ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଅନେକ ଉପାନ୍ତ ଅଞ୍ଚଳକୁ ସବୁଦିନିଆ ଯୋଗାଯୋଗ ଅପହଞ୍ଚ। ଆମ୍ବଲାନ୍ସ ସେବା ଏଠି ସାତ ସପନ। ଅନେକ ସମୟରେ ଭଡ଼ା ଡଙ୍ଗା ଏହି ଅଞ୍ଚଳବାସୀଙ୍କ ପାଇଁ ସାହା ଭରସା। ତେବେ ଏହି ଚିକିତ୍ସା ସୁବିଧାବାଧିତ ବେସାହାରା ଲୋକମାନଙ୍କ ପାଇଁ ସାହାରା ହେବାକୁ ଯାଉଛି ବୋଟ୍ ଆମ୍ବଲାନ୍ସ ସେବା। ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ର ବତୀଘର ପଞ୍ଚାୟତରେ ପୂର୍ବରୁ ଗୋଟିଏ ବୋଟ୍ ଆମ୍ବୁଲାନ୍ସ କାର୍ଯ୍ୟ କରୁଥିବା ବେଳେ ଏବେ ରାଜନଗର ବ୍ଲକରେ ଦ୍ଵିତୀୟ ବୋଟ୍ ଆମ୍ବୁଲାନ୍ସ ଲୋକଙ୍କ ସେବାରେ ନିୟୋଜିତ ହୋଇଛି।

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ ଅନେକ ଉପାନ୍ତ ଅଞ୍ଚଳ ରହିଛି। ଏହି ବ୍ଲକର ତାଳଚୂଆ, ରଙ୍ଗଣୀ, ବାଘମାରୀ, କେରୁଆପାଳ, ଗୁପ୍ତି, ଇଶ୍ଵରପୁର ଆଦି ଅଞ୍ଚଳ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ। ବର୍ଷସାରା ଏହିସବୁ ପଞ୍ଚାୟତକୁ ଗମନାଗମନ ସୁବିଧା ମିଳେନାହିଁ। ରୋଗ ଶଯ୍ୟାରେ ପଡ଼ିଥିବା ଲୋକଙ୍କ ନିକଟରେ ସରକାରୀ ଆମ୍ବଲାନ୍ସଟିଏ ପହଞ୍ଚିପାରେନା।

କେତେବେଳେ ଏଠି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଡାକ୍ତରୀ ଚିକିତ୍ସା ପାଇ ନପାରି ଜୀବନ ହାରେ ତ କେତେବେଳେ ପ୍ରସୂତୀର ଛୁଆ ତତ୍କାଳ ଚିକିତ୍ସା ନପାଇ ଆଖି ବୁଜେ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳର ଶୈଳେନ୍ଦ୍ରନଗର, ଗୁମୁରା, ଗୋପାଳଜୀୟୁପାଟଣା, ବାଳୁଙ୍ଗାପାଟିଆ ଆଦି ଗାଁର ପ୍ରସୂତୀମାନଙ୍କ ପାଇଁ ଅଧିକ ୧,୦୦୦ ଟଙ୍କାର ସହାୟତା ଦେଇ ଆସୁଛି।ତେବେ ଗୁରୁବାର ଏହି ଅଞ୍ଚଳବାସୀଙ୍କ ପାଇଁ ଏହି ସମସ୍ୟାରେ ପୂର୍ଣ୍ଣଛେଦ ଟାଣିଛନ୍ତି ରାଜ୍ୟ ସରକାର। ଗତକାଲି ବୋଟ୍ ଆମ୍ବଲାନ୍ସ ସେବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

ବ୍ରାହ୍ମଣୀ ନଦୀର ଶାଖା ନଦୀ ପାଟଶାଳା ନଦୀର ଗୁପ୍ତିଠାରେ ଏହି ବୋଟ୍‌କୁ ଅବସ୍ଥାପିତ କରାଯାଇଛି। ଏହା ଇଶ୍ଵରପୁର ପଞ୍ଚାୟତର ଜୁନୁସନଗର ଓ ରଙ୍ଗଣୀ ପଞ୍ଚାୟତର ଗୁମୁରା ଓ କୋଠି ଘାଟର ଭାସମାନ ଜେଠିରେ ଲାଗି ପାରିବ। ୧୦୮ ଆମ୍ବଲାନ୍ସକୁ ଡାଏଲ କଲେ ଏହି ସେବା ଏହି ଅଞ୍ଚଳରେ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ରୋଗୀଟିକୁ ଏହି ଅଞ୍ଚଳରୁ ଅଣାଯାଇ ପ୍ରଥମେ ଗୁପ୍ତିରେ ବୋଟ୍ ଆମ୍ବଲାନ୍ସ ପହଞ୍ଚାଇବ।

ଗୁପ୍ତି ଡାକ୍ତରଖାନାରେ ରୋଗୀଟିର ପ୍ରାଥମିକ ଚିକିତ୍ସା ହୋଇପାରିବ। ଆବଶ୍ୟକ ହେଲେ ଅନ୍ୟ ଆମ୍ବଲାନ୍ସ ଯୋଗେ ଗୁପ୍ତି ଡାକ୍ତରଖାନାରୁ ରାଜନଗର କିମ୍ବା କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରୋଗୀଟିକୁ ଚିକିତ୍ସା ପାଇଁ ନିଆଯାଇପାରିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ ସୂଚନା ଦେଇଛନ୍ତି। ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହୋଇପାରିବ।ଏହି ଅବସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜନଗର ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆମ୍ବଲାନ୍ସ ସେବାର ଲୋକାର୍ପଣ କରିଛନ୍ତି। କେନ୍ଦ୍ରାପଡ଼ା ସିଡିଏମ୍ଓ ଡାକ୍ତର ଅନୀତା ପଟ୍ଟନାୟକ, ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ରାଜନଗର ବିଡିଓ ମନ୍ଦରଧର ମାହାଳି, ରାଜନଗର ବ୍ଲକ ଅଧ୍ୟକ୍ଷ ଜୟରାମ ସେଠିଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ।

ତେବେ ଏହି ସେବା ସ୍ଥାନୀୟ ଲୋକଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିବ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି। ଆମ୍ବଲାନ୍ସଟି ଗୁପ୍ତି ଘାଟରେ ରହିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ନଦୀର ଅନ୍ୟ ଦୁଇଟି ଘାଟ ଗୁମୁରା ଓ କୋଠି ଘାଟରେ ପହଞ୍ଚିବାକୁ ଏହି ଆମ୍ବୁଲାନ୍ସକୁ ପ୍ରାୟ ଏକ ଘଣ୍ଟା ଲାଗିବ।ଗୁପ୍ତି ଘାଟରୁ ରୋଗୀକୁ ଆଣିବାକୁ ଯିବାକୁ ଏକ ଘଣ୍ଟା ଏବଂ ଗୁମୁରା ଓ କୋଠି ଘାଟରୁ ଫେରିବାକୁ ଆଉ ଏକ ଘଣ୍ଟା ଲାଗିବ। ଯଦି ଏହି ଆମ୍ବୁଲାନ୍ସଟି ଗୁମୁରା କିମ୍ବା କୋଠି ଘାଟରେ ରହଣି କରିପାରନ୍ତା ତେବେ ଏହି ଅଞ୍ଚଳର ରୋଗୀମାନେ ଅଧିକ ସୁବିଧା ପାଇପାରନ୍ତେ ବୋଲି ଲୋକେ କହିଛନ୍ତି।

Comment