ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ୧୬ ନମ୍ଵର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠଠାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଏକ କାର୍ କେନାଲ୍‌କୁ ଖସି ପଡ଼ିଛି। ଏଥିରେ ୩ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ସମ୍ଵଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନ୍ୟ ଦୁଇଜଣ ମୃତକ ହେଉଛନ୍ତି ସ୍ଥାନୀୟ ଗୋପାଳପୁରର ଗୌତମ ଦାସ ଏବଂ ଅଙ୍କୁରଙ୍କ ଜଣେ ସାଙ୍ଗ। ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି।

ଗତକାଲି ରାତି ପ୍ରାୟ ୩ଟା ସମୟରେ ୧୬ ନମ୍ଵର ଜାତୀୟ ରାଜପଥଦେଇ କଟକରୁ ଭୁବନେଶ୍ଵରକୁ ଆଡ଼କୁ ଏକ କାର୍ ଦ୍ରୁତ ଗତିରେ ଆସୁଥିଲା। ତେଲେଙ୍ଗାପେଣ୍ଠଠାରେ ଭାରସାମ୍ୟ ହରାଇ ପାଖରେ ଥିବା ଏକ ଛୋଟ କେନାଲ୍‌କୁ ଖସି ପଡ଼ିଥିଲା। ପ୍ରାୟ ୨ରୁ ଅଢ଼େଇ ଘଣ୍ଟାର କସରତ୍‌ ପରେ ପୋଲିସ କାର୍‌ ମଧ୍ୟରେ ଥିବା ୩ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।

କିନ୍ତୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ପୋଲିସ ସୂଚନା ଦେଇଛି। ତେବେ ମୃତକଙ୍କ ମଧ୍ୟରେ ରହିଛନ୍ତି ସମ୍ଵଲପୁରର ପୂର୍ବତନ କଂଗ୍ରେସ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ଏବଂ ତାଙ୍କର ୨ଜଣ ସାଙ୍ଗ। ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏହି ଘଟଣାରେ ସଦର ଥାନା ପକ୍ଷରୁ ଏକ କେସ୍ ରୁଜୁ କରାଯାଇ ତଦନ୍ତ କରାଯାଉଛି।

Comment