ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା, ମା’ ଛାଡ଼ପତ୍ର ନେଇ ପରସ୍ପରଠାରୁ ଅଲଗା ହୋଇଗଲେ। ଶେଷରେ ଦୁଇ ପୁଅଙ୍କୁ ବିକ୍ରି କରିଦେଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‍ ଅନ୍ତର୍ଗତ ତେଲଗାବେଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତେବେ ବିକ୍ରି ହୋଇଯାଇଥିବା ଏହି ଦୁଇ ଅସହାୟ ପିଲାଙ୍କ ନିକଟରେ ଏବେ ପହଞ୍ଚିଛି କିସ୍‌ ଫାଉଣ୍ଡେସନ। ପିଲା ଦୁଇଙ୍କୁ ସବୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି।

ସୂଚନା ଅନୁସାରେ ବଡ଼ ଭାଇ ବିକ୍ରି ହୋଇଥିବା ସ୍ଥାନରେ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହୋଇ ସେଠାରୁ ଛାଡ଼ି ପଳାଇ ଆସିଥିଲା। ଏକୁଟିଆ ଭାବେ ତାକୁ ପାଇବା ପରେ ସଲପପଦରର ଅଙ୍ଗନବାଡ଼ି ଦିଦି ଜୟନ୍ତୀ ଖଡ଼ା ନିଜ ଘରେ ତାକୁ ଆଶ୍ରୟ ଦେଇଥିଲେ।

ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ନିଜ କର୍ମଚାରୀଙ୍କ ଜରିଆରେ ଉକ୍ତ ଦୁଇ ଭାଇଙ୍କ ସଂପର୍କରେ ଖବର ନେବା ପରେ ସେମାନଙ୍କ ସଂପୂର୍ଣ୍ଣ ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏବେ କରୋନା କାଳ ହୋଇଥିବାରୁ କିସ୍‍ ଛୁଟି ଅଛି। କିସ୍‍ ଖୋଲିଲେ ନିୟମ ଅନୁସାରେ କିସରେ ସେମାନଙ୍କର ନାମ ଲେଖାଯିବାର ବ୍ୟବସ୍ଥା କରାଯିବ ବୋଲି ଅଚ୍ୟୁତ  ସାମନ୍ତ କହିଛନ୍ତି। କିସ୍‍ ଖୋଲିବା ପର୍ଯ୍ୟନ୍ତ ଦୁଇ ଭାଇଙ୍କ ଚଳିବା ପାଇଁ ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପାଇଁ ମାସିକ ୨ ହଜାର ଟଙ୍କା କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସେମାନଙ୍କ ନିକଟରେ ପହଞ୍ଚାଇ ଦିଆଯିବ।

Comment