କମଳାକାନ୍ତ ପତି

ଏଥର ବିହାର ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ଦେଖିବେ କି ଏକ ତୃତୀୟ ବିକଳ୍ପ ମେଣ୍ଟ? ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରଏଲ୍‌ଏସ୍‌ପିର ନେତା ଉପେନ୍ଦ୍ର କୁଶୱା ବିଏସ୍‌ପି ସହ ହାତ ମିଳାଇନେବା ପରେ ସେହିଭଳି ଏକ ସମ୍ଭାବନା ଦେଖାଦେଲାଣି

ବିଏସ୍‌ପି ସହ ମିଶି କୁଶୱାଙ୍କ ମେଣ୍ଟ ପରିକଳ୍ପନା

କରୋନା ଅତିମାରୀ କାଳରେ ପ୍ରଥମ କରି ଏକ ନିର୍ବାଚନ ହେବାକୁ ଯାଉଛି। ଯଦିଓ ଏହି ପରିସ୍ଥିତିରେ ପ୍ରାୟ ୧୦ଟି ରାଜ୍ୟରେ ୫୬ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହେବ। କିନ୍ତୁ ବର୍ତ୍ତମାନ ଗୁରୁତ୍ୱ ବହନ କରୁଛି ବିହାରର ବିଧାନସଭା ଭୋଟ୍। ଚଳିତ ମାସ ୨୮ ତାରିଖରୁ ତିନୋଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବିହାର ଭୋଟ୍ ପାଇଁ ପ୍ରଥମ ପର୍ଯ୍ୟାୟ ସକାଶେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।

ବିଡ଼ମ୍ବନାର କଥା ହେଉଛି ଏଯାଏଁ ରାଜ୍ୟର ଦୁଇ ପ୍ରମୁଖ ମେଣ୍ଟ – ଶାସକ ଏନ୍‌ଡିଏ ଏବଂ ବିରୋଧୀ ମହାମେଣ୍ଟରେ ଥିବା ଦଳଗୁଡ଼ିକ ମଧ୍ୟରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇପାରୁ ନାହିଁ। ଏନ୍‌ଡିଏର ଦୁଇ ପ୍ରମୁଖ ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଓ ବିଜେପି ମଧ୍ୟରେ ଯଦିଓ ୫୦:୫୦ ଅନୁପାତରେ ଆସନ ଭାଗ ହେବା ପାଇଁ ନିଷ୍ପତ୍ତି ହୋଇଛି। ତଥାପି କେଁ ରହିଯାଇଛି ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) କୁ ନେଇ। ଏହି ଦଳର ନୂଆ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରୀମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପୁତ୍ର ଚିରାଗ ପାଶ୍ୱାନ ଅଧିକ ଆସନ ଦାବିରେ ଅଟଳ ରହୁଥିବା କାରଣରୁ ଆସନ ବଣ୍ଟନ ଛିଣ୍ଡି ନାହିଁ।

ନିକଟରେ ଏନ୍‌ଡିଏରେ ଯୋଗ ଦେଇଥିବା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ନେତା ଜିତିନ ରାମ ମାନ୍‌ଝି ନିରବତା ଅବଲମ୍ବନ କରୁଥିଲେ ମଧ୍ୟ ଜେଡିୟୁ ନିକଟରେ କିଛି ଅଧିକ ଆସନ ଆଶାରେ ଅଛନ୍ତି। ଏହି ପରିସ୍ଥିତିରେ ମହାଗଠବନ୍ଧନ ଛାଡ଼ିଥିବା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ସମତା ପାର୍ଟି (ଆରଏଲ୍‌ଏସ୍‌ପି)ର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ୱା ବିଏସ୍‌ପି ସହ ହାତ ମିଳାଇ ନେଇଛନ୍ତି। ତାଙ୍କର ଲକ୍ଷ୍ୟ ଏଲ୍‌ଜେପିର ନେତା ଚିରାଗ ପାଶ୍ୱାନଙ୍କୁ ସାମିଲ କରି ରାଜ୍ୟରେ ଏଥର ଏକ ନୂଆ ବିକଳ୍ପ ମେଣ୍ଟ ଗଢ଼ିବେ।

ଚିରାଗଙ୍କ ଉପରେ ଥୋପ ପଡୁଛି କି?

