ଓଡ଼ିଶାଲାଇଭ୍ ବ୍ୟୁରୋ

ବୟସ ୯୧ ବର୍ଷ। କିନ୍ତୁ ସେ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି। ଆଉ କରୋନା ଭଳି ଭୟଙ୍କର ମହାମାରୀକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ଧୈର୍ଯ୍ୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିବା ସମ୍ଭବ ବୋଲି ପ୍ରମାଣ କରି ଦେଖାଇଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବାସୁଗୁଡ଼ା ସାହି ଅଞ୍ଚଳର କାଶୀନାଥ ପାଢ଼ୀ।

କାଶୀନାଥଙ୍କୁ ଗତ ୨ ତାରିଖରେ ଥଣ୍ତା ଓ ଜ୍ଵର ହୋଇଥିଲା। ଔଷଧ ଖାଇବା ସତ୍ତ୍ଵେ ସେ ଭଲ ହୋଇନଥିଲେ। ତେଣୁ ଗତ ୨ ତାରିଖରେ କୋଟପାଡ଼ କୋଭିଡ୍ ସେଣ୍ଟରରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ୫ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଜୟପୁର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଗତ ୧୪ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରୋଇ ସଙ୍ଗରୋଧରେ ରହିବେ।​“କରୋନାକୁ ନେଇ ଭୟଭୀତ ହେବା ନାହିଁ। ଏହାର ମୁକାବିଲା କରିବା। ମେଡିକାଲରେ ସମସ୍ତ ପ୍ରକାର ସୁବିଧା ସହ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉଛି। ସମସ୍ତଙ୍କ ସେବା ଓ ଭଗବାନଙ୍କ ଆଶୀର୍ବାଦରୁ ଏହି ମହାମାରୀକୁ ମୁଁ ହରାଇ ଘରକୁ ଫେରିଛି”, କାଶୀନାଥ କହିଛନ୍ତି।

​କାଶୀନାଥଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ କରୋନା ହୋଇଥିବା ଜାଣିବା ପରେ ମଧ୍ୟ ସେ ଦୃଢ଼ତାର ସହିତ ଏହି ଯୁଦ୍ଧରେ ବିଜୟୀ ହେବେ ବୋଲି ଆଶା ରଖିଥିଲେ। ପୁଅ ସନ୍ତୋଷ କୁମାର ପାଢ଼ୀ, ନାତି ଅବିନାଶ ପାଢ଼ୀ ଓ ଦିପକ ପାଢ଼ୀ ଏବଂ ତାଙ୍କ ଘରେ ରହି ପାଠ ପଢୁଥିବା ଜଣେ ଛାତ୍ର ଗଗନ ବନ୍ଧୁଙ୍କୁ ମଧ୍ୟ କରୋନା ହୋଇଥିଲା। ସେମାନେ ସମସ୍ତେ ଜୟପୁର କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ବୟସର ଅପରାହ୍ନରେ ମଧ୍ୟ କରୋନାକୁ ଜିତିବାରେ ସଫଳ ହୋଇଛନ୍ତି କାଶୀନାଥ। ତେଣୁ କୋଭିଡ ଡାକ୍ତରଖାନାର ଡାକ୍ତରମାନେ କାଶୀନାଥଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here