ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୪ଟି ପ୍ରାନ୍ତରେ ଗତ ଅଗଷ୍ଟ ମାସରେ ହୋଇଥିବା ଗଣେଶ ଚତୁର୍ଥୀ ଓ ଓନମ ଉତ୍ସବ ପରେ ପରେ କୋଭିଡ୍‌ ମାମଲା ଅଧିକ ବଢ଼ିଛି। ଏବେ ନବରାତ୍ରି, ଦୁର୍ଗାପୂଜା, ଦଶହରା ଏବଂ ଆଗକୁ ଲକ୍ଷ୍ମୀପୂଜା, ଦୀପାବଳୀ ଓ ଛଠ୍ ପୂଜା ରହିଛି। ଏବେଠୁ ସଜାଗ ନହେଲେ ସେତେବେଳେ କୋଭିଡ୍ ସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା ପ୍ରକାଶ ପାଇଲାଣି।

ଏନ୍‌ସିବିଆଇ ରିସର୍ଚ୍ଚ ରିପୋର୍ଟ କହୁଛି ଯେ ଅଗଷ୍ଟ ପରେ ଗଣେଶ ଚତୁର୍ଥୀ ଓ ଓନମ୍‌ ପର୍ବ ପରେ ଆନ୍ଧ୍ରପଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ଓ କେରଳରେ ୫୦-୬୦ ପ୍ରତିଶତ ଅଧିକ କୋଭିଡ୍ ମାମଲା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ଗତ ଅଗଷ୍ଟ ୨୨ରେ ଗଣେଶ ଚତୁର୍ଥୀ ପାଳନ କରାଗଲା। କିନ୍ତୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିସର୍ଚ୍ଚ ରିପୋର୍ଟ ଅନୁସାରେ ଗଣେଶ ଉତ୍ସବ ପରେ ଆନ୍ଧ୍ରରେ ୨.୯୩ ଲକ୍ଷ ନୂଆ କୋଭିଡ୍‌ କେସ୍ ସାମ୍ନାକୁ ଆସିଥିଲା। ସେହିପରି ମହାରାଷ୍ଟ୍ରରେ ୩.୭ ଲକ୍ଷ, ତେଲଙ୍ଗାନାରେ ୬୨ ହଜାର ନୂଆ ମାମଲାର ରିପୋର୍ଟ ଥିଲା। ସେହିପରି ଓନମ୍‌ ପରେ କେରଳରେ ୧.୩୮ ଲକ୍ଷ ନୂଆ ମାମଲା ଆସିଥିଲା।

ପାର୍ବଣ ପାଇଁ ୪ ରାଜ୍ୟରେ ୫୦ ପ୍ରତିଶତ ବଢ଼ିଛି କୋଭିଡ୍ ମାମଲା

ମୋଟାମୋଟି କହିବାକୁ ଗଲେ ଗଣେଶ ଉତ୍ସବ ଓ ଓନମ୍‌ ପରେ ମହାରାଷ୍ଟ୍ରରେ ୪୬.୭ ପ୍ରତିଶତ, ତେଲଙ୍ଗାନାରେ ୪୯.୮ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୬୭.୬ ପ୍ରତିଶତ ଓ କେରଳରେ ୬୪.୭ ପ୍ରତିଶତ ଅଧିକ ମାମଲା ଉପୁଜିଛି। କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଆଶଙ୍କା କରିଥିଲେ ଯେ ଉତ୍ସବ ପରେ ବାହାର ଗତିବିଧି ଓ ଯାତ୍ରାର ପରିମାଣ ବଢ଼ିବା ଯୋଗୁ କୋଭିଡ୍‌ ମାମଲାରେ ମଧ୍ୟ ବୃଦ୍ଧି ହୋଇପାରେ। ତାହା ହିଁ ହେଲା।

