ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୪ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା(ୟୁପିଏସ୍‌ସି) ପ୍ରିଲିମିନାରୀ ପରୀକ୍ଷା ହେବ। ଏନେଇ କଟକରେ ୪୧ଟି କେନ୍ଦ୍ର କରାଯାଇଛି। ଏ ସମସ୍ତ କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା କରାଯିବା ନେଇ ୩ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରିଛନ୍ତି।

ପରୀକ୍ଷା ଆୟୋଜନ ନିମନ୍ତେ ନିୟୋଜିତ ହୋଇଥିବା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ ତୁଲାଇବା ସମ୍ପର୍କରେ ଗୁରୁବାର ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରୀକ୍ଷା ତଦାରଖ ପାଇଁ ଜିଲ୍ଲାର ୧୨ଜଣ ବରିଷ୍ଠ ବିଭାଗୀୟ ଅଧିକାରୀ ମାନେ ଆସିଷ୍ଟାଣ୍ଟ କୋର୍ଡିନେଟର୍ ସୁପରଭାଇଜର୍ ଭାବେ ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ ଓ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ଦୂରତା ରକ୍ଷା କରି ସିଟିଂ ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।କଟକରେ ସମୁଦାୟ ୧୭ହଜାର ୧୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସକାଳ ୯ଟା ୩୦ ରୁ ୧୧ଟା ୩୦ ଏବଂ ଅପରାହ୍ନ ୨ଟା ୩୦ ମିନିଟ୍‌ରୁ ୪ଟା ୩୦ ମିନିଟ୍ ସମୟ ଭଳି ଦୁଇଟି ସିଟିଂରେ ପରୀକ୍ଷା ପରିଚାଳିତ ହେବ। ବୈଠକରେ ଆଲୋଚନା ସମୟରେ ୟୁପିଏସ୍ସିର ବରିଷ୍ଠ ଅଧିକାରୀ ବି କେ ସାହୁ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comment