ଓଡ଼ିଶାଲାଇଭ୍ ବ୍ୟୁରୋ

ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେଡିକୁ ମିଳିଛି ଜୋରଦାର ଝଟକା। ଦଳର ଦୁଇ ବରିଷ୍ଠ ନେତା ଧୁକୁଲ ଘଡ଼େଇ ଓ ଆଶିଷ ଘୋଷ ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଦଳରେ ଅଣଦେଖା କରାଯାଉଥିବାରୁ ସେ ଦଳ ଛାଡ଼ିଥିବା ସୂଚନା ଦେଇଛନ୍ତି।

ଏହି ଦୁଇ ନେତା ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଦୃଢ଼ ସମର୍ଥକ ଭାବେ ବେଶ ଜଣାଶୁଣା। ଏଥିସହ ଧୁକୁଲ ଘଡ଼େଇ ବାଲେଶ୍ୱର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ସଭାପତି ଏବଂ ଆଶିଷ ଘୋଷ ନଗର ବିଜେଡି ସଭାପତି ଥିଲେ। ତାଙ୍କୁ ଦଳରେ ଉପଯୁକ୍ତ ସମ୍ମାନ ମିଳୁନଥିବା ଅଭିଯୋଗ କରି ସେମାନେ ଆଜି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।ଦଳର ଦୁଇ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଚିନ୍ତା ବଢ଼ାଇଦେଇଛି। ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାଶଙ୍କ ଭିତରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ପ୍ରତାପ ଚେଷ୍ଟା କରୁଥିବାବେଳେ ଦଳର ଅନ୍ୟ ନେତାମାନେ ଏବେ ଦଳ ଛାଡୁଛନ୍ତି। ତେଣୁ ଏପରି ପରିସ୍ଥିତିରେ ଦଳକୁ କିଭଳି ନିର୍ବାଚନରେ ବିଜୟୀ କରାଇବେ ସେନେଇ ଚିନ୍ତାରେ ବିଜେଡିର ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା।

ଆଜି ସକାଳୁ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଦଳ ଭିତରେ କୌଣସି ପ୍ରକାର ବିବାଦ ନାହିଁ ବୋଲି ସେମାନେ କହିଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଦଳର ନେତା ଆସି ବିଜେପିରେ ସାମିଲ ହେବା ଦଳର ଦୁର୍ବଳତାକୁ ପଦାରେ ପକାଇଛି।

ସ୍ୱରୂପ ଦାସଙ୍କୁ ଟିକେଟ୍ ମିଳିବା ପରେ ଜୀବନ ପ୍ରଦୀପ ଦାଶ ଓ ରବୀନ୍ଦ୍ର ଜେନାଙ୍କ କିଛି ସମର୍ଥକ ଅସନୁଷ୍ଟ ଅଛନ୍ତି। ଜୀବନ ପ୍ରଦୀପ ଓ ରବୀନ୍ଦ୍ର ସେମାନଙ୍କର ସମର୍ଥକଙ୍କୁ ଯେତେ ବୁଝେଇଲେ ବି କୌଣସି ଭଲ ଫଳ ମିଳୁନି। ସମର୍ଥକମାନେ ଏବେ ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି।

Comment