ଓଡ଼ିଶାଲଇଭ୍ ବ୍ୟୁରୋ

ନୟାଗଡ଼ର ପରିଚୟ କହିଲେ ରାଜା ଶାସନ ସମୟ ନିର୍ମିତ ପ୍ରାଚୀନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ କେତେକ ଦେବଦେବୀ ମନ୍ଦିରକୁ ବୁଝାଯାଏ। ବିଶେଷ ଭାବେ ଏଠିକାର ଜଗନ୍ନାଥ ମନ୍ଦିର ନିର୍ମାଣ ଶୈଳୀ ମନକୁ ଆକୃଷ୍ଟ କରିଥାଏ। ବର୍ତ୍ତମାନ ସମୟରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଜିଲ୍ଲା ଦେବୋତ୍ତର ବିଭାଗ ଉପରେ ନ୍ୟସ୍ତ ରହିଛି। ହେଲେ ଏହି ପ୍ରାଚୀନ ମନ୍ଦିର ଦକ୍ଷିଣ ଦ୍ୱାର ବାଟମନ୍ଦିର ହଠାତ ଭାଙ୍ଗି ପଡ଼ିଥିବା ଦେଖା ଯାଇଛି। ଏହା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି।

ଲଗାଣ ବର୍ଷାପାଣିରେ ଭିଜି ଦକ୍ଷିଣ ବାଟ ଦେଉଳ ଭାଙ୍ଗି ପଡ଼ିଛି। ସୌଭାଗ୍ୟବସତଃ ସେତେ ବେଳକୁ କହାରି ଯାତାୟତ ନଥିଲା। ଏହା ଅତି ପୁରାତନ ଓ ମାଟି ପଟିରେ ତିଆରି ହୋଇଥିବା କାରଣରୁ ବାଟ ଦେଉଳ ଭାଙ୍ଗି ପଡ଼ିଥିବା ଦେବୋତ୍ତର ମ୍ୟାନେଜର ତାପସ ରଜଂନ ପଟ୍ଟନାୟକ କହିଛନ୍ତି।ଲୋକେ କିନ୍ତୁ କହିଛନ୍ତି ଭିନ୍ନ କଥା। ଡ୍ରେନ୍ ବଦଳରେ ଦକ୍ଷିଣ ଦୁଆର ଦେଇ ମନ୍ଦିର ଭିତର ବର୍ଷା ପାଣି ବାହାରକୁ ନିଷ୍କାସନ ହେଉଥିଲା । ଫଳରେ ବାଟ ଦେଉଳ ଦୁଃର୍ବଳ ଥିଲା। ଏହାଛଡ଼ା ଫଟା କାନ୍ଥ ମରାମତି କରା ନଯିବା ବାଟ ଦେଉଳ ଦୁଃର୍ବଳର ଅନ୍ୟ ଏକ କାରଣ ବୋଲି ଅନେକ କହିଛନ୍ତି।

ବାଟ ଦେଉଳ ଭାଙ୍ଗି ପଡ଼ିବା ପଛରେ ଲଗାଣ ବର୍ଷା ମୁଖ୍ୟ କାରଣ ନୂହେଁ, ବଂର ରକ୍ଷଣା ବେକ୍ଷଣରେ ଅଣଦେଖା ବଡ କାରଣ କୁହାଯାଉଛି। ମନ୍ଦିର କଡ଼ରେ ଅନାବନା ଗଛ, ପାଚେରୀ ଓ ଦେଉଳ ଉପରେ ଉଠିଥିବା ଗଛକୁ ଦେଖିଲେ ରକ୍ଷଣାବେକ୍ଷଣ ସ୍ଥିତି ବାରି ହେଉଥିବା ଅନେକ କହିଛନ୍ତି ।  ଜିଲ୍ଲା ଦେବୋତ୍ତର ବିଭାଗର ସମସ୍ତ କାର୍ଯ୍ୟ ଉପ-ଜିଲ୍ଲାପାଳ ତଦାରକ୍ଷ କରୁଛନ୍ତି। ସେ ହେଉଛନ୍ତି ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ। ଏହା ସତ୍ତ୍ଵେ ପ୍ରାଚୀନ ମନ୍ଦିର ରକ୍ଷଣାବେକ୍ଷଣ ଓ ଉନ୍ନତି ଦିଗରେ ଦେଖା ଯାଉଥିବା ଏପରି ଅବ୍ୟବସ୍ଥା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

କେବଳ ସେତିକି ନୁହେଁ, ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାରା ବାଟମନ୍ଦିର ଭୁଶୁଡ଼ି ପଡ଼ିବା ପୂର୍ବରୁ ମନ୍ଦିର ପରିଚାଳକ କିମ୍ବା ବିଭାଗୀୟ ଅଧିକାରୀ କିପରି ଜାଣି ପାରିଲେ ନାହିଁ ତାହା ଅନେକ ପ୍ରଶ୍ନ ଉଠାଇଛନ୍ତି। ସେପଟେ ମନ୍ଦିର ଚତୁପାଶ୍ୱର୍ର ଅଳିଆ ଆବର୍ଜ୍ଜନା ଦେଖିଲେ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।

Comment