ଓଡ଼ିଶାଲାଇଭ୍ ବ୍ୟୁରୋ

ବଦାୟୁଁ, ଉନ୍ନାଓ ପରେ ଏବେ ହାଥରସ୍‌ ଓ ବଳରାମପୁରରେ ନାରୀ ଉପରେ ଯେଉଁ ଗଣ ନିର୍ଯାତନାର ଚିତ୍ର ସାମ୍ନାକୁ ଆସିଛି, ତାହା ନିର୍ଭୟା ଘଟଣାକୁ ମଧ୍ୟ ବଳିଯାଇଛି। ଉତ୍ତରପ୍ରଦେଶ କ୍ରମଶଃ ନାରୀମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି। ଦୈନିକ ଏହି ରାଜ୍ୟରେ ୧୨ଟି ଦୁଷ୍କର୍ମ ଘଟୁଥିବା ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋ ସୂଚନା ଦେଇଛି।

ଜଣେ ଦଳିତ ନାବାଳିକାଙ୍କୁ ଠାକୁର ସମ୍ପ୍ରଦାୟର ୪ ଜଣ ଗଣ ଦୁଷ୍କର୍ମ କରିବା ପରେ ତାଙ୍କ ଜିଭ କାଟିନେବା ସହ ମେରୁହାଡ଼ ଭାଙ୍ଗିଦେଇଥିଲେ। ମୁମୂର୍ଷୁ ଅବସ୍ଥାରେ ନାବାଳିକା ଜଣକ ଡାକ୍ତରଖାନାରେ କିଛି ଦିନ ଜୀବନ ମରଣର ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଥିଲେ। ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଏହି ପାଶବିକ ଅତ୍ୟାଚାର ଘଟଣା ଦିଲ୍ଲୀର ନିର୍ଭୟାଠାରୁ ମଧ୍ୟ ବଳିଗଲା। ଏହା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ବଳରାମପୁରରେ ହାଥରସ୍‌ର ପୁନରାବୃତ୍ତି

ହାଥରାସ୍ ଘଟଣା ଶିରୋନାମାରେ ଥିବାବେଳେ ୟୁପିର ବଳରାମପୁରରେ ପୁଣି ସେହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ସେଠାକାର ୨୨ ବର୍ଷୀୟା ଜଣେ ଦଳିତ ଯୁବତୀ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହାପରେ ତାଙ୍କର ଅଣ୍ଟା ଓ ଦୁଇଗୋଡ଼ ଭାଙ୍ଗି ଦିଆଯାଇ ରିକ୍ସାରେ ତାଙ୍କୁ ଘରକୁ ପଠାଇ ଦିଆଗଲା। ଘରେ ପହଞ୍ଚିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହେଲା। ପୀଡ଼ିତା ଜଣକ ମେଧାବୀ ଛାତ୍ରୀ ଥିଲେ ଓ ଚାଷୀମାନଙ୍କୁ ଆଧୁନିକ ଚାଷ ସମ୍ପର୍କରେ ସଚେତନ କରିବା ଭଳି ଅଭିଯାନ ଚଳାଇଥିଲେ। ସେହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ଏନ୍‌ସିଆର୍‌ବିର ଚିନ୍ତାଜନକ ରିପୋର୍ଟ: ୟୁପିରେ ଦୈନିକ ୧୨ ଦୁଷ୍କର୍ମ ଘଟୁଛି

ଉତ୍ତରପ୍ରଦେଶରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ବଦାୟୁଁ, ଉନ୍ନାଓ ଦୁଷ୍କର୍ମ ଘଟଣାରେ ମଧ୍ୟ ଏହି ରାଜ୍ୟ ଜାତୀୟ ଦରବାରରେ ନିନ୍ଦିତ ହୋଇଛି। ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋର ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ପ୍ରତ୍ୟେକ ଦିନ ହାରାହାରି ୧୨ଟି ଦୁଷ୍କର୍ମ ଓ ଅସଦାଚରଣ ଘଟଣା ଘଟୁଛି। ରାଜ୍ୟରେ ମହିଳାଙ୍କୁ ନିର୍ଯାତନା ଘଟଣା ୨୦୧୭ରେ ୫୬ ହଜାର ୧୧, ୨୦୧୮ରେ ୫୯ ହଜାର ୪୪୫ ଏବଂ ୨୦୧୯ରେ ୫୯ ହଜାର ୮୫୩ ରହିଛି। ଏହା ସୂଚାଉଛି ଯେ ୟୁପିରେ ମହିଳାଙ୍କ ବିରୋଧରେ ଅପରାଧ କ୍ରମଶଃ ବଢୁଛି। ପୋକ୍ସୋ ଆଇନ ଅଧୀନ ନାବାଳିକା ଶିଶୁକନ୍ୟାଙ୍କ ବିରୋଧରେ ଅପରାଧ କ୍ରମରେ ୟୁପିରେ ସର୍ବାଧିକ ୭ ହଜାର ୪୪୪ଟି ମାମଲା ରେକର୍ଡ଼ ହୋଇଛି।

