ଓଡ଼ିଶାଲାଇଭ୍ ବ୍ୟୁରୋ

  • ଖୋର୍ଦ୍ଧା ବାଣପୁର ଥାନାରେ ଅଭିଯୋଗ
  • ଘଟଣାର ତଦନ୍ତ କରୁଛି ପୋଲିସ
  • ୩ ଦିନ ପରେ ମୃତଦେହର ବ୍ୟବଚ୍ଛେଦ

ନୟାଗଡ଼ ଶରଣକୁଳ ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି (୩୫)ଙ୍କୁ ବାଣପୁର ମାଳ ଜଙ୍ଗଲ ରାସ୍ତାରେ କେତେକ ବନ କର୍ମଚାରୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ପତ୍ନୀ ପ୍ରତିମା ବେହେରା ଏଭଳି ଗୁରୁତର ଅଭିଯୋଗ ଆଣି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି।

ପ୍ରତିମାଙ୍କ ଏତଲା ଅନୁଯାୟୀ ଚଳିତ ମାସ ୧୨ ତାରିଖ ସନ୍ଧ୍ୟାରେ ତାଙ୍କ ସ୍ଵାମୀ ବଳଭଦ୍ର ବେପାର ପାଇଁ ଚାଷୀଙ୍କଠାରୁ ବାଇଗଣ ନେଇ ମାଳରାସ୍ତାରେ ଗାଁକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ କେତେକ ବନ କର୍ମଚାରୀ କାବୁ କରି ନେଇଥିଲେ। କିନ୍ତୁ ଏହାପରେ ହଠାତ୍ ପ୍ରତିମା ଖବର ପାଇଥିଲେ, ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ତାଙ୍କ ସ୍ଵାମୀଙ୍କ ମୃତଦେହ ରହିଛି।

ବଳଭଦ୍ରଙ୍କ ଶରୀରର କାନ୍ଧ, ବେକମୁଣ୍ଡା, ପିଠି, ଅଣ୍ଟା ଆଦି ବିଭିନ୍ନ ସ୍ଥାନରେ ଦାଗ ରହିଥିଲା। ଏହାଦେଖି ତାଙ୍କୁ କେତେଜଣ ବନ କର୍ମଚାରୀ ପିଟିପିଟି ମାରି ଦେଇଥିବା ପତ୍ନୀ ପ୍ରତିମା ବାଣପୁର ଥାନାରେ ଏତଲା କରିଛନ୍ତି। ଏହି ଘଟାଣାରେ ବାଣପୁର ଥାନାରେ କେସ୍ ନଂ- ୩୧୯/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।

ଅନ୍ୟପଟେ ଏହି ଅଭିଯୋଗକୁ ବନ ବିଭାଗ ଖଣ୍ଡନ କରିଛି। ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ ଜଙ୍ଗଲରୁ ୪ଜଣ ବ୍ୟକ୍ତି କାଠ ଚୋରି କରୁଥିଲେ। ବନ ବିଭାଗ ସେମାନଙ୍କୁ ପିଛା କରିବା ବେଳେ ବଳଭଦ୍ର ବନ କର୍ମଚାରୀଙ୍କୁ ଦେଖି ଜଙ୍ଗଲରେ ଏଣେତେଣେ ଦୌଡିଥିଲେ। ସେତିକିବେଳେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ମୃତ୍ୟୁର ୩ଦିନ ପରେ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ ହୋଇଛି। ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ଏବଂ ତାକୁ ଆଧାର କରି ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି।

Comment