ଆସନ୍ନ ଭୋଟ୍ ପରିପ୍ରେକ୍ଷୀରେ ବିହାର ରାଜନୀତିରେ ଘନ ଘନ ସମୀକରଣ ବଦଳିବା ଦେଖିବାକୁ ମିଳୁଛି। ନିକଟରେ ବିରୋଧୀ ଆର୍‌ଜେଡି କଂଗ୍ରେସ ମେଣ୍ଟ (ମହାଗଠବନ୍ଧନ)ରୁ ବାହାରି ଆସିଥିବା ଆର୍‌ଏଲ୍‌ଏସ୍‌ପି ନୀତିଶ କୁମାରଙ୍କ ଜେଡିୟୁ ସହ ହାତ ମିଳାଇ ଏନ୍‌ଡିଏରେ ପୁନଃ ସାମିଲ ହେବେ ବୋଲି ଆଶା କରାଯାଉଥିଲା। ମାତ୍ର ଆର୍‌ଏଲ୍‌ଏସ୍‌ପି ନେତା ଉପେନ୍ଦ୍ର କୁଶୱା ଏକ ନୂଆ ଅଭିଳାଷା ନେଇ ମାୟାବତୀଙ୍କ ବିଏସ୍‌ପି ସହ ହାତ ମିଳାଇ ନେଇଛନ୍ତି। ବିଏସ୍‌ପି, ଆର୍‌ଏଲ୍‌ଏସ୍‌ପି ଓ ଜନତାନ୍ତ୍ରିକ ପାର୍ଟି (ସୋସାଲିଷ୍ଟ) ଏବେ ଗୋଟିଏ ମଞ୍ଚରେ ଅବତୀର୍ଣ୍ଣ। କୁଶୱା ଏବେ ଏଲ୍‌ଜେପି ଉପରେ ନଜର ପକାଇଛନ୍ତି। ଚିରାଗ ପାଶ୍ୱାନଙ୍କ ଉଚ୍ଚାକାଂକ୍ଷାକୁ କାର୍ଯ୍ୟରେ ଲଗାଇ ଏକ ନୂଆ ବିକଳ୍ପ ମେଣ୍ଟ ଗଠନ ଯୋଜନାରେ ଅଛନ୍ତି କୁଶୱା।

ଉଲ୍ଲେଖ କରାଯାଇପାରେ ଯେ, ଏନ୍‌ଡିଏରେ ଥିଲେ ମଧ୍ୟ ଏଲ୍‌ଜେପି ନେତା ଚିରାଗ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଉପରେ ଆଦୌ ସନ୍ତୁଷ୍ଟ ନୁହନ୍ତି । ଏଥର ମଧ୍ୟ ନୀତିଶଙ୍କୁ ବିଜେପି ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବାରୁ ଚିରାଗ ଅସନ୍ତୁଷ୍ଟ। ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ପାଶ୍ୱାନଙ୍କର ଏହି ଅଭିନେତା-ରାଜନେତା ପୁତ୍ର ଏଥର ଦଳ ପାଇଁ ୪୨ ଆସନ ଦାବି କରୁଛନ୍ତି। ମାତ୍ର ଏତେ ସଂଖ୍ୟକ ଆସନ ଦେବାକୁ ବିଜେପି ଏବଂ ଜେଡିୟୁ ସମ୍ମତ ହେଉ ନ ଥିବାରୁ ଚିରାଗ ଅନ୍ୟତ୍ର ଦୃଷ୍ଟି ପକାଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ତେଣୁ କୁଶୱା ବନିଶୀରେ ଥୋପ ଗୁନ୍ଥି ଚିରାଗକୁ ଟାଣିନେବାକୁ ଆଗ୍ରହୀ।

କୁଶାସନରୁ ମୁକ୍ତି କୁଶୱାଙ୍କ ଲକ୍ଷ୍ୟ

ବିଏସ୍‌ପି ସହ ହାତ ମିଳାଇବା ପରେ କୁଶୱାଙ୍କ ଲକ୍ଷ୍ୟ ହେଉଛି ବିହାରକୁ ନୀତିଶଙ୍କ କୁଶାସନରୁ ମୁକ୍ତ କରିବା। ସେ ନିଜେ ଏକଥା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ତାଙ୍କର ଯୁକ୍ତି ହେଉଛି ମହାଗଠବନ୍ଧନ ମଧ୍ୟ ଯାହାଙ୍କୁ (ତେଜସ୍ୱୀ ଯାଦବ) ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରୋଜେକ୍ଟ କରିବାକୁ ଯାଉଛି, ସେ ସେତେ ପ୍ରଭାବୀ ନୁହଁନ୍ତି। ବିହାରବାସୀଙ୍କର ବିଶ୍ୱାସ ମଧ୍ୟ ଆରଜେଡି ଉପରୁ ତୁଟିଯାଇଛି। ତେଣୁ ସେମାନେ ଅନ୍ୟ ବିକଳ୍ପ  ନ ପାଇ ନୀତିଶଙ୍କ ଉପରେ ଆସ୍ଥା ସ୍ଥାପନ ପାଇଁ ବାଧ୍ୟ ହେଉଛନ୍ତି। ସୁତରାଂ ଏବେ ସୁଯୋଗ ଆସିଛି। ବିହାରବାସୀଙ୍କୁ ଜେଡିୟୁ- ବିଜେପି, ଆରଜେଡି-କଂଗ୍ରେସ କବଳରୁ ମୁକ୍ତ କରିବାକୁ ହେବ। ରାଜନୈତିକ ମହଲରେ ପ୍ରଶ୍ନ, ତେବେ କ’ଣ କୁଶୱା ଏକ ନୂଆ ବିକଳ୍ପ ସାମ୍ନାକୁ ଆଣି ତାହାକୁ ସଫଳ କରିପାରିବେ?

