ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ ଏବେ ସେଲ୍ଫି ପ୍ରେମୀଙ୍କ ଭିଡ଼ ଜମୁଛି। ତେବେ ଏହା ପଛର କାରଣ ହେଉଛି ‘ଆଇ ଲଭ କଟକ’ ଷ୍ଟାଣ୍ଡି। ରାଣୀହାଟରୁ ଯୋବ୍ରା ମଧ୍ୟରେ ତାଳଦଣ୍ଡା କେନାଲ ରୋଡରେ ନୂଆକରି ହୋଇଥିବା ଏହି ଷ୍ଟାଣ୍ଡି ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି। ଯିଏ ଏହି ବାଟ ଦେଇ ଯାଉଛି ଟିକେ ଅଟକି ଯାଇ ନିଜ ମୋବାଇଲରେ ଗୋଟେ ସ୍ନାପ ନିଶ୍ଚୟ ନେଉଛି। ସୋସିଆଲ ମିଡ଼ିଆର ଏହି ଯୁଗରେ ଏବେ ସେଲ୍ଫି ଗୋଟେ ଟ୍ରେଣ୍ଡ ବନିଯାଇଥିବା ବେଳେ କଟକ ସହରର ଏହି ‘ଆଇ ଲଭ କଟକ’ ଷ୍ଟାଣ୍ଡି ସେଲ୍ଫିପ୍ରେମୀଙ୍କ ପାଇଁ ନୂଆ ପର୍ଯ୍ୟଟନ ସ୍ଥଳୀ ପାଲଟିଛି।ପୂର୍ବରୁ ରାଜଧାନୀ ଭୁବନେଶ୍ଵର ସମେତ ଓଡ଼ିଶାର କେତେକ ସହରରେ ଏଭଳି ଷ୍ଟାଣ୍ଡି ନିର୍ମାଣ ହୋଇଥିଲା। ତେବେ ରୁପା ନଗରୀ କଟକ ପାଇଁ ମଧ୍ୟ ଏଭଳି ଷ୍ଟାଣ୍ଡିଟିଏ ହେଉ ବୋଲି କଟକିଆମାନେ ପ୍ରୟାସ କରିଆସୁଥିଲେ। ସହରର ଅନେକ ସାମାଜିକ ସଂଗଠନ ମଧ୍ୟ ଜିଲ୍ଲା ପ୍ରଶାସନକୁ ଏ ବାବଦରେ ଜଣାଇଥିଲେ।

ସହରର ଏକ ପ୍ରମୁଖ ସାମାଜିକ ସଂଗଠନ ‘ସିଲଭର ସିଟି କଟକ’ ସବୁବେଳେ କଟକର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟକ୍ତିଗତରୁ ସରକାରୀ ସ୍ତରରେ ପ୍ରୟାସ କରିଆସୁଥିବା ବେଳେ ୨ ବର୍ଷ ପୂର୍ବେ ସହରରେ ଏଭଳି ଏକ ଷ୍ଟାଣ୍ଡି ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ।“ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ବିଗତ ୩ ବର୍ଷ ହେବ କଟକର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣ ଦିଗରେ ଧ୍ୟାନ ଦେଇଆସୁଛି। ଆମ ସହର ପାଇଁ ଏମିତି ଏକ ଷ୍ଟାଣ୍ଡି ନିର୍ମାଣ କରିବାକୁ ଆମେ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ଭେଟି ପ୍ରସ୍ତାବ ରଖିଥିଲୁ। ପ୍ରଶାସନ ‘ଆଇ ଲଭ କଟକ’ ଷ୍ଟାଣ୍ଡି ନିର୍ମାଣ କରି ଆମ କଟକର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥିବାରୁ ସିଲଭର ସିଟି କଟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭ୍ୟ ଅଭିଜିତ ପୃଷ୍ଟି।

Comment