ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାମାଞ୍ଚଳରେ ଗରିବଙ୍କୁ ଆବାସ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଯୋଜନା, ବିଜୁ ପକ୍କା ଘର ପରି ଯୋଜନା ରହିଛି l ସରକାର ଯୋଜନା ପରେ ଯୋଜନା କରି ଚାଲିଥିବା ବେଳେ ଏହାର ଲାଭ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେକଥା ଦେଖିବାକୁ କାହାରି ପାଖରେ ସମୟ ନାହିଁ। ତେବେ ଆବାସ ଯୋଜନା ମାନ ଚିତ୍ରରେ ସାମିଲ ହୋଇନଥିବା ଗ୍ରାମ ହୋଇଛି ବୈପାରୀଗୁଡା ବ୍ଲକ କଦଳୀ ପଦର ଗ୍ରାମ।ସରକାରଙ୍କ ଏକ ଜନହିତକାରୀ ଯୋଜନା ହେଉଛି ‘ଆବାସ ଯୋଜନା’ ଏହି ଯୋଜନା ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ପଲ୍ଲୀସଭା, ଗ୍ରାମସଭା ସହ ଅନେକ ମାଧ୍ୟମର ରୂପରେଖ ଦେଇଛି ପଞ୍ଚାୟତରାଜ ବିଭାଗ। ଉପର ସ୍ଥରରେ ବ୍ୟବସ୍ଥା ଉତ୍ତମ ରହିଥିବା ବେଳେ ତଳ ସ୍ଥରରେ କେଉଁଠି କେମିତି ତ୍ରୁଟି ରହୁଛି କେଜାଣି ବର୍ଷ ବର୍ଷ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଅନେକ ଅସହାୟ ପରିବାର ପାଖରେ ପହଞ୍ଚିପାରୁନାହିଁ ଏହି ଯୋଜନା। ବିନା ଘରରେ ଅତ୍ୟନ୍ତ ଦୁଃଖରେ ବିତୁଛି ଅନେକ ପରିବାରର ଜୀବନ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକର ଦଣ୍ଡାବାଡ଼ି ପଞ୍ଚୟତର କଦଳୀପଦର ଗାଁରେl ଏହି ଗାଁରେ ମୋଟ ଏକଶହ ପରିବାର ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ପ୍ରଧାନମନ୍ତ୍ରୀ  ଆବାସ ପାଇଁ ନାହାନ୍ତିl  ଗ୍ରାମର ଅଧିକାଂଶ ବ୍ୟକ୍ତି ଗରିବ ଶ୍ରେଣୀର କୁଲି ମଜୁରୀ କାମ କରୁଥିବାରୁ ତାଙ୍କ ପକ୍ଷେ ପକ୍କା ଘରଟିଏ କରିବା ସମ୍ଭବ ନୁହେଁ। ବର୍ଷବର୍ଷ ଧରି ବିଭିନ୍ନ ସମୟରେ ଆବାସ ଯୋଜନାରେ ଘର ଖଣ୍ଡେ ଖଣ୍ଡେ ପାଇଁ ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରନ୍ତି ଗ୍ରାମବାସୀl

ଏହି ଘଟଣାକୁ ନେଇ ବୈପାରୀଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି କଦଳୀପଦର ଗାଁ  ଏସ୍.ଇ.ସି.ସି ତାଲିକାରେ ନଥିବା ଯୋଗୁଁ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତିl ତେବେ ଚଳିତ ବର୍ଷ ନୂତନ ଭାବେ ହେବାକୁ ଥିବା ଏସ୍.ଇ.ସି.ସି ତାଲିକାରେ ଅତିଶୀଘ୍ର ସେମାନଙ୍କୁ ସଂଯୋଗ କରି ଘର ଦିଆଯିବ ବୋଲି ସେ କହିଛନ୍ତି।

Comment