ନ୍‌ଡିଏ ପାଇଁ ଫାଇଦା ହେବ କି ନୂଆ ବିକଳ୍ପ ମେଣ୍ଟ

୨୦୧୫ ନିର୍ବାଚନରେ ଆର୍‌ଏଲ୍‌ଏସ୍‌ପି ମହାଗଠବନ୍ଧନରେ ସାମିଲ ହୋଇଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ଅସଫଳତା କାରଣରୁ ମେଣ୍ଟରେ ଗୁରୁତ୍ୱ ହରାଇଥିଲା। ଦଳ ୨୩ ଆସନରେ ପ୍ରାର୍ଥୀ ଦେଇ ମାତ୍ର ୨ ଆସନରେ ବିଜୟୀ ହୋଇଥିଲା। ଏଥର ମହାଗଠବନ୍ଧନ ନ ଛାଡ଼ି ଏନ୍‌ଡିଏକୁ ଆସିବାର ଯୋଜନା କରିଥିଲେ ମଧ୍ୟ ସେଠାରେ ଗୁରୁତ୍ୱ ନ ମିଳିବାର ସୂଚନା ପାଇଥିଲେ କୁଶୱା। ତେଣୁ ସେ ବିଏସ୍‌ପି ସହ ହାତ ମିଳାଇ ନେଇଛନ୍ତି। କହିବା ବାହୁଲ୍ୟ ଯେ ବିହାରରେ ବିଏସ୍‌ପି କେବଳ ଖାତା କଲମରେ ବଞ୍ଚି ରହିଛି।

ଗତ ନିର୍ବାଚନରେ ଦଳ ୨୨୪ ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଜଣେ ହେଲେ ଜିତି ନ ଥିଲେ। ବିଏସ୍‌ପିକୁ ମାତ୍ର ୨.୭ ଶତାଂଶ ଭୋଟ୍ ମିଳିଥିଲା। ଏବେ ପ୍ରଶ୍ନ ଉଠୁଛି ଜନପ୍ରିୟତାଠାରୁ ବହୁ ଦୂରରେ ରହିଥିବା ଏହି ଦୁଇ ଦଳ ଶାସକ ମେଣ୍ଟ ଓ ବିରୋଧୀ ମେଣ୍ଟର କ’ଣ ଏମିତି ବିଗାଡ଼ି ଦେଇପାରିବେ। ବରଂ ଏହି ଦଳଗୁଡ଼ିକର ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଏନ୍ଡିଏ ପ୍ରାର୍ଥୀଙ୍କ ସକାଶେ ଫାଇଦା ଆଣିବ। ଭୋଟ୍ ମଇଦାନରେ ସେମାନେ କଂଗ୍ରେସ କିମ୍ବା ଆରଜେଡିର ଭୋଟ୍ କାଟିବାରେ କାର୍ଯ୍ୟ କରିବେ ବୋଲି ରାଜନୈତିକ ମହଲ ଆକଳନ କରୁଛି।

ସୁବିଧାଜନକ ସ୍ଥିତିରେ ଏନ୍‌ଡିଏ !

ତୃତୀୟ ବିକଳ୍ପ ମେଣ୍ଟ ପାଇଁ ବିହାରରେ ଯେତେ ଚେଷ୍ଟା ହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏନ୍‌ଡିଏ ବିଭିନ୍ନ ଦିଗରୁ ସୁବିଧାନଜନକ ସ୍ଥିତିରେ ରହିଥିବା ରାଜନୈତିକ ମହଲ ଆକଳନ କରୁଛି। ଯଦିଓ କରୋନା ପରିସ୍ଥିତି ଯୋଗୁ ଶୋଇ ପଡ଼ିଥିବା ଅର୍ଥନୀତି, କାମଧନ୍ଦା ହରାଇଥିବା ଶ୍ରମିକ ଓ କୃଷକ ଶ୍ରେଣୀ ତଥା କ୍ଷୁଦ୍ର ବ୍ୟବସାୟୀ, ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଘୋର ଦୁର୍ଦ୍ଦିନରେ ରହିଛନ୍ତି, ତଥାପି ନୀତିଶଙ୍କ ଲୋକପ୍ରିୟତା ସେହି ପରିମାଣରେ ହ୍ରାସ ପାଇନାହିଁ। ବିଜେପି ଓ ଜେଡିୟୁ ଶକ୍ତିଶାଳୀ। ମେଣ୍ଟ ତାଙ୍କର ଶକ୍ତି। ଏହି ମେଣ୍ଟ ପ୍ରତି ଉଚ୍ଚବର୍ଗ, ଅଣ-ଯାଦବ ଓବିସି ଏବଂ ଇବିସି ଭୋଟରଙ୍କ ସମର୍ଥନ ଅକ୍ଷୁଣ୍ଣ ରହିଛି। ମୋଦିଙ୍କ ଲୋକପ୍ରିୟତା ମଧ୍ୟ ନୀତିଶଙ୍କ ବଡ଼ ଶକ୍ତି।