ରାଜନୀତି ତାତି: ଯୋଗୀ ସରକାର ବିରୋଧୀ ସ୍ୱର ତେଜିଲା

ଏହି ଘଟଣା ପରେ ଗୁରୁବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ପଦଯାତ୍ରାରେ ବାହାରିଥିଲେ। ସେଠାରେ ପୋଲିସ ସହ ରାହୁଲଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ପରେ ପୋଲିସ ଉଭୟଙ୍କୁ ଅଟକ ରଖିଛି। ପୀଡ଼ିତାଙ୍କ ପରିବାରକୁ ଭେଟିବାରୁ ମୋତେ କେହି ରୋକିପାରିବେ ନାହିଁ ବୋଲି ରାହୁଲ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଗତ ବର୍ଷ ମଧ୍ୟ ଆମେ ଏହିପରି ଉନ୍ନାଓଁ ପୀଡ଼ିତାଙ୍କ ପାଇଁ ଲଢ଼େଇ କରିଥିଲୁ। ଯୋଗୀ ସରକାରଙ୍କୁ ମହିଳାଙ୍କ ସୁରକ୍ଷାର ଜିମା ନେବାକୁ ହେବ।’

ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ କହିଛନ୍ତି ଯେ ରାଜ୍ୟର ଆଇନ ଶୃଙ୍ଖଳା ସମ୍ଭାଳିବା ପାଇଁ ଯୋଗୀ ସରକାର ସମ୍ପୂର୍ଣ୍ଣ ଅସମର୍ଥ। ସେ ଇସ୍ତଫା ଦିଅନ୍ତୁ। କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯୋଗୀଙ୍କୁ ଗୋରଖପୁର ମଠ ପଠାଯାଉ ଓ ୟୁପିରେ ରାଷ୍ଟ୍ରପତି ଶାସନ ଜାରି ହେଉ।

ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ଘଟଣାରେ ଯୋଗୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି କିପରି ଆଇନକୁ ଅବାଟରେ ନେଉଛି, ତାହା ପ୍ରକୃତ ସତ୍ୟ ଲୋକେ ଏବେ ଦେଖିପାରୁଛନ୍ତି।

ହଥରାସ୍ ପୀଡ଼ିତାଙ୍କ ପାଇଁ ଲଢ଼ିବେ ନିର୍ଭୟା ଓକିଲ ସୀମା ସମୃଦ୍ଧି

ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଜଣେ ପୀଡ଼ିତା ମହିଳାଙ୍କ ପାଇଁ ଅନ୍ୟ ଜଣେ ମହିଳା ଆଇନଗତ ଲଢ଼େଇ କରି ପରିଚିତ ହୋଇଥିଲେ। ସେ ଥିଲେ ସୁପ୍ରିମକୋର୍ଟରେ ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି। ଶେଷରେ ସେହି ଘଟଣାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା। ହାଥରସ୍ ଘଟଣାରେ ମଧ୍ୟ ସେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି। ବିନା ଦେୟରେ ସେ ତାଙ୍କ ମାମଲା ଲଢ଼ିବେ ବୋଲି କହିଛନ୍ତି।

ୟୁପିରେ ନିରପେକ୍ଷ ତଦନ୍ତ ନେଇ ଆଶଙ୍କା

ଅନ୍ୟପକ୍ଷରେ ହାଥରସ୍ ଘଟଣାରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏହାର ତଦନ୍ତ ସିବିଆଇ କିମ୍ବା ଏସ୍ଆଇଟି ଦ୍ୱାରା କରାଇବା ପାଇଁ ଏଥିରେ ଆବେଦନ ହୋଇଛି। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯିବା ପାଇଁ ମଧ୍ୟ ଦାବି କରିଛନ୍ତି ଆବେଦନକାରୀ। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଓ ଶୁଣାଣି ୟୁପିରେ ନିରପେକ୍ଷ ହେବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଦାବି ତେଜୁଛି।

Comment