ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି।

ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି। ଏହାପୂର୍ବରୁ ସବୁ ଦଳ ଏବେ ପ୍ରଚାରକୁ ଜୋରସୋର୍ କରିଛନ୍ତି। ଶାସକ ବିଜେଡି ଏହି ଦୁଇ ଆସନକୁ ହାତେଇବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ମଧ୍ୟ ବିଧାନସଭାରେ ନିଜ ବିଧାୟକଙ୍କ ସଂଖ୍ୟା ବଢ଼େଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି।

ଏସବୁ ମଧ୍ୟରେ ଶୁକ୍ରବାର ଉଭୟ ବିଜେଡି ଓ ବିଜେପି ଉପ ନିର୍ବାଚନ ପାଇଁ ନିଜ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ଲିଷ୍ଟରେ ଦୁଇ ଦଳର ବହୁ ବଡ଼ ବଡ଼ ନେତା ସାମିଲ ଥିବାବେଳେ ଅନେକ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ତେବେ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରାପଡ଼ାର ସାଂସଦ ତଥା ସିନେଷ୍ଟାର ଅନୁଭବ ମହାନ୍ତି ସ୍ଥାନ ନପାଇବା ଏବେ ରାଜନୀତି ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।ମହଙ୍ଗା ପଡ଼ିଲା କି ଘରକଳି?

କେନ୍ଦ୍ରାପଡ଼ାର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ପାରିବାରିକ କଳହକୁ ନେଇ ବିବାଦରେ ଅଛନ୍ତି। ବର୍ଷାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅନୁଭବଙ୍କ ବିରୋଧରେ କୋର୍ଟରେ ମାମଲା ଚାଲୁଛି। ତେଣୁ ଏପରି ପରିସ୍ଥିତିରେ ଦଳ ତାଙ୍କୁ ଷ୍ଟାର ପ୍ରଚାରକ କରି ଭୋଟ ମାଗିବାକୁ ଠିକ୍ ଭାବିନି। ଅନୁଭବଙ୍କୁ ଷ୍ଟାର ପ୍ରଚାରକ କଲେ ଦଳ ବ୍ୟାକଫୁଟରେ ରହିବା ସହ ମହିଳା ଭୋଟରଙ୍କ ସମର୍ଥନ ପାଇପାରିବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏଥିସହ ଅନୁଭବ ଗତ କିଛି ମାସ ଧରି ବିଭିନ୍ନ ଘଟଣାକୁ ନେଇ ବିବାଦ ଘେରରେ ରହିଛନ୍ତି। ଟିଭି ସାମ୍ବାଦିକଙ୍କୁ ଅସଦାଚାରଣ, ମହିଳା ସାମ୍ବାଦିକଙ୍କୁ ଧମକ୍, ପଡ଼ୋଶୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ଆଦି ଅନେକ ଘଟଣା ଅନୁଭବଙ୍କୁ ସବୁବେଳେ ବିବାଦ ଭିତରେ ରଖିଛି। ତେଣୁ ଏହି ସବୁ କାରଣରୁ ଦଳ ଅନୁଭବଙ୍କୁ ଏଥର ଉପ ନିର୍ବାଚନରେ ନିଜ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେଇଥିବା କୁହାଯାଉଛି।ଷ୍ଟାର ପ୍ରଚାରକ ତାଲିକାରେ ଅରିନ୍ଦମ, ଆକାଶ

ବିଜେଡିରୁ ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବ ବାଦ୍ ପଡ଼ିଥିଲେ ମଧ୍ୟ ଅନେକ ସିନେ ତାରକା ଦଳ ଲିଷ୍ଟରେ ସାମିଲ୍ ଅଛନ୍ତି। ଓଲିଉଡ୍ ଅଭିନେତା ଅରିନ୍ଦମ ରାୟ, ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ଉପ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ। ତାଙ୍କ ସହିତ ଉପ ନିର୍ବାଚନ ପ୍ରଚାରରେ ରାଜ୍ୟସଭା ସାଂସଦ ତଥା ଅଭିନେତା ମୁନ୍ନା ଖାଁ, କୁନା ତ୍ରିପାଠୀ ଦଳର ସେଲିବ୍ରିଟି ଚେହେରା ହେବେ।ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ କିଏ କିଏ?

ଉପ ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ୩୦ ଜଣିଆ ଷ୍ଟାର ପ୍ରଚାରକ ଭିତରେ ପ୍ରଥମରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଡକ୍ଟର ଅରୁଣ କୁମାର ସାହୁ, ପ୍ରତାପ ଜେନା, ନବକିଶୋର ଦାସ, ସୁଶାନ୍ତ ସିଂହ, ରାଜଶ୍ରୀ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ସମୀର ରଞ୍ଜନ ଦାଶ, ପ୍ରେମାନନ୍ଦ ନାୟକ, ଦେବାଶିଷ ସାମନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରବୀନ୍ଦ୍ର ଜେନା, ପ୍ରଶାନ୍ତ ମୁଦୁଲି, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଡି, ଜୀବନ ପ୍ରଦୀପ ଦାସ, ମୁନ୍ନା ଖାଁ, ଆକାଶ ଦାସ ନାୟକ, ଅରିନ୍ଦମ ରାୟ ଓ କୁନା ତ୍ରିପାଠୀ।

Comment