ନିଜେ ନୀତିଶ ତାଙ୍କ ଶାସନ କାଳରେ ବିହାରରୁ ଜଙ୍ଗଲରାଜକୁ ହଟାଇ ନିଜକୁ ଜଣେ ଅଣ ଧ୍ରୁବୀକରଣ (ନିରପେକ୍ଷ) ନେତା ହିସାବରେ ସାବ୍ୟସ୍ତ କରିପାରିଛନ୍ତି। ତେବେ ତାଙ୍କ ପାଇଁ ଆରଜେଡି ନେତା ତେଜସ୍ୱୀ ଯେତେ ବିପଦ ନୁହନ୍ତି, ଚିରାଗଙ୍କ ଅବୁଝାପଣ ସେତିକି ସଙ୍କଟ ଆଣିଛି। ସରକାର ବିରୋଧୀ ହାୱା ସେତେ ବେଶୀ ନଥିଲେ ମଧ୍ୟ ଜେଡିୟୁ ଓ ବିଜେପି ମଧ୍ୟରେ ଆସନ ବଣ୍ଟନ ନେଇ ଟଣାଓଟରା ନୀତିଶଙ୍କ ସକାଶେ କିଛିଟା ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି।

ଆରଜେଡି/ମହାଗଠବନ୍ଧନର ଶକ୍ତି କ୍ଷୀଣ ହେଉଛି

ଅନ୍ୟପକ୍ଷରେ ଦେଖିଲେ ଲାଲୁପ୍ରସାଦ ଯାଦବ ଏଥର ନିର୍ବାଚନୀ ଦୃଶ୍ୟପଟ୍ଟରେ ନ ଥିବାରୁ ଆରଜେଡି ମହାଗଠବନ୍ଧନର ଶକ୍ତି ଅନେକାଂଶରେ କ୍ଷୀଣ ହେବା ଭଳି ଦେଖାଯାଉଛି। ଯଦିଓ କଂଗ୍ରେସ ଏହି ମହାଗଠବନ୍ଧନରେ ରହିଛି, ତଥାପି ଏହି ଜାତୀୟ ଦଳର ପ୍ରଭାବ ବିହାରରେ ସେତେ ନାହିଁ। ଆରଜେଡି ତେଜସ୍ୱୀଙ୍କ କାନ୍ଧରେ ମହାଗଠବନ୍ଧନର ଭାର ନ୍ୟସ୍ତ କରିଥିଲେ ମଧ୍ୟ ଲାଲୁଙ୍କ ଏହି ପୁତ୍ର ସେଭଳି ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁନାହାନ୍ତି।

କିଛି ଦିନ ପୂର୍ବରୁ ଆରଜେଡିର କେତେଜଣ ବିଧାୟକ ତେଜସ୍ୱୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡ଼ିଦେବା ଏହାର ପ୍ରମାଣ। ତେବେ ମହାଗଠବନ୍ଧନର ବଳ ହିସାବରେ ରାଜ୍ୟର ୩୦ ପ୍ରତିଶତ ଯାଦବ ଏବଂ ମୁସଲମାନ ଭୋଟରଙ୍କୁ ନିଆଯାଇପାରେ। ଦୀର୍ଘ ୧୫ ବର୍ଷ ଧରି ଆରଜେଡି ବିହାର କ୍ଷମତାର ବାହାରେ ରହିଛି ବୋଲି କୁହାଯାଇପାରେ। ଗତ ନିର୍ବାଚନରେ ଜେଡିୟୁକୁ ସାଙ୍ଗରେ ନେଇ ସଫଳତା ପାଇଥିଲେ ମଧ୍ୟ ତେଜସ୍ୱୀଙ୍କ ଉଚ୍ଚାକାଂକ୍ଷା ସବୁ ବରବାଦ୍ କରିଦେଇଥିଲା। ସୁତରାଂ ବିହାରବାସୀ ଏଥର ତେଜସ୍ୱୀଙ୍କ ଉପରେ ଆସ୍ଥା ସ୍ଥାପନ କରିବାର ଆଶା କ୍ଷୀଣ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment