ଓଡ଼ିଶାଲାଇଭ୍ ବ୍ୟୁରୋ

ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା। ମାସେ କି ଦି ମାସେ ନୁହେଁ ପାଖାପାଖି ଦୁଇ ବର୍ଷ ହେଲା କେନ୍ଦ୍ରାପଡ଼ାରେ ଏମିତି ମୃତବ୍ୟକ୍ତିଙ୍କ ନାମରେ ଲୁଟ୍ ହୋଇଚାଲିଛି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ତରାସ ପଞ୍ଚାୟତର ଗୁଆଳିଗାଁ ଗ୍ରାମର ଗଙ୍ଗାଧର ନାୟକ। ଗତ ୨୦୧୮ ମସିହା ସେପ୍ଟେମ୍ବର ୨୯ରେ ତାଙ୍କର ପରୋଲକ ହୋଇଥିଲା। ସ୍ଵର୍ଗତ ନାୟକ ସେହି ମାସ ୧୫ରେ ତାଙ୍କର ଶେଷ ବାର୍ଦ୍ଧକ୍ୟ ଭତ୍ତା ଗ୍ରହଣ କରିଥିଲେ। ଯାହା ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ପାଇଁ ଉଦ୍ଦିଷ୍ଟ ପାସ୍ ବହିରେ ଉଲ୍ଲେଖ ରହିଛି।ତାଙ୍କ ପୁଅ ପ୍ରଶାନ୍ତ ନାୟକଙ୍କ ଅଭିଯୋଗ ଅନୁସାରେ ସେ ରାଜକନିକା ବ୍ଲକ କାର୍ଯ୍ୟାଳୟ ଓ ତାଙ୍କ ପଞ୍ଚାୟତରେ ତାଙ୍କ ବାପାଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇଥିଲେ। ଏହାପରେ ଆଉ ବାର୍ଦ୍ଧକ୍ୟ ଭତ୍ତା ମିଳିନି। ହେଲ କିଛିଦିନ ପୂର୍ବେ ତାଙ୍କ ବାପାଙ୍କ ନାମରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାର ବର୍ତ୍ତମାନର ଷ୍ଟାଟସ୍ ସମ୍ପର୍କରେ ପ୍ରଶାନ୍ତ କମ୍ପୁଟରରୁ ଅନଲାଇନରେ ଅନୁସନ୍ଧାନ କରି ଯାହା ପାଇଲେ ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ପ୍ରଶାନ୍ତଙ୍କ କହିବା ଅନୁସାରେ ତାଙ୍କ ବାପାଙ୍କର ମୃତ୍ୟୁ ହେବାଠାରୁ ଗତ ଜୁନ୍ ମାସ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଚାଲୁ ରହିଥିଲା। ୨୦୨୦ ଜୁଲାଇ ୩ରେ ତାଙ୍କର ମୃତ୍ୟୁ ପରଠାରୁ ଭତ୍ତା ପ୍ରଦାନ ବନ୍ଦ କରାଯାଇଥିଲା। ଇତି ମଧ୍ୟରେ ତାଙ୍କ ଗ୍ରାମ ପଞ୍ଚାତରେ ଦୁଇ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ଦାୟିତ୍ଵରେ ରହିଛନ୍ତି। ତେବେ ପଞ୍ଚାୟତ ଅଧିକାରୀ କିମ୍ବା ବ୍ଲକ ଅଧିକାରୀମାନେ ଅବଗତ ଥାଇ ମଧ୍ୟ ତାଙ୍କ ବାପାଙ୍କ ନାମରେ ଏମିତି ବାର୍ଦ୍ଧକ୍ୟ ଭତ୍ତା ହଡପ କିପରି ହେଉଥିଲା। ମାସକୁ ୫୦୦ ଟଙ୍କା ହିସାବରେ ତାଙ୍କ ବାପାଙ୍କ ନାମରେ ୧୯ ମାସର ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୯ ହଜାର ୫୦୦ ଟଙ୍କା ଖାଇଲା କିଏ ? ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଅଭିଯୁକ୍ତମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଇ ସେମାନଙ୍କ ବିରୋଧରେ ଅପରାଧ ମାମଲା ଋଜୁ କରିବାକୁ ପ୍ରଶାନ୍ତ ଦାବି କରିଛନ୍ତି।ପ୍ରଶାନ୍ତଙ୍କ ଅଭିଯୋଗ ଅନୁସାରେ ଖାଲି ତାଙ୍କ ବାପା ଏକମାତ୍ର ମୃତ ବ୍ୟକ୍ତି ନୁହନ୍ତି ତାଙ୍କ ପଞ୍ଚାୟତରୁ ପ୍ରାୟ ୧୦ ଜଣରୁ ଅଧିକ ମୃତକଙ୍କ ନାମରେ ଏମିତି ବାର୍ଦ୍ଧକ୍ୟ ଭତ୍ତା ଲୁଟ୍ ହୋଇଚାଲିଛି। ଯଦି ଗୋଟିଏ ପଞ୍ଚାୟତରୁ ୧୦ ଜଣ ମୃତବ୍ୟକ୍ତିଙ୍କ ନାମରେ ଏମିତି ବାର୍ଦ୍ଧକ୍ୟ ଭତ୍ତା ଲୁଟ୍ ହେଉଥାଏ ତେବେ ଜିଲ୍ଲାର ୨୪୯ଟି ଗ୍ରାମ ପଞ୍ଚାୟତ ଓ ଦୁଇଟି ପୌରାଞ୍ଚଳରୁ ମାସକୁ କେତେ ବାର୍ଦ୍ଧକ୍ୟ ଭତ୍ତା ଭୂତମାନେ ଲୁଟିବାରେ ବ୍ୟସ୍ତ ଥିବେ ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରଶାନ୍ତ ଦାବି କରିଛନ୍ତି।

Comment