ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଦୁର୍ନୀତି ଘଟଣାରେ ରାଜ୍ୟ ଲୋକାୟୁକ୍ତଙ୍କ ଦୁଇ ଜଣିଆ ଦଳ ସୋମବାର ତଦନ୍ତ ଆରମ୍ଭ କରିଛି। ମହାବିଦ୍ୟାଳୟର ଆର୍ଥିକ ଅନିୟମିତତା ଏବଂ ନିଯୁକ୍ତି ଜାଲିଆତି ମାମଲାର ତଦନ୍ତ କରୁଛି ଏହି ଟିମ୍। ଗତକାଲି ମହିଳା ମହାବିଦ୍ୟାଳୟରେ ଏହି ଟିମ୍ ବିଭିନ୍ନ ରେକର୍ଡ ପତ୍ର ତନଖି କରିଥିବା ସୂଚନା ମିଳିଛି।

ମହାବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା। କଲେଜର ଜମି କିଣାରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା। ଏହାଛଡ଼ା କଲେଜକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା, ଯାହାକୁ ଲୁଟ୍ କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଗଣମାଧ୍ୟମର ତଥ୍ୟକୁ ଆଧାରକରି କେତେକ ସାମାଜିକ କର୍ମୀ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।

୨୦୧୨ରୁ ୨୦୧୬ ମସିହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଲୋକସଭା ସାଂସଦ ପ୍ରଭାତ ସାମତରାୟ, ବୈଜୟନ୍ତ ପଣ୍ଡା, ଅର୍ଚ୍ଚନା ନାୟକ, ରବିରାୟ ପ୍ରମୁଖ ଦେଇଥିବା ୨୧ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଏଥିସହ ତତ୍କାଳୀନ ପଟ୍ଟାମୁଣ୍ଡାଇ ବିଧାୟକ ଗଣେଶ୍ଵର ବେହେରା ଓ କିଶୋର ତରାଇ ମହାବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ୍ ଓ ଗୃହ ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଏହି ଅର୍ଥର ସଠିକ୍ ବିନିଯୋଗ ହୋଇନଥିବା ନେଇ ଅଭିଯୋଗ ହୋଇଥିଲା।

ସେହିପରି ସ୍ଥାନୀୟ ପ୍ରବାସୀ ମନୋଜ କୁମାର ତ୍ରିପାଠୀ ବିଜ୍ଞାନ ଗୃହ ଓ ଲାବୋରୋଟରୀ ସରଞ୍ଜାମ କିଣିବା ପାଇଁ ଦେଇଥିବା ୩୦ ଲକ୍ଷ ଟଙ୍କା ଏବଂ ଯୋଗଗୁରୁ ପ୍ରଜ୍ଞାନନନ୍ଦ ବାବା ଦେଇଥିବା ୪ ଲକ୍ଷ ଟଙ୍କାର ମଧ୍ୟ ସଠିକ୍ ବିନିଯୋଗ ହୋଇପାରିନି ବୋଲି ଅଭିଯୋଗ ହୋଇଥିଲା।ଏହି ତଦନ୍ତକାରୀ ଦଳ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ନାୟକ ଓ କର୍ମଚାରୀମାନଙ୍କୁ ଭେଟି ଏହି ସବୁ ଅଭିଯୋଗ ସମ୍ପର୍କରେ ପ୍ରାଥମିକ ପଚରାଉଚରା କରିଥିବା ଜଣାପଡ଼ିଛି। ଏହାଛଡ଼ା କଲେଜର ସଭାପତି ଦାୟିତ୍ଵରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି।

ଲୋକାୟୁକ୍ତଙ୍କ ତଦନ୍ତକୁ ବୁଦ୍ଧିଜୀବି, ଶିକ୍ଷାବିତ୍, ଛାତ୍ରୀ, ଅଭିଭାବକ ମାନେ ସ୍ଵାଗତ କରିଥିବା ବେଳେ ଦୁର୍ନୀତି ଓ ଟଙ୍କା ହେରଫେର ଘଟଣାରେ ସମ୍ପୃକ୍ତ କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶିଛି।

Comment