିବା ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ବିଧାନସଭାରେ ପ୍ରସଙ୍ଗ କରିଥିଲେ ବିରୋଧୀ। ରିପୋର୍ଟରେ ଓଡ଼ିଶାର ସ୍ଥାନକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଉତ୍ତରପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଝଡ଼ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତିତ ହେବାର କାରଣ ରହିଛି।

ସରକାର ନିଦରେ ଶୋଇଛନ୍ତି : ନରସିଂହ ମିଶ୍ର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓଡ଼ିଶାର ଅପରାଧ ରେକର୍ଡ଼କୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ପୋଲିସ ଡିଜିଙ୍କୁ ଜଣାଇଲେ ମଧ୍ୟ କିଛି ଫଳ ମିଳୁନି। ରାଜ୍ୟ ସରକାର ନିଦରେ ଶୋଇଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ସେ ବଲାଙ୍ଗିରର ଏକ କୋଭିଡ୍ ସେଣ୍ଟରରେ ମହିଳାଙ୍କୁ ଡାକ୍ତରଙ୍କ ଅସଦାଚରଣ କଥା ଉଠାଇବା ସହ ଏ ପ୍ରସଙ୍ଗରେ ସରକାରଙ୍କଠାରୁ ଉତ୍ତର ଲୋଡ଼ିଥିଲେ। ଏହି ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ମହିଳାଙ୍କୁ ଅସଦାଚରଣ ମାମଲାରେ ଓଡ଼ିଶା ଦ୍ୱିତୀୟ

ମହିଳାଙ୍କୁ ଅସଦାଚରଣ ଘଟଣାରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏହିଭଳି ଘଟଣା ଆଇପିସିର ଧାରା ୩୫୪ ଅଧୀନରେ ଆସୁଛି। ୨୦୧୯ରେ ରାଜ୍ୟର ୧୧,୩୧୮ ଜଣ ମହିଳା ଅସଦାଚରଣର ଶିକାର ହୋଇଥିଲେ। ଏଥିରୁ ୨୮୧୮ ଜଣ ପୀଡ଼ିତା ପ୍ରେମ ପ୍ରତ୍ୟାଖାନ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଯାହା ଆଇପିସିର ଧାରା ୩୫୪ବି ଅନ୍ତର୍ଭୁକ୍ତ। ଏହିଭଳି ଅପରାଧ ଓଡ଼ିଶାରେ ସର୍ବାଧିକ। ୨୧୪୯ ସଂଖ୍ୟା ସହ ଉତ୍ତରପ୍ରଦେଶ ଏଥିରେ ଦ୍ୱିତୀୟ ସ୍ଥାନରେ ରହିଛି।

ଓଡ଼ିଶାରେ ୭୬ ପ୍ରତିଶତ ବଢ଼ିଛି ସାଇବର ଅପରାଧ

ସେହିପରି ୨୦୧୮ ତୁଳନାରେ ୨୦୧୯ରେ ସାଇବର ଅପରାଧ ୭୬ ପ୍ରତିଶତ ବଢ଼ି ଓଡ଼ିଶା ଶୀର୍ଷରେ ରହିଛି। ୨୦୧୮ରେ ୮୪୩ଟି ସାଇବର ଅପରାଧ ସମ୍ପର୍କିତ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ତାହା ୧୪୮୫ ରହିଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ, ମହିଳାଙ୍କ ବିରୋଧରେ ଅପରାଧର ପରିମାଣ ବଢ଼ିଛି। ୨୦୧୮ରେ ଏଭଳି ୨୦ ହଜାର ୨୭୪ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ତାହା ବୃଦ୍ଧିପାଇ ୨୩ ହଜାର ୧୮୩ରେ ପହଞ୍ଚିଥିଲା। ମହିଳା (୧୮ ବର୍ଷରୁ ଊର୍ଦ୍ଧ୍ୱ)ଙ୍କୁ ବଳାତ୍କାର ମାମଲାରେ ଓଡ଼ିଶା ଅଷ୍ଟମ ସ୍ଥାନ (୧୩୮୩ଟି ମାମଲା)ରେ ରହିଛି। ନାବାଳିକା ବଳାତ୍କାରରେ ୧୫୦୫ଟି ମାମଲା ସହ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା।

Comment