ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ କୋଭିଡ୍ ପରିଚାଳନାରେ ନିଷ୍ଠାପର ଭାବେ ଦିନରାତି ଏକ କରି କାମ କରୁଥିବା ସିଏମ୍ସି ପରିସଂଖ୍ୟାନ୍ ଅଧିକାରୀ ବିଶ୍ୱନାଥ ଲେଙ୍କା ରବିବାର ୪୮ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି। ଗତ ମାସ ୧୭ତାରିଖରୁ ସେ କରୋନାରେ ପଜିଟିଭ୍ ଚିହ୍ନଟ ହେବା ପରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରହିଥିଲେ। ଗତ ୨୦ତାରିଖ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ନ ଥିଲାବେଳେ ରବିବାର ଦିନ ବିଳମ୍ବିତ ରାତିରେ ହିଁ ସେ କରୋନା ଯୁଦ୍ଧରେ ହାରିଯାଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପରେ ସତିଚୌରା ଶ୍ମଶାନରେ ସୋମବାର କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଧାମରା ନିକଟବର୍ତ୍ତୀ ଧାମୁଲାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲା ସ୍ୱର୍ଗତଃ ଲେଙ୍କା ଗତ ୨୦୧୮ମସିହା ସେପ୍ଟେମ୍ବର ମାସରେ ସିଏମ୍ସିରେ ପରିସଂଖ୍ୟାନ୍ ଅଧିକାରୀ ଭାବରେ ସ୍ୱର୍ଗତଃ ଲେଙ୍କା ଦାୟିତ୍ୱ ଗ୍ରହଣ କରିଥିଲେ। ଆରମ୍ଭରୁ ହିଁ ଜଣେ ନିଷ୍ଠାପର ଅଧିକାରୀ ଭାବେ ଲୋକଙ୍କ ସେବା କରୁଥିଲେ। ସିଏମ୍ସିରେ ସେ କାଉନ୍ସିଲିଂ ସମେତ ଗୋରୁଧରା ଆଦି ଅନେକ କାର୍ଯ୍ୟ ତୁଲାଉଥିଲେ। ଏମିତିକି ସେ ଏକାଧିକ ସ୍କ୍ଵାର୍ଡର ସେକ୍ଟର ଅଫିସର୍ ରହିଥିଲେ। ଲୋକଙ୍କ ସମସ୍ୟା ହେଉ କି କୋଭିଡ୍ ପରିଚାଳନାକୁ ନେଇ ଅସନ୍ତୋଷ ଖବର ପାଇବା ମାତ୍ରେ ସିଧା ଲୋକଙ୍କ ଦୁଆର ମୁହଁରେ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରୁଥିଲେ।

ଏହାପରେ ସେ ଆରମ୍ଭରୁ ହିଁ କୋଭିଡ୍ ପରିଚାଳନାରେ ବିଭିନ୍ନ ଦାୟିତ୍ୱ ତୁଲାଉଥିଲେ। ଗୋପାଳପୁର ସ୍ଥିତ ଏଲ୍ଏନ୍ଟି କୋଭିଡ୍ କେୟାର୍ ସେଣ୍ଟର୍ର ସେ ସେକ୍ଟର ଅଫିସର ଭାବେ ଦାୟିତ୍ୱ ନେଇ ସୁନ୍ଦର ଭାବେ କାର୍ଯ୍ୟ ପରିଚାଳନା କରୁଥିଲେ। ସେ କାର୍ଯ୍ୟକାଳ ସମୟରେ ଶହ ଶହ ଲୋକଙ୍କ ଦାୟିତ୍ୱ ନେଇ ସେମାନଙ୍କୁ କରୋନା ଭଳି ମହମାରୀରୁ ସୁସ୍ଥ କରାଇଛନ୍ତି। କେବଳ ସେତିକି ନୁହଁ ବରଂ କଣ୍ଟେ୍ରାଲ ରୁମ୍‌ରେ ନୋଡାଲ୍ ଅଫିସର୍ ଭାବେ ଦାୟିତ୍ୱ ଦିଆଯିବା ପରେ ସିଏମ୍ସି କୋଭିଡ୍ ବ୍ୟବସ୍ଥାରେ ଅନେକ ସୁଧାର ଆସିଥିଲା। ସହରରେ ଟେଷ୍ଟିଂ ଠାରୁ ନେଇ ପଜିଟିଭ୍ ଆକ୍ରାନ୍ତଙ୍କୁ ସ୍ଥାନାନ୍ତିରତ ଆଦି ବେଶ୍ ସୁଚାରୁରୂପେ କରୁଥିଲେ।

ଦିନ ହେଉ କି ରାତି ଲୋକଙ୍କ ସେବା ପାଇଁ ସର୍ବଦା ଚେଷ୍ଟିତ ରହିଥିଲେ। ସହରରେ କେମିତି କରୋନା ନିୟନ୍ତ୍ରଣ ହେବ ଓ କରୋନାକୁ ନେଇ ଲୋକମାନେ ସଚେତନ ହେବେ ସେ ଦିଗରେ  ବେଶ୍ ଚିନ୍ତିତ ରହିଥିଲେ। ଏହା ମଧ୍ୟରେ ଗତ ସେପ୍ଟେମ୍ବର ମାସ ୧୭ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଅଶ୍ୱିନୀରେ ଭର୍ତ୍ତି ହୋଇଥିଲେ। ପରେ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ଏମିତିକି ପ୍ଲାଜମା ଚିକିତ୍ସା ମଧ୍ୟ ଫେଲ୍ ମାରିଥିଲା।ତାଙ୍କ ମୃତ୍ୟୁ ଖବର ଶୁଣି ସିଡିଏ ସ୍ଥିତ ବାସଭବନରୁ ସ୍ତ୍ରୀ ଓ ୧୧ବର୍ଷର ଗୋଟିଏ ପୁଅ ଶ୍ମଶାନରେ ପହଞ୍ଚି ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରିଥିଲେ। ଏଥିସହ ସିଏମ୍ସି କମିସନର ଅନନ୍ୟା ଦାସ, ଜୋନ୍ -୩ ଏସିପି ପ୍ରଫୁଲ ଚନ୍ଦ୍ର ବଡଜେନା, ବିଡାନାସୀ ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ତିଓ୍ଵାରୀ, ଡେପୁଟି କମିସନର ଲତାଶ୍ରୀ ବାଗ୍, ଡେପୁଟି କମିସନର ଡକ୍ଟର ଅବିନାଶ ରାଉତ, ଡେପୁଟି କମିସନର ଅମ୍ରିତ ସରକାର, ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ମନିସ ସରକାର, ଦିବ୍ୟରଞ୍ଜନ ତ୍ରିପାଠୀଙ୍କ ସମେତ ବହୁ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଭଳି ଜଣେ କର୍ମଠ ଅଧିକାରୀଙ୍କୁ ସିଏମ୍ସି ହରାଇଛି। କାର୍ଯ୍ୟକାଳ ମଧ୍ୟରେ ସିଏମ୍ସି ପ୍ରତି ଥିବା ସମସ୍ତ ଅବଦାନ ଅପୂରଣୀୟ ରହିବ ବୋଲି କମିସନର ଅନନ୍ୟା ଦାସ କହିଛନ୍ତି।

Comment