ଓଡ଼ିଶାଲାଇଭ୍ ବ୍ୟୁରୋ 

ବିଶ୍ୱସ୍ତରୀୟ ହସ୍ପିଟାଲର ରୂପରେଖ ନେବ ଏସ୍‌ସିବି। ହଜାରେ କୋଟି ବ୍ୟୟରେ ଏସ୍‌ସିବିର ନବକଳେବର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ନୂଆ ରୂପରେ ସଜେଇ ହୋଇଥିବା ତାଳଦଣ୍ଡା କେନାଲ ବନ୍ଧ ରାସ୍ତାକୁ ଶନିବାର ଅପରାହ୍ନରେ ଭର୍ଚୁଚାଲ ଜରିଆରେ ମୁଖ୍ୟମନ୍ତ୍ରୀ ଲୋକାପର୍ଣ କରିବେ। ଏନେଇ ଶୁକ୍ରବାର ଭୋର୍ ସାଢେ଼ ୪ଟା ରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିଛନ୍ତି। ନିର୍ମାଣ ସଚିବ କିଶନ କୁମାର, ଆର୍ଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସଙ୍କ ସମେତ ପୂର୍ତ୍ତବିଭାଗର ପଦସ୍ଥ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଜାନୁଆରୀ ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରିବା ସମୟରେ ଏସ୍‌ସିବି ସଂପ୍ରସାରଣ ପ୍ରକଳ୍ପ ସହିତ ତାଳଦଣ୍ଡା କେନାଲ ବନ୍ଧ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କାର୍ଯ୍ୟର ଘୋଷଣା କରିଥିଲେ। ଏସ୍‌ସିବିକୁ ରୋଗୀ ଓ ଆମ୍ୱୁଲାନ୍ସର ସହଜ ଯାତାୟାତ ନିମନ୍ତେ ତାଳଦଣ୍ଡା କେନାଲବନ୍ଧ ରାସ୍ତାର ଉନ୍ନତିକରଣ ଏକାନ୍ତ ଆବଶ୍ୟକ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ।କେନାଲବନ୍ଧର ଉଭୟ ପାର୍ଶ୍ଵ ରାସ୍ତା ଯୋବ୍ରା ନିକଟରେ ରିଂ ବନ୍ଧ ରାସ୍ତାକୁ ସଂଯୋଗ କରୁଛି। ଏହାଦ୍ଵାରା ଏସ୍‌ସିବିକୁ ଆସିବା ପାଇଁ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହି କାର୍ଯ୍ୟର ତଦାରଖ ନିମନ୍ତେ ୫ଟି ସଚିବ ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମର ପ୍ରସ୍ତାବ ମୁତାବକ ରାସ୍ତାର ନୂଆ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ପ୍ରାଥମିକ ପ୍ରର୍ଯ୍ୟାୟରେ ୭ କୋଟି ବ୍ୟୟରେ ତାଳଦଣ୍ଡା କେନାଲ ବନ୍ଧର ଉଭୟ ପାର୍ଶ୍ଵ ରାସ୍ତାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ ୩ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଇଥିଲା।

ପ୍ରକଳ୍ପର ରୂପରେଖ

ଯୋବ୍ରାରୁ ହିନ୍ଦ୍ ସିନେମାହଲ ଛକ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲବନ୍ଧ(ଡାହାଣ ପାର୍ଶ୍ଵ) ଓ ଯୋବ୍ରାରୁ କଟକ ସୁଇଟସ୍ ଷ୍ଟଲ(ବାମ ପାର୍ଶ୍ଵ) ଉଭୟ ପାର୍ଶ୍ଵ ଉନ୍ନତିକରଣ କରାଯାଇଛି। ଉଭୟ ପାର୍ଶ୍ଵ ରାସ୍ତାର ଲମ୍ୱ ଯଥାକ୍ରମେ ୧୫ଶହ ମିଟର ଲେଖାଏଁ ରହିଛି।  ପୂର୍ବରୁ ଏହି ପିଚୁ ରାସ୍ତାର ପ୍ରସ୍ଥ ସାଢେ ୩ ମିଟର ଥିଲା। ମାତ୍ର ଏବେ ତା’କୁ ସାଢେ ୯ ମିଟରକୁ ସଂପ୍ରସାରିତ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଦେଢ  ମିଟର ପ୍ରସ୍ଥ ବିଶିଷ୍ଟ ୬ଶହ ମିଟର ଲମ୍ୱର ପାଦଚଲା ରାସ୍ତା ନିର୍ମାଣ କରାଯାଇଛି। ଏହାବାଦ୍ କେନାଲବନ୍ଧର ଉଭୟ ପାର୍ଶ୍ଵରେ ପାର୍କିଂ ପାଇଁ ୫ଟି ସ୍ଥାନ ଚିହ୍ନଟ କରାଯାଇଥିବାବେଳେ କେନାଲବନ୍ଧକୁ ସବୁଜିମାମୟ କରିବା ପାଇଁ ବୃକ୍ଷରୋପଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଝୋଟି, ଚିତା ସହିତ ଆଲୋକୀକରଣ କରାଯାଇଛି।

ଶନିବାର ଅରାହ୍ନରେ ଅନଲାଇନ୍ ଯୋଗେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଲୋକାପର୍ଣ କରିବେ। ଏଥିପାଇଁ ଯୋବ୍ରା ଆନିକଟ ଗୋଲେଇ ଛକ ନିକଟରେ ପରଦାରେ ଲୋକାପର୍ଣ ଉତ୍ସବ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ସରକାରୀ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏଠାରେ ସାମାଜିକ ବ୍ୟବଧାନ ରକ୍ଷା କରାଯାଇ ୫୦ଟି ଆସନ ବ୍ୟବସ୍ଥା ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment