ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପାଇଁ ତାରିଖ ଘୋଷଣା ହୋଇସାରିଛି। ହେଲେ ଶାସକ ଏନଡିଏ ଦଳର ଟିକଟ ବଣ୍ଟନ କିଛି ଚୂଡ଼ାନ୍ତ ହୋଇପାରୁନି। ଜେଡିୟୁ ଉପରେ କିଛି ଆନୁଗତ୍ୟର ଚାପ ନ ଥିବା ବେଳେ ବିଜେପି ଉପରେ ଏଲଜେପିର ଚାପ ରହିଛି। କାରଣ ବିଜେପି ତା ଭାଗ ସିଟରୁ ହିଁ ଏଲଜେପିକୁ ଆସନ ଛାଡ଼ିବ। ଏ ପରିସ୍ଥିତିରେ ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ  ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସିଟ୍ ବଣ୍ଟନ ନେଇ ଆଲୋଚନା ହୋଇଛି।

 

ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ବିହାର ନିର୍ବାଚନ ପ୍ରମୁଖ ଦେବେନ୍ଦ୍ର ଫଡନାଭିସ ଓ ବିହାର ବିଜେପି ସଭାପତି ଭୂପେନ୍ଦ୍ର ଯାଦବ ଉପସ୍ଥିତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହୋଇଛି। ଭୁପେନ୍ଦ୍ର ଯାଦବ ଓ ଫଡନାଭିସ ବିହାରରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ସାରି ଗତକାଲି ଦିଲ୍ଲୀରୁ ଫେରିଆସିଥିଲେ। ତେବେ ଜେଡିୟୁ ନେତାଙ୍କ ସହ ଆଲୋଚନା ନକରି ତରବରିଆ ଭାବେ ଦିଲ୍ଲୀ ଫେରିଆସିଥିବାରୁ ବୈଠକକୁ ବେଶୀ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଏହା ସହିତ ଗୁରୁବାର ଦିନ ଏଲଜେପି ମୁଖ୍ୟ ଚିରାଗ ପାଶୱାନଙ୍କ ସହ ଅମିତ ଶାହ ଓ ପାର୍ଟି ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଲୋଚନା କରିଥିଲେ। ଆସନ ବୁଝାମଣା ନେଇ ଆଲୋଚନା ହୋଇଥିଲେ, ମଧ୍ୟ  ବିଜେପି କେତେ ସିଟ୍ ଛାଡ଼ିପାରିବ ସେ ନେଇ କିଛି ନିଷ୍ପତ୍ତି ହୋଇପାରିନି।

ବିହାର ନିର୍ବାଚନ ୩ଟି ପର୍ଯ୍ୟାୟରେ ହେବ। ଅକ୍ଟୋବର ୨୮, ନଭେମ୍ବର ୩ ଓ ନଭେମ୍ବର ୭ରେ ଭୋଟଦାନ ହେବ। ୨୦୧୫ ନିର୍ବାଚନରେ ମହାମେଣ୍ଟରେ ସାମିଲ ହୋଇଥିଲା ଜେଡିୟୁ। ବିଜେପି ନେତୃତ୍ୱରେ ଏଲଜେପି ଅନ୍ୟ ଛୋଟଦଳ ନିର୍ବାଚନ ଲଢ଼ିଥିଲେ। ଆରଜେଡି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ୮୦ଟି ସିଟ୍ ଜିତିଥିଲା। ଜେଡିୟୁ ୭୧ ଓ ବିଜେପି ୫୩ଟି ଆସନ ଜିତିଥିଲେ। ତେବେ ବିଜେପିର ସର୍ବାଧିକ ଭୋଟ ଭାଗ ଥିଲେ ମଧ୍ୟ, ଏହାକୁ ଦଳ ସିଟରେ ରୂପାନ୍ତରିତ କରିପାରି ନ ଥିଲା। ଏଥର ସମାନ ତ୍ରୁଟି କରିବା ପାଇଁ ଚାହୁଁନାହିଁ ବିଜେପି। ଯେମିତି ହେଲେ ବି ଭୋଟକୁ ସିଟରେ ପରିଣତ କରିବା ପାଇଁ ଦଳ ଚେଷ୍ଟା ଚଳାଉଛି। ଆଉ ଏ ଉଦ୍ୟମରେ ବିଜେପିକୁ ଏଲଜେପି ବେଶୀ ସହାୟକ ହେବ ବୋଲି ବିଜେପିର ଦିଲ୍ଲୀ ନେତୃତ୍ୱ ବିଚାର କରୁଛନ୍ତି।

LEAVE A REPLY

Please enter your comment!
Please enter your name here