ଅକ୍ଟୋବର-ନଭେମ୍ବରର ପାର୍ବଣ ମାସକୁ ହିଁ ଡର

ଚଳିତ ବର୍ଷର ଅକ୍ଟୋବର-ନଭେମ୍ବରର ପାର୍ବଣ ଋତୁରେ ନବରାତ୍ରୀ, ଦୁର୍ଗାପୂଜା, ଦଶହରା. ଲକ୍ଷ୍ମୀପୂଜା, ଦୀପାବଳୀ, ଛଠ୍ ପୂଜା ରହିଛି। ଏହି ସବୁ ପୂଜା ପାଇଁ କିଣାକିଣି ଓ ଉତ୍ସବ ମନେଇବାକୁ ବହୁ ସଂଖ୍ୟାରେ ଲୋକେ ଘରୁ ବାହାରକୁ ଗୋଡ଼ କାଢ଼ିବେ ନିଶ୍ଚୟ। ଏସ୍‌ବିଆଇ ରିପୋର୍ଟ ଅନୁସାରେ ଯେଉଁ ରାଜ୍ୟଗୁଡ଼ିକ ଉତ୍ସବ (ଗଣେଶ ଚତୁର୍ଥୀ ଓ ଓନମ୍) ପାଳନ କରିସାରିଛନ୍ତି, ସେଠାରେ ଲୋକେ ଘରୁ ବାହାରିବା କାରଣରୁ କୋଭିଡ୍ ସଂକ୍ରମଣ ଓ ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ତେଣୁ ଆଶଙ୍କା କରାଯାଉଛି କି ଯଦି ପ୍ରାକ୍ ସତର୍କତା ଅବଲମ୍ବନ ନ କରାଯାଏ, ତେବେ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପରେ କୋଭିଡ୍ ମାମଲା ବଢ଼ିପାରେ। ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ ଅନୁସାରେ ୧୫ ଅକ୍ଟୋବର ସୁଦ୍ଧା ଭାରତରେ ୭୩ ଲକ୍ଷ ୭ ହଜାର ୯୮ କୋଭିଡ୍ କେସ୍ ସାମ୍ନାକୁ ଆସିସାରିଛି।

ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ସମାନ ଆଶଙ୍କା କରିଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଶଙ୍କା ଅନୁଭବ କରି ଦୁଇଦିନ ତଳେ ହୋଇଥିବା ସମୀକ୍ଷା ବୈଠକରେ କହିଥିଲେ ଯେ କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛି। ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା’ ପରେ ପରେ ଶୀତ ଋତୁ ଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ଼ ଭାବରେ କାର୍ଯ୍ୟକାରୀ କରିବାକୁ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢ଼ିଯାଇଛି। ତେଣୁ ସାମାନ୍ୟ ଢିଲାପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ଼ ଅନୁପାଳନ ଉପରେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମାସ୍କ, ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳିବାକୁ ମୋଦୀଙ୍କ ଟିପ୍ସ

ମୋଦୀ ମଧ୍ୟ ଚେତାଇ ଦେଇଛନ୍ତି ଯେ ପାର୍ବଣ ଋତୁ ପାଇଁ କୋଭିଡ୍‌ ମାମଲାରେ ଅଧିକ ବୃଦ୍ଧି ହୋଇପାରେ। ତେଣୁ ସମସ୍ତେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ଏଇ ନିକଟରେ ସେ ଏକ ଜନ ଅଭିଯାନର ଶୁଭାରମ୍ଭ କରିଛନ୍ତି, ଯାହା ପାର୍ବଣ ଋତୁ ଆରମ୍ଭ ହେବା ଓ ଦେଶର ଅର୍ଥନୀତି କରୋନାରୁ ମୁକୁଳିବାରୁ ପୂର୍ବରୁ ଲୋକଙ୍କୁ ମାସ୍କ, ସାମାଜିକ ଦୂରତ୍ୱ ଓ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର ଉପରେ ସଚେତନ କରିବ।

Comment