ଓଡ଼ିଶାଲାଇଭ୍ ବ୍ୟୁରୋ

କୁମ୍ଭାର କାର୍ଯ୍ୟ କରି ପେଟ ପୋଷିଥାନ୍ତି ପୁରା ୪୫ ପରିବାର। ୩୦ ବର୍ଷ ତଳେ ସରକାର ଯେଉଁ କୁମ୍ଭାରଶାଳା କରିଥିଲେ ତାହା ଏବେ ଅକାମୀ। ମରାମତି ପାଇଁ ସରକାରଙ୍କ ପାଖରେ ଗ୍ରାମବାସୀ ବାରମ୍ଵାର ଦାବି କରିଆସୁଛନ୍ତି। ହେଲେ ଏ ଯାଏଁ କୌଣସି ସୁଫଳ ମିଳିପାରିନାହିଁ। ଆଗାମୀ ଦିନରେ ଯଦି ଏହାର ପଦକ୍ଷେପ ନ ନିଆଯାଏ, ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସୋମବାର ଜୟପୁର ବ୍ଲକ କେବିଡି ପଞ୍ଚାୟତର କୁମ୍ଭାରପୁଟ ଗ୍ରାମବାସୀ କୁମ୍ଭାରଶାଳାଟିଏ ନିର୍ମାଣ ପାଇଁ, ସମାଜସେବୀ ବି ହରୀ ରାଓଙ୍କ ନେତୃତ୍ୱରେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜାନୁଆରୀ ୨୦୨୦ ରେ ଦାବି କରିଥିଲେ ଓ ପ୍ରଶାସନ ମଧ୍ୟ  ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଯାଏଁ କିଛି ପଦକ୍ଷେପ ନେଇନାହାନ୍ତି।

ଗତ ୩୦ ବର୍ଷ ତଳେ ସରକାରଙ୍କ ତରଫରୁ ଏହି ଗ୍ରାମରେ ଏକ କୁମ୍ଭାରଶାଳ ନିର୍ମାଣ ହୋଇଥିଲା। ଯେଉଁଥିରେ ଗ୍ରାମର ସମସ୍ତ କୁମ୍ଭାର ଏକାଠି ହୋଇ ନିଜ ନିଜର ମାଟି କାର୍ଯ୍ୟ କରି ସେଠାରେ ରଖୁଥିଲେ। ବର୍ତ୍ତମାନ ଉକ୍ତ କୁମ୍ଭାରଶାଳ ଜରାଜିର୍ଣ୍ଣ ଅବସ୍ଥାରେ ଅଛି। ଏହି ଶାଳରେ କୌଣସି ମାଟି କାର୍ଯ୍ୟ କରି ରଖାଯାଇ ପାରୁନାହିଁ। ବର୍ଷା ଦିନରେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ରହୁଛି।

କିଛି ଦିନ ପୂର୍ବେ ଉପ ଜିଲ୍ଲାପାଳ ଏବଂ ବିଡିଓଙ୍କ ନିକଟରେ ଏହାର ସମାଧାନ ନେଇ ଦାବି କରିଥିଲେ ଗ୍ରାମବାସୀ। ବିଡିଓ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଫେରି ଆସିଥିଲେ। କିନ୍ତୁ ଆଜି ଯାଏଁ କୁମ୍ଭାରଶାଳ ନିର୍ମାଣ ହୋଇନାହିଁ। ତେଣୁ ତୁରନ୍ତ ନୂତନ କୁମ୍ଭାରଶାଳ ନିର୍ମାଣ ଓ ରହିଥିବା କୁମ୍ଭାରଶାଳର ମରାମତି ନହେଲେ ଆନ୍ଦୋଳନ କରିବାକୁ ପ୍ରଶାସନକୁ ଚେତାବନି ଦେଇଛନ୍ତି। ନୂତନ କୁମ୍ଭାରଶାଳ ନିର୍ମାଣ କରିବା ସହ ପୁର୍ବରୁ ଥିବା କୁମ୍ଭାରଶାଳ ମରାମତି ହେଲେ ଏହି ଗ୍ରାମର ସମସ୍ତ କୁମ୍ଭାର ପରିବାର ଉପକୃତ ହେବେ ବୋଲି ପ୍ରଶାସନକୁ ଜଣାଇଛନ୍ତି।